ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ଚେନ୍ନାଇ: ସିମେଣ୍ଟ ବୋଝେଇ ଟ୍ରକ ଓ କାର ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାମିଲନାଡୁର ଟେଙ୍କାଶି ଜିଲ୍ଲା ଅନ୍ତର୍ଗତ ପୁଲିଆଙ୍ଗୁଡି ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ତାମିଲନାଡୁର ଟେଙ୍କାଶି ଜିଲ୍ଲା ଅନ୍ତର୍ଗତ ପୁଲିଆଙ୍ଗୁଡି ଠାରେ ଏକ ସିମେଣ୍ଡ ବସ୍ତା ବୋଝେଇ ଟ୍ରକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାର ମଧ୍ୟରେ ଥିବା ଡ୍ରାଇଭର ସମେତ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । କାରରେ ଥିବା ଜଣଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ପୁଲିଆଙ୍ଗୁଡି ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପୁଲିଆଙ୍ଗୁଡି ଅଞ୍ଚଳର ହୋଇଥିବା ଜଣାପଡିଛି । ଟେଙ୍କାସୀ ଜିଲ୍ଲାର ପୁଲିଆଙ୍ଗୁଡିର ଭଗବତୀ ଆମମାନ ମନ୍ଦିର ଛକ ଅଞ୍ଚଳର କାର୍ତ୍ତିକ, ଭେଲ ମନୋଜ, ସୁବ୍ରମଣି, ମନୋକରଣ ଏବଂ ବୋଥିରାଜଙ୍କ ସମେତ ୬ ଜଣ ବ୍ୟକ୍ତି ଗତକାଲି ରାତିରେ ପୁଲିଆଙ୍ଗୁଡି ଠାରେ ବାଲାସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ମହୋତ୍ସବରେ ଅଂଶଗ୍ରହଣ କରିଥିଲେ ଏବଂ ପରେ କୋର୍ଟଲାମ ଜଳପ୍ରପାତକୁ ଯାଇଥିଲେ। ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସ୍ଥାନୀୟ ତିରୁନେଲ୍ଭେଲି ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Jan 28, 2024 - 20:42
 3
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ