ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ...
ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣ ମାନଙ୍କ ପାଇଁ ଉପଲବ୍ଧ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି ।
ଏହି ଉଦ୍ଦେଶ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ସଚିବାଳୟସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ପ୍ରଚୁର ପରିମାଣରେ ଉପଲବ୍ଧ ରହିଛି । ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପକୁ ତୈଳ ଯୋଗାଣ ସ୍ଥିର ରହିଛି ।
ଜନସାଧାରଣ ଏ ଦିଗରେ ସଚେତନ ରହିବା ସହ ଭୟଭୀତ ନହୋଇ ପେଟ୍ରୋଲ ଓ ଡିଜେଲ ଆବଶ୍ୟକତାଠାରୁ ଅଧିକ ନ କିଣିବାକୁ ତୈଳ କମ୍ପାନୀର ପ୍ରତିନିଧିମାନେ ବୈଠକରେ ଅବଗତ କରାଇଥିଲେ ।
ରାଜ୍ୟରେ ତେଲ ଯୋଗାଣ ସ୍ୱାଭାବିକ ଥିବାବେଳେ କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ଅଭାବର ଖବର ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଏହି ସମସ୍ୟାର ତ୍ୱରିତ ସମାଧାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ ।
ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ର ରାଜ୍ୟ ମୁଖ୍ୟ ଶ୍ରୀ କମଲ ସିଲ୍, ଏଚ୍ପିସିଏଲ୍ର ଶ୍ରୀ ଆଶିଷ ପାଣ୍ଡେ, ବିପିସିଏଲ୍ର ଦୀପକ ଅଗ୍ରୱାଲଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।