ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ...

Feb 28, 2026 - 09:08
 12
ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ...

ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ...

"ଆଚାର୍ଯ୍ୟ ହରିହରଙ୍କ ସରଳତା, ସେବାଭାବ ଓ ଗାନ୍ଧୀବାଦୀ ଆଦର୍ଶ ସମାଜ ପାଇଁ ପ୍ରେରଣା"

ଭୁବନେଶ୍ୱର, ୨୭.୦୨.୨୦୨୬ :

ଓଡ଼ିଶାର ଗାନ୍ଧୀବାଦୀ ଆନ୍ଦୋଳନ, ସର୍ବୋଦୟ ଚେତନା ଓ ଭୂଦାନ ଆନ୍ଦୋଳନର ପ୍ରମୁଖ ପ୍ରତିନିଧି ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସ ନିଜର ତ୍ୟାଗମୟ ଜୀବନ, ନିଷ୍କାମ ସେବାଭାବ ଓ ଶିକ୍ଷା ପ୍ରସାର ପ୍ରତି ଅତୁଟ ନିଷ୍ଠା ମାଧ୍ୟମରେ ଓଡ଼ିଆ ସମାଜରେ ଗଭୀର ପ୍ରଭାବ ପକାଇ ଯାଇଛନ୍ତି। ତାଙ୍କର ଆଦର୍ଶ ଓ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଜୟନ୍ତୀ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ। 

କାର୍ଯ୍ୟକ୍ରମର ଆରମ୍ଭରେ ସଙ୍ଗୀତ ମଲ୍ହାର ଅନୁଷ୍ଠାନ ପକ୍ଷରୁ ଜନପ୍ରିୟ ଦେଶଭକ୍ତିମୟ ସଙ୍ଗୀତ “ତୁହି ମା ଜନ୍ମଭୂମି” ପରିବେଷିତ ହୋଇ ପରିବେଶକୁ ଗମ୍ଭୀର ଓ ଦେଶାତ୍ମବୋଧମୟ କରିଥିଲା।

ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ଶିକ୍ଷାମୂଳକ ଓ ସମାଜସେବାମୂଳକ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ନୈତିକତା, ସେବା ଓ ତ୍ୟାଗରେ ଆଧାରିତ ତାଙ୍କ ଜୀବନଦର୍ଶନ ଆଜିର ସମାଜ ପାଇଁ ଅତ୍ୟନ୍ତ ପ୍ରସଙ୍ଗିକ ଓ ପଥପ୍ରଦର୍ଶକ।

ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀଯୁକ୍ତ ଭାଗବତ ପ୍ରସାଦ ଦାସ ଆଚାର୍ଯ୍ୟ ହରିହରଙ୍କୁ ଜଣେ ଋଷିପ୍ରତୀମ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଥିଲେ। ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା ତାଙ୍କ ଜୀବନର ପ୍ରମୁଖ ପରିଚୟ ଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସଂଗ୍ରାମ କେଶରୀ ରାଉତ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ସ୍ୱାଧୀନତା ସଂଗ୍ରାମରେ ସହଭାଗୀତା, ଗାନ୍ଧୀବାଦୀ ମୂଲ୍ୟବୋଧର ପ୍ରଚାର ଓ ସମାଜସଂସ୍କାରମୂଳକ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ତାଙ୍କ ସେବାମୟ ପଥଚଳା ଓଡ଼ିଶାର ସାମାଜିକ ଇତିହାସରେ ଚିରସ୍ମରଣୀୟ ହୋଇ ରହିଛି।

ଧନ୍ୟବାଦ ଅର୍ପଣ କରି ଉପ

ନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଆଚାର୍ଯ୍ୟ ହରିହରଙ୍କ ଆଦର୍ଶକୁ ଆଜିର ପିଢ଼ି ଅନୁସରଣ କରି ସମାଜରେ ନୈତିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଆବଶ୍ୟକ ବୋଲି ଅଭିମତ ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। 

ସୂଚନା ଓ ଲୋକସମ୍ପର୍କ ବିଭାଗର ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଜୟନ୍ତୀ ଉପଲକ୍ଷେ ଆଚାର୍ଯ୍ୟ ବିହାର ପରିଷଦ ପକ୍ଷରୁ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ନିବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିବୃନ୍ଦ ସମ୍ମାନିତ କରି ପୁରସ୍କୃତ କରିଥିଲେ। 

କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ–ସାଂସ୍କୃତିକ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ବହୁ ଅଧିକାରୀ–କର୍ମଚାରୀ ଉପସ୍ଥିତ ଥିଲେ।