ଶ୍ରଦ୍ଧାଳୁଙ୍କ ଗାଡ଼ି ଦୁର୍ଘଟଣା ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

Feb 24, 2024 - 17:06
 6
ଶ୍ରଦ୍ଧାଳୁଙ୍କ ଗାଡ଼ି ଦୁର୍ଘଟଣା ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ଉତ୍ତର ପ୍ରଦେଶରେ ଟ୍ରାକ୍ଟର-ଟ୍ରଲି ପୋଖରୀରେ ଖସିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ଅତି କମରେ ୨୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା।

ସୂଚନା ଅନୁସାରେ, ଜେଥରାରୁ କିଛି ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ଼ ପକାଇବା ପାଇଁ ଟ୍ରାକ୍ଟରରେ ଆସୁଥିଲେ।ଏହି ସମୟରେ ପଟିଆଲିର କାଦରଗଞ୍ଜ ରୋଡ ନିକଟରେ ହଠାତ୍‌ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିଥିଲା। ଫଳରେ ଟ୍ରାକ୍ଟର ଟ୍ରଲି ସମେତ ଶ୍ରଦ୍ଧାଳୁମାନେ ପାଣିରେ ବୁଡି ଯାଇଥିଲେ।

ଏଥିରେ ୭ ଜଣ ଛୋଟ ଛୁଆଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।