ଅଚ୍ୟୁତ ସାମନ୍ତଙ୍କୁ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ଜାମସେଦ୍ପୁରରୁ
୭୯ତମ ସମ୍ମାନସୂଚକ ଡକ୍ଟରେଟ୍...
ଶିକ୍ଷାବିତ୍, ସମାଜସେବୀ ତଥା କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କୁ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ଜାମସେଦ୍ପୁର ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ରବିବାର ଅନୁଷ୍ଠିତ ଏନ୍ଆଇଟି, ଜାମସେଦ୍ପୁରର ୧୬ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ନିଟ୍, ଜାମସେଦପୁର ବୋର୍ଡ଼ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ସୁନୀଲ ଆଲାଗାହା, ନିର୍ଦ୍ଦେଶକ ପ୍ରଫେସର ଗୌତମ ସୂତ୍ରଧର, ପୂର୍ବତନ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ସତ୍ୟପଲ୍ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ନୀତି ଆୟୋଗ ସଦସ୍ୟ ଗୋବର୍ଦ୍ଧନ ଦାସ ଏହି ସମ୍ମାନ ଶ୍ରୀ ସାମନ୍ତଙ୍କୁ ପ୍ରଦାନ କରିଥିଲେ।
ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୯ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା, ସମାଜସେବା ଓ ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ସମ୍ମାନ ପାଇବା ପରେ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି ଏନ୍ଆଇଟି ଭଳି ଦେଶର ଏକ ସମ୍ମାନଜନକ ଶିକ୍ଷାନୁଷ୍ଠାନରୁ ସମ୍ମାନସୂଚକ ଡକ୍ଟରେଟ୍ ପାଇବା ତାଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଏହି ସମ୍ମାନ ତାଙ୍କୁ ଶିକ୍ଷା, ସମାଜସେବା ଓ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।
କିଟ୍ ଓ କିସ୍ ମାଧ୍ୟମରେ ସେ ଯେଉଁ କାର୍ଯ୍ୟ କରୁଛନ୍ତି ତାକୁ ସ୍ୱୀକୃତି ପ୍ରଦାନ କରାଯାଇଥିବାରୁ ସେ ଏନ୍ଆଇଟି, ଜାମସେଦ୍ପୁରର ଜାମସେଦପୁର ବୋର୍ଡ଼ ଅଫ୍ ଗଭର୍ଣ୍ଣର୍ସ, ନିର୍ଦ୍ଦେଶକ ପ୍ରଫେସର ସୁଧାକର ଓ ଏନ୍ଆଇଟି, ଜାମସେଦପୁରର ସମଗ୍ର ପରିବାରକୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ଶ୍ରୀ ସାମନ୍ତ ଡିଗ୍ରୀଧାରୀ ସ୍ନାତକ ଓ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଡିଗ୍ରୀଧାରୀ ସ୍ନାତକମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଶ୍ରୀ ସାମନ୍ତ ଶନିବାର ଜାମସେଦ୍ପୁରରେ ପହଞ୍ଚିବା ପରେ ସେଠାରେ ଟାଟା ଷ୍ଟିଲ୍ ଓ ଉତ୍କଳ ଆସୋସିଏସନ୍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଟାଟା ଷ୍ଟିଲ୍ର ଦୁଇ ଉପସଭାପତି ଡି. ବି. ସୁନ୍ଦର ରାମମ୍ ଓ ଉଜ୍ଜ୍ୱଳ ଚକ୍ରବର୍ତ୍ତୀ, ଆରଏସବିର ଉପାଧ୍ୟକ୍ଷ ଏସ୍. କେ. ବେହେରା ଏବଂ ଜାମସେଦପୁରର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସେହିପରି ଜାମସେଦ୍ପୁର ଉତ୍କଳ ଆସୋସିଏସନ୍ ପକ୍ଷରୁ ମଧ୍ୟ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉତ୍କଳ ଆସୋସିଏସନ୍ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଜାମସେଦ୍ପୁରରେ ରହୁଥିବା ବହୁ ଓଡ଼ିଆ ଲୋକ ଉପସ୍ଥିତ ଥିଲେ।