'ଶବରୀ ସାଂସ୍କୃତିକ ଭବନ ' ଉଦଘାଟନ .
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ IRC Village ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ, କହିଥିଲେ ଯେ ଏହି 'ଶବରୀ ଭବନ' କେବଳ ଏକ ଆଶ୍ରୟସ୍ଥଳ ନୁହେଁ - ଏହା ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ବୋଲି କହିବା ସହିତ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ଵଳ୍ପକାଳୀନ ରହଣି ସହିତ ଶିକ୍ଷା, କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ |
ଏହି 'ଶବରୀ ଭବନ' ରେ ସମ୍ମିଳନୀ, ପ୍ରଶିକ୍ଷଣ ଶିବିର, କଳା ପ୍ରଦର୍ଶନୀ ଓ ଗବେଷଣା କାର୍ଯ୍ୟକ୍ରମ ହେବା ଦ୍ୱାରା ଏକ ସଂସ୍କୃତିକ ଜୀବନତା ପାଇଁ ଅନୁପ୍ରେରଣା ଯୋଗାଇବ। ଆଦିବାସୀ ଭାଇ ଓ ଭଉଣୀମାନେ ଯେତେବେଳେ ଏଠାକୁ ଆସିବେ, ନିଜ ଘର ପରି ଅନୁଭବ କରିବେ। ଆପଣଙ୍କ ଶିକ୍ଷା, ଚିକିତ୍ସା, ନିଯୁକ୍ତି, ଓ ଉନ୍ନତିର ମାର୍ଗ ଏହିଠାରୁ ଆରମ୍ଭ ହେବ। ଆଦିବାସୀ ସଂସ୍କୃତି କେବଳ ନାଚ, ଗୀତରେ ସୀମାବଦ୍ଧ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ, ଏକ ଆତ୍ମା। ଏହାକୁ ସୁରକ୍ଷା କରିବା ଏବଂ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହାକୁ ଜୀବିତ ରଖି, ପରିସ୍ଫୁଟ କରିବା କରିବା ଦିଗରେ ଶବରୀ ଭବନ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ କହିଥିଲେଯେ, ଭୁବନେଶ୍ୱରରେ ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ପ୍ରତିଷ୍ଠା କରାଯାଉଛି। ରାଜ୍ୟର ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ କଲ୍ୟାଣ ପାଇଁ ରେକର୍ଡ ୬୮ ହଜର ୮୮୧ କୋଟି ତାଙ୍କର ବିଶେଷ ପ୍ରାବଧାନ କରାଯାଇଛି। ନିୟମିତ କଲ୍ୟାଣକାରୀ ଯୋଜନା ବ୍ୟତୀତ ଏହି ଟଙ୍କା କେବଳ ତାଙ୍କ ପାଇଁ ଖର୍ଚ୍ଚ ହେବ। ଏହା ହେଉଛି ଆମ ସରକାରଙ୍କ ଜନଜାତିଙ୍କ ପାଇଁ ପ୍ରତିବଦ୍ଧତା। ମୁଁ ବିଶ୍ୱାସ କରେ – ଯେଉଁ ସମାଜ ତାଙ୍କର ମୂଳ ଚିହ୍ନକୁ ସମ୍ମାନ କରେ, ସେଇ ସମାଜ ତୀବ୍ର ଗତିରେ ଅଗ୍ରସର ହୁଏ। ଆମ ଆଦିବାସୀ ସମାଜ ଓଡ଼ିଶାର ଗର୍ବ, ଆମ ସଂସ୍କୃତିର ମୂଳ ଆଧାର। ଏହି ସମାଜକୁ ଆଗକୁ ଆଣିବା ପାଇଁ ମୁଁ ଏକ ଆଦିବାସୀ ସନ୍ତାନ ଭାବରେ ମୋ ସର୍ବଶକ୍ତି ଲଗାଇବି।
ସେ ପୁଣି କହିଥିଲେଯେ, ୨୦୩୬ ସୁଦ୍ଧା ଆମେ ଲକ୍ଷ୍ୟ ରଖିଛୁ ରାଜ୍ୟର ସର୍ବାଙ୍ଗୀନ ବିକାଶ, ସାମଗ୍ରିକ ଅଭିବୃଦ୍ଧି ଏବଂ ଜନଜାତି ସଶକ୍ତିକରଣ ଜରିଆରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ। ସମୃଦ୍ଧ ଓଡିଶା ଗଠନ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ରାଜ୍ୟର ୨୪ ପ୍ରତିଶତ ଜନଜାତି। ୨୦୩୬ ସୁଦ୍ଧା ଏହି ସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ୩୬ଟି ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହାକୁ କୁହାଯାଉଛି ‘୩୬ ପାଇଁ ୩୬’ । ରାଜ୍ୟର ଡବଲ ଇଞ୍ଜିନ ସରକାର ଏକ ବର୍ଷର ସଫଳ ଯାତ୍ରା ପୂରଣ କରି ସେହି କାର୍ଯ୍ୟକୁ ନୂତନ ବିଶ୍ଵାସ ନୂତନ ଶକ୍ତି ସହିତ ଜାରି ରଖିଛନ୍ତି। ଆଗାମୀ ଦିନରେ ବିକାଶର ଜୟଯାତ୍ରା ଆହୁରି ତ୍ୱରାନ୍ୱିତ ହେବ। ଏହି ବିକାଶ ଯାତ୍ରା ସମ୍ଭବ ହେବ ଯେତେବେଳେ ସରକାର, ଅଧିକାରୀ ଏବଂ ସାଧାରଣ ଜନତାଙ୍କ ଗୋଟିଏ ଲକ୍ଷ୍ୟ ହେବ, ‘କେବଳ ରାଜ୍ୟର ବିକାଶ’।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ସରକାର କେବଳ ଅବିଭକ୍ତ ନୁହେଁ, ସାରା ରାଜ୍ୟକୁ ସମତୁଲ ଭାବେ ବିକାଶ କରିବା ପାଇଁ ବଦ୍ଧପରିକର। ଏହି ଶବରୀ ଭବନ ଓଡ଼ିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ, ଓ ନୂଆ ପିଢ଼ି ପାଇଁ ଏକ ଅନୁପ୍ରେରଣା ରୂପେ ଦୀପ୍ତିମାନ ରହିବ।
ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରି ୨୦୦ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି। ଏଥିରୁ, ଦକ୍ଷିଣ ଓଡିଶା, ବିଶେଷ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶର ଗତି ଦ୍ରୁତତର ହେବ ଏବଂ ଏହି ବିକାଶର ଜୟଯାତ୍ରାରେ ଶବରୀ ଭବନର ଗୁରୁ ଦାୟିତ୍ୱ ରହିବ।
ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶବରୀ ସାଂସ୍କୃତିକ ପରିଷଦର ଉପ ସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।