ଯୋଉ ଶଙ୍ଖ ଭବନ ତାର ଶବ୍ଦରେ ରାଜ୍ୟ ସାରା ପ୍ରକମ୍ପିତ ହେଉଥିଲା ଏବେ ସେ ସ୍ୱର ଧୀରେ ନିଃଶବ୍ଦ ହେବାକୁ ବସିଲାଣି...

Nov 4, 2025 - 16:48
Nov 4, 2025 - 16:49
 15
ଯୋଉ ଶଙ୍ଖ ଭବନ ତାର ଶବ୍ଦରେ ରାଜ୍ୟ ସାରା ପ୍ରକମ୍ପିତ ହେଉଥିଲା ଏବେ ସେ ସ୍ୱର ଧୀରେ ନିଃଶବ୍ଦ ହେବାକୁ ବସିଲାଣି...

ଶଙ୍ଖ ଭବନରେ ଖୁସିରେ ନିଶ୍ୱାସ ମାରି ହେଉନି ବୋଲି ଅନେକ ନେତା କୁହା କୁହି ହେଉଥିବା ବେଳେ କିଛି ନେତା ବାଧ୍ୟ ହୋଇ ନିଜ କର୍ମ ଆଦରି ଭାଙ୍ଗି ଯାଉଥିବା ଶଙ୍ଖକୁ ଧରି ବଜାଇବାକୁ ଚେଷ୍ଟା କରୁଛନ୍ତି |

ପ୍ରାୟ ବିଜେଡି ନେତାଏ ଜାଣି ଗଲେଣି ଶଙ୍ଖ ପୁରା ନିଶ୍ଚଳ ହୋଇଯିବାକୁ ବସିଲାଣି କିନ୍ତୁ ଲାଜ ଆଉ ମୁହଁ ତୋଡ଼ରେ ଯାହା ଖାଲି ଶଙ୍ଖ ଘର ଜଗି ବସିଛନ୍ତି |

ମମତା, ସୁଜିତଙ୍କ ପରେ ଅମର..

ପ୍ରଥମେ ସାଂସଦ, ଆଉ ତା ପରେ ଏବେ ପୂର୍ବତନ ସାଂସଦ । ଜଣକ ପରେ ଜଣେ ବିଜେଡି ସାଂସଦ ଏବେ ପଦ୍ମ ମୁହାଁ । 

ପ୍ରଥମେ ମମତା ମହନ୍ତ, ଆଉ ତା ପରେ ସୁଜିତ୍ କୁମାର ଆଉ ଏବେ ଅମର ପଟ୍ଟନାୟକ । 

ମାତ୍ର କିଛି ମାସର ଗ୍ୟାପରେ ଜଣକ ପରେ ଜଣେ ବିଜେଡି ନେତା ଏବେ ସବୁଜ ଶିବିର ଛାଡ଼ି ଗେରୁଆ ଶିବିର ମୁହାଁ ହୋଇଛନ୍ତି । 

ଯାହାକି ବିଜେଡି ପାଇଁ ଏବେ ସତର୍କ ଘଣ୍ଟି ସାଜିଥିବାବେଳେ, ଆଗକୁ ଆଉ କେଉଁ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବେ ସେ ଚର୍ଚ୍ଚାକୁ ମଧ୍ୟ ଖୋରାକ ଯୋଗାଇଛି ।

ବିଜେଡି ସରକାରରୁ ଗଲା ପରେ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେଡିକୁ ବାଏ ବାଏ କହିଥିଲେ । ସାଂସଦ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ, ଆଉ ତାର ଠିକ୍ ପରଦିନ ଦିଲ୍ଲୀରେ ପଦ୍ମ ଧରିଥିଲେ । ତେବେ ବିଜେଡିର ଜଣେ ଷ୍ଟାଣ୍ଡିଂ ରାଜ୍ୟସଭା ଏମପି ହଠାତ୍ ନିଜ ପଦରୁ ଇସ୍ତଫା ଦେବା ଆଉ ତା ପରଦିନ ଯାଇ ବିଜେପିରେ ସାମିଲ ହେବା, ସେତେବେଳେ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଆଉ ତାରି ଭିତରେ ଖାଲି ପଡ଼ିଥିବା ରାଜ୍ୟସଭା ସିଟ୍ ପାଇଁ ଯେଉଁ ଉପ-ନିର୍ବାଚନ ହେଇଥିଲା, ସେଥିରେ ମମତା ମହନ୍ତଙ୍କୁ ହିଁ ପ୍ରାର୍ଥୀ କରିଥିଲା ବିଜେପି । ଆଉ ସେ ବିଜେପିରୁ ବନିଥିଲେ ରାଜ୍ୟସଭା ଏମପି ।

ମମତା ମହନ୍ତଙ୍କ ପରେ ଠିକ୍ ସେହି ଢଙ୍ଗରେ ବିଜେଡିକୁ ବାଏ ବାଏ କହିଥିଲେ ରାଜ୍ୟସଭା ଏମପି ସୁଜିତ୍ କୁମାର । 

ନିଜ କାର୍ଯ୍ୟକାଳ ସରିବାର ୧୮ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଆଉ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ । ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ ଆଉ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ସୁଜିତ୍ କୁମାର । 

ଆଉ ଉପ ନିର୍ବାଚନରେ ମଧ୍ୟ ସେ ପୁଣିଥରେ ପ୍ରାର୍ଥୀ ହେବା ସହ ବନିଥିଲେ ରାଜ୍ୟସଭା ସାଂସଦ ।

ଏହି ଦୁଇ ଷ୍ଟାଣ୍ଡିଂ ଏମପିଙ୍କ ପରେ ଏବେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ଆଗଧାଡ଼ିର ନେତା ଅମର ପଟ୍ଟନାୟକ ମଧ୍ୟ ବିଜେଡି ଛାଡ଼ିବା ସହିତ ବିଜେପିରେ ସାମିଲ ହେଇଛନ୍ତି । ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇ ବିଜେଡିକୁ ବାଏ ବାଏ କହିଛନ୍ତି ।

ଅମର ପଟ୍ଟନାୟକ ପ୍ରଶାସକ ରୁ ହେଲେ ବିଜେଡି ରାଜ୍ୟସଭା ସାଂସଦ ଆଉ ତା ପରେ ହେଲେ ବିଜେଡି ଆଇଟି ସେଲର ମୁଖ୍ୟ । ଆଉ ତାଙ୍କ ଭଳି ନେତା ଯେତେବେଳେ ବିଜେଡିକୁ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ସେତେବେଳେ ଚର୍ଚ୍ଚା ହେବା ସ୍ୱାଭାବିକ ଆଗକୁ ଆଉ କେଉଁ ନେତାଙ୍କ ପାଳି? 

ଆଗକୁ ଆଉ କେଉଁ ବିଜେଡି ନେତା, ଶଙ୍ଖ ଛାଡ଼ି ପଦ୍ମ ଧରୁଛନ୍ତି, ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।