ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ କାର୍ଯ୍ୟକ୍ରମରେ ସନ୍ଦର୍ଭ ଉପସ୍ଥାପନ କଲେ ସଚିବ...
ସ୍ୱାଧୀନତା ପୂର୍ବରୁ ଆଧୁନିକ ଡିଜିଟାଲ ବିଧାନସଭା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉତ୍ତରାଧିକାର
ଏବଂ ସାମ୍ପ୍ରତିକ ସଂସ୍କାରର ଏହି ଯାତ୍ରା ନିରନ୍ତର ଚାଲିଛି: ସଚିବ ଶ୍ରୀ ରାଉତ
ଓଡ଼ିଶା ନିଜର ଅଭିଜ୍ଞତାକୁ କେବେ ସମ୍ପୂର୍ଣ୍ଣ ବୋଲି ଦାବି କରେନାହିଁ, ବରଂ ବୃତ୍ତିଗତ ଆଦାନ-ପ୍ରଦାନର ଭାବନା ସହ ସମୃଦ୍ଧ ପରମ୍ପରା ଓ ନୂତନ ଉଦ୍ଭାବନଗୁଡ଼ିକରୁ ଶିଖିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ।
୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାରେ ୧୯୩୭ ମସିହା ପ୍ରଥମ ବିଧାନସଭା ୬୦ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇବେଳେ ଏହା ବୃଦ୍ଧି ପାଇଁ ବର୍ତ୍ତମାନ ୧୪୭ରେ ପହଞ୍ଚିଛି ।
ସ୍ୱାଧୀନତା ପୂର୍ବର ସମୟରୁ ଆରମ୍ଭ କରି ଆଧୁନିକ ଡିଜିଟାଲ ବିଧାନସଭା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉତ୍ତରାଧିକାର ଏବଂ ସାମ୍ପ୍ରତିକ ସଂସ୍କାରର ଏହି ଯାତ୍ରା ନିରନ୍ତର ଚାଲିଛି ବୋଲି ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ କହିଛନ୍ତି ।
ଦକ୍ଷିଣ ଆଫି୍ରକାର କେପ୍ଟାଉନ୍ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀରେ ‘ଓଡ଼ିଶା ବିଧାନସଭାର ଉତ୍ତମ କାର୍ଯ୍ୟଶୈଳୀ’ ଉପରେ ନିଜର ସନ୍ଦର୍ଭ ଉପସ୍ଥାପନ କରି ଶ୍ରୀ ରାଉତ କହିଛନ୍ତି ଯେ ସପ୍ତଦଶ ବିଧାନସଭାର ପ୍ରଥମ ଦୁଇ ବର୍ଷ ମଧ୍ୟରେ, ଗୃହରେ ୧୦୩ ଦିନ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରାୟ ୪୭୦ ଘଣ୍ଟା ଧରି ବିଧାନସଭା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହା ଭାରତର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ।
ବିଭିନ୍ନ ସଂସ୍କାରମୂଳ କାର୍ଯ୍ୟ ଗ୍ରହଣ କରି ଓଡ଼ିଶା ବିଧାନସଭାରେ ଡିଜିଟାଲ୍ ରୂପାନ୍ତରଣ ହାସଲ କରାଯାଇଛି ।
ନବନିର୍ବାଚିତ ଏବଂ ପ୍ରଥମ ଥର ସଦସ୍ୟମାନଙ୍କ ପାଇଁ ଅଭିମୁଖୀକରଣ କାର୍ଯ୍ୟକ୍ରମ ସହ ଗଣତାନ୍ତ୍ରିକ ଅନୁଷ୍ଠାନ ବିଷୟରେ ଅବଗତ କରାଇବା ପାଇଁ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଧ୍ୟୟନ ପରିଦର୍ଶନ ଆୟୋଜନ କରାଯାଇଛି ।
ବିଧାନସଭାର ବିଭିନ୍ନ କମିଟିମାନଙ୍କର କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଭାବରେ ତଥ୍ୟ ଉପସ୍ଥାପନ କରି ସଚିବ କହିଛନ୍ତି ଯେ ମୋଟ ୩୫ଟି କମିଟି ମଧ୍ୟରୁ ୧୦ଟି ବିଭାଗୀୟ କମିଟି ବିଭିନ୍ନ ବିଭାଗର ପ୍ରାଥମିକତା, ବ୍ୟୟ ଅଟକଳ, ଯୋଜନା ପ୍ରଣୟନ ଓ ସମ୍ବଳର ଉପଯୁକ୍ତ ବିନିଯୋଗ ଉପରେ ଆଲୋଚନା କରି ବଜେଟ ପାଇଁ ପ୍ରସ୍ତାବ ଦେଇଥାନ୍ତି ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ କେପ୍ଟାଉନ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬ଟି ଦେଶର ୧୮୦ ଜଣ ସଚିବ ଯୋଗଦେଇଥିବାବେଳେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ରାଉତଙ୍କୁ ସନ୍ଦର୍ଭ ଉପସ୍ଥାପନ କରିବା ପାଇଁ ମନୋନୀତ କରାଯାଇଥିଲା । କାନାଡା, ବାଂଲାଦେଶ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶର ସଚିବମାନେ ଏହି ସନ୍ଦର୍ଭର ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ଦିଲ୍ଲୀ ବିଧାନସଭାର ନିର୍ଦ୍ଦେଶକ ଡ. ୟୁନିଅନ୍ କୁମାରଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ବିଧାନସଭାର ସଚିବମାନଙ୍କ ସମେତ ୨୧ଟି ବିଧାନସଭାର ସଚିବ ଯୋଗଦେଇଥିଲେ ।