‘ସୁଜଳ’ ଅଭିଯାନର ଶୁଭାରମ୍ଭ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର...
ଅକ୍ଟୋବର ୨ରୁ ୧୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଅଭିଯାନ
ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି ।
ଭୁବନେଶ୍ୱରରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନର ଉଦ୍ଘାଟନ କରିଛନ୍ତି । ଅକ୍ଟୋବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ ।
ବିଭାଗ ଅଧୀନସ୍ଥ ୱାଟକୋ ଦ୍ୱାରା ଆୟୋଜିତ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଜଳର ଅପଚୟ ରୋକିବା, ଉପଲବ୍ଧ ଜଳସମ୍ପଦର ସୁରକ୍ଷା କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା।
“ଜଳ ସଂରକ୍ଷଣ—ଆଜିର ଆବଶ୍ୟକତା, ଭବିଷ୍ୟତ ପିଢ଼ିର ଭାଗ୍ୟ” ବାର୍ତ୍ତାକୁ ଆଧାର କରି ଏହି ଅଭିଯାନ ମାଧ୍ୟମରେ ଜଳର ସୁବିନିଯୋଗ ଓ ସଂରକ୍ଷଣ ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରାଯିବ ।
ନିରାପଦ ପାନୀୟ ଜଳ ଓ ଜନସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦେଇ ଅଭିଯାନରେ “ଦୂଷିତ ଜଳ ବିଭିନ୍ନ ରୋଗର କାରଣ” ବାର୍ତ୍ତା ପ୍ରଚାର କରାଯିବ। ଦୂଷିତ ଜଳ ବ୍ୟବହାର ଦ୍ୱାରା ଝାଡ଼ାବାନ୍ତି, ଆମାଶୟ, ଟାଇଫଏଡ୍ ଓ ଜଣ୍ଡିସ୍ ଭଳି ରୋଗ ହେବାର ଆଶଙ୍କା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ ।
ପାନୀୟ ଜଳକୁ ପରିଷ୍କାର ଓ ଘୋଡଣୀ ଯୁକ୍ତ ପାତ୍ରରେ ରଖିବା, ଜଳ ଉତ୍ସଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ଘରୋଇ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଜଳ ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ କେତେକ ସରଳ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ଆବଶ୍ୟକ ନଥିବା ସମୟରେ ଟ୍ୟାପ୍ ବନ୍ଦ ରଖିବା, ଜଳ ଯୋଗାଣ ପାଇପ୍ରେ ଲିକେଜ୍ ହେଲେ ତୁରନ୍ତ ମରାମତି କରିବା ଏବଂ ନଦୀ, ପୋଖରୀ, ନଳକୂପ ଆଦି ଜଳଉତ୍ସ ନିକଟରେ ଆବର୍ଜନା ନ ପକାଇବା ଏହି ପଦକ୍ଷେପଗୁଡ଼ିକର ଅନ୍ତର୍ଭୁକ୍ତ ।
ଏଥିସହ ବର୍ଷାଜଳ ଅମଳ ଓ ଏହାର ପୁନଃବ୍ୟବହାରକୁ ପ୍ରୋତ୍ସାହିତ କରିବା, ଘରର ଓଭରହେଡ୍ ଜଳଟାଙ୍କି ଓ ଭୂତଳ ଜଳ ସଂରକ୍ଷଣ ଟାଙ୍କିକୁ ନିୟମିତ ସଫା କରିବା ଏବଂ ପାନୀୟ ଜଳର ଗୁଣବତ୍ତା ବଜାୟ ରଖିବା ଉପରେ ମଧ୍ୟ ସଚେତନ କରାଯିବ । ଏହାଦ୍ୱାରା ଜଳର ଅପଚୟ ହ୍ରାସ ପାଇବା ସହ ଜଳ ଦୂଷିତ ହେବାର ଆଶଙ୍କା ମଧ୍ୟ କମିବ ।
ଜଳ ଯୋଗାଣ ଆମର ଦାୟିତ୍ୱ, ଜଳ ସଂରକ୍ଷଣ ଆପଣଙ୍କ କର୍ତ୍ତବ୍ୟ—ଏହି ଅଭିଯାନର ମୂଳମନ୍ତ୍ର ଜଳ ସଂରକ୍ଷଣରେ ସରକାର ଓ ନାଗରିକଙ୍କ ସାମୂହିକ ଦାୟିତ୍ୱକୁ ପ୍ରତିଫଳିତ କରୁଛି।
ନାଗରିକଙ୍କୁ ନିୟମିତ ଓ ନିରାପଦ ଜଳ ଯୋଗାଣ କରିବା ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥିବାବେଳେ ଜଳର ଅପଚୟ ରୋକିବା ଓ ଏହାର ସୁବିନିଯୋଗ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ।
ଜଳ ଯୋଗାଣ ସମ୍ପର୍କିତ ସମସ୍ୟା ଓ ଅଭିଯୋଗର ଜଣାଣୁଣି ତଥା ସମାଧାନ ପାଇଁ ନାଗରିକମାନେ ବିଭାଗର ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ୧୫୫୩୫୯ ଏବଂ ୧୮୦୦-୧୨୧୬-୮୩୩ ରେ ଯୋଗାଯୋଗ କରିପାରିବେ ।
ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ ।
ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନର ଇଞ୍ଜିନିୟର-ଇନ୍-ଚିଫ୍ ଶ୍ରୀ ବିଳାସ ବେହେରା ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଓଡ଼ିଶା ସରକାରଙ୍କ ପକ୍ଷରୁ ‘ସୁଜଳ’ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ଜଳ ସଂରକ୍ଷଣକୁ ଜୀବନଶୈଳୀର ଅଂଶ କରିବାକୁ ସମସ୍ତ ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି ।
ଜଳର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ସ୍ୱଚ୍ଛତା ଓ ସାମୂହିକ ଜନସହଭାଗିତା ମାଧ୍ୟମରେ ଜନସ୍ୱାସ୍ଥ୍ୟର ସୁରକ୍ଷା ସହ ମୂଲ୍ୟବାନ ଜଳସମ୍ପଦର ସଂରକ୍ଷଣ କରିବା ଏବଂ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ସ୍ୱଚ୍ଛ, ସୁସ୍ଥ ଓ ସ୍ଥାୟୀ ସହର ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।