ସମାନ କାମ ପାଇଁ ସମାନ ଦରମା ଦାବୀ କରିବା ନିରର୍ଥକ - ସୁପ୍ରିମ୍‌କୋର୍ଟ...

Sep 20, 2026 - 08:29
 3
ସମାନ କାମ ପାଇଁ ସମାନ ଦରମା ଦାବୀ କରିବା ନିରର୍ଥକ -  ସୁପ୍ରିମ୍‌କୋର୍ଟ...

ସମାନ କିମ୍ବା ଏକାପ୍ରକାରର କାର୍ଯ୍ୟ କରିବା ଦ୍ୱାରା ଜଣେ କର୍ମଚାରୀ ସମାନ ଦରମା ପାଇବା ପାଇଁ ହକ୍ଦାର ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି। 

କୋର୍ଟଙ୍କ ମତ ଅନୁଯାୟୀ, ସମାନ କାର୍ଯ୍ୟ କରିବାର ଅର୍ଥ ସମାନ ମୂଲ୍ୟର କାର୍ଯ୍ୟ କରିବା ନୁହେଁ। 

ଦରମା ସମାନତା ଦାବି କରିବା ପାଇଁ କେବଳ କାର୍ଯ୍ୟର ସମାନତା ଯଥେଷ୍ଟ ନୁହେଁ, ବରଂ ନିଯୁକ୍ତିର ଉତ୍ସ, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା, ନିଯୁକ୍ତି ପ୍ରକ୍ରିୟା ଏବଂ ଦାୟିତ୍ୱ ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ପରି ବିଭିନ୍ନ ଦିଗରେ ବ୍ୟାପକ ସମାନତା ପ୍ରମାଣିତ କରିବାକୁ ପଡ଼ିବ।

ବିଚାରପତି ଦୀପଙ୍କର ଦତ୍ତ ଏବଂ ବିଚାରପତି ଶୀଲ ନାଗୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ପ୍ରକାଶିତ ଏହି ରାୟରେ ସ୍ପଷ୍ଟ କରିଛନ୍ତି ଯେ କେବଳ କାର୍ଯ୍ୟାତ୍ମକ ସମାନତା ଆଉ ଯଥେଷ୍ଟ ନୁହେଁ। 

କେରଳର ସରକାରୀ ସାହାଯ୍ୟପ୍ରାପ୍ତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କନିଷ୍ଠ ଶିକ୍ଷକମାନଙ୍କ ଦରମା ବିବାଦକୁ ନେଇ ଏହି ଆଦେଶ ଆସିଛି। 

୧୯୯୮ର ଏକ ସରକାରୀ ଆଦେଶ ଅନୁଯାୟୀ ସିଧାସଳଖ ନିଯୁକ୍ତ ହୋଇଥିବା ଏହି ଶିକ୍ଷକମାନେ, ବଦଳି କିମ୍ବା ପଦୋନ୍ନତି ମାଧ୍ୟମରେ ଆସିଥିବା ଶିକ୍ଷକଙ୍କ ଭଳି ପୂର୍ଣ୍ଣକାଳୀନ ଦରମା ଓ ଭତ୍ତା ଦାବି କରିଥିଲେ।

ସେମାନଙ୍କର ଯୋଗ୍ୟତା, କର୍ତ୍ତବ୍ୟ ଓ ଦାୟିତ୍ୱ ସମାନ ବୋଲି ଦର୍ଶାଯାଇଥିଲା। 

ତେବେ ପଦୋନ୍ନତିପ୍ରାପ୍ତ ଶିକ୍ଷକଙ୍କ ଅଧିକ ଅଭିଜ୍ଞତାକୁ ଏକ ବୈଧ କାରଣ ଭାବେ ଗ୍ରହଣ କରି ସୁପ୍ରିମକୋର୍ଟ ଦରମା ପାର୍ଥକ୍ୟକୁ କାୟମ ରଖିଛନ୍ତି। 

ଏହି ଆଧାରରେ ସୁପ୍ରିମକୋର୍ଟ ସିଧାସଳଖ ନିଯୁକ୍ତ ଶିକ୍ଷକଙ୍କ ନିବେଦନକୁ ଖାରଜ କରିଦେଇଛନ୍ତି। 

ଏହାସହ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିଥିବା କେରଳ ଉଚ୍ଚ ନ୍ୟାୟାଳୟଙ୍କ ୨୦୧୧ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି।