ଶୁକ୍ରବାରରୁ ହେବ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହୋଇଛି। ପରୀକ୍ଷାରେ ମୋଟ ୬୪୯ ଛାତ୍ରୀଛାତ୍ର କପି କରି ଧରାପଡ଼ିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାରଠାରୁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଦୁଇଟି ପର୍ୟ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ୟ୍ୟାୟରେ ୨୨ରୁ ଏପ୍ରିଲ ୨ ପର୍ୟ୍ୟନ୍ତ ପ୍ରାୟ ୬,୫୦୦ ଶିକ୍ଷକ ଖାତା ଦେଖିବାକୁ ନିୟୋଜିତ ହୋଇଛନ୍ତି। ସେହିପରି ଏପ୍ରିଲ ୪ରୁ ୧୫ ପର୍ୟ୍ୟନ୍ତ ପ୍ରାୟ ୪ହଜାର ଶିକ୍ଷକ ଖାତାଦେଖିବେ। ଚଳିତବର୍ଷ ମଧ୍ୟ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌ଲାଇନରେ ହେବ। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ସାରି ମେ’ ୧୫ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ୩ଲକ୍ଷ ୮୬ହଜାର ୨୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଶୁକ୍ରବାରରୁ ହେବ ଯୁକ୍ତ୨ ପରୀକ୍ଷା  ଖାତା ମୂଲ୍ୟାୟନ