GST ପରିସର ଭିତରେ ଆସିବ ପେଟ୍ରୋଲ ଓ ଡିଜେଲ୍ !

May 24, 2026 - 09:33
 6
GST ପରିସର ଭିତରେ ଆସିବ ପେଟ୍ରୋଲ ଓ ଡିଜେଲ୍  !

ପ୍ରଧାନମନ୍ତ୍ରୀଙ୍କୁ ଆସିଲା ଚିଠି, କାର୍ଯ୍ୟକାରୀ ହେଲେ ପୂରା ଶସ୍ତା ହୋଇଯିବ ତେଲ

ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆଶ୍ଵସ୍ତିର ଖବର। 

କେନ୍ଦ୍ର ସରକାର ଏବେ ରାଜ୍ୟଗୁଡ଼ିକ ସହ ମିଶି ପେଟ୍ରୋଲ ଏବେ ଡିଜେଲ ଦର କମାଇବା ପାଇଁ ବଡ଼ ପ୍ରସ୍ତୁତି ଚଳାଇଛନ୍ତି। 

କେନ୍ଦ୍ର ସରକାର ନିଜ ଆଡ଼ୁ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) କମାଇବା ପରେ, ଏବେ ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କର ଭ୍ୟାଟ୍ (VAT) କମାଇବା ପାଇଁ ଅପିଲ୍ କରିବାକୁ ଯାଉଛନ୍ତି। 

ଏହାଦ୍ଵାରା ବିଶେଷ କରି ବିଜେପି ଶାସିତ ୨୨ଟି ରାଜ୍ୟରେ ତେଲ ଦର କମିବାର ସମ୍ପୂର୍ଣ୍ଣ ସମ୍ଭାବନା ଦେଖାଦେଇଛି।

ଇରାନ ଯୁଦ୍ଧ କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (Crude Oil) ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଏହାର ଦାମ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। 

ଏହି ସଙ୍କଟ ସମୟରେ ଦେଶର ଉପଭୋକ୍ତାଙ୍କ ଉପରୁ ମହଙ୍ଗା ବୋଝ କମାଇବା ପାଇଁ ନିକଟରେ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ କମିଟି (Empowered Group of Secretaries) ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଏହି ବୈଠକରେ ଆଲୋଚନା ହୋଇଛି ଯେ, ବର୍ଦ୍ଧିତ କଞ୍ଚା ତେଲର ପ୍ରଭାବକୁ ରୋକିବା ପାଇଁ ରାଜ୍ୟଗୁଡ଼ିକ ଦ୍ଵାରା ଭ୍ୟାଟ୍ (VAT) କମାଯିବା ଅତ୍ୟନ୍ତ ଜରୁରୀ।

ଗତ ମାସରେ ହିଁ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମାଇଥିଲେ। ବର୍ତ୍ତମାନ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା କମାଯାଇ ସମ୍ପୂର୍ଣ୍ଣ 'ଶୂନ' କରାଯାଇଛି। 

ସେହିପରି ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩ ଟଙ୍କା ହ୍ରାସ କରାଯାଇଛି। ଏହି ରିହାତି ପରେ ମଧ୍ୟ ଅନ୍ତର୍ଜାତୀୟ ଚାପ ଯୋଗୁ ପେଟ୍ରୋଲ ଓ ଡିଜେଲ ଦରରେ ୩.୯୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଥିଲା।

କେନ୍ଦ୍ର ସରକାର ଟ୍ୟାକ୍ସ କମାଇଥିଲେ ମଧ୍ୟ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ ଆଶ୍ଵାସନା ମିଳିପାରି ନାହିଁ। କାରଣ ତେଲ ବିପଣନ କମ୍ପାନୀଗୁଡ଼ିକ (OMCs) ଏବେ ମଧ୍ୟ ବଡ଼ ଆର୍ଥିକ କ୍ଷତି ସହୁଛନ୍ତି। ଉତ୍ପାଦନ ଖର୍ଚ୍ଚ ତୁଳନାରେ କମ୍ ଦାମରେ ତେଲ ବିକ୍ରି କରୁଥିବାରୁ କମ୍ପାନୀଗୁଡ଼ିକୁ ପ୍ରତିଦିନ ୭୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ ଆଗାମୀ ଦିନରେ ତେଲର ବେସ୍ ପ୍ରାଇସ୍ (Base Price) ବଢ଼ିବାର ଆଶଙ୍କା ରହିଛି।

ତେଲ ଉପରେ ଭ୍ୟାଟ୍ 'ଏଡ୍ ଭାଲୋରେମ୍' (Ad Valorem) ଅର୍ଥାତ୍ ମୂଲ୍ୟର ପ୍ରତିଶତ ଆଧାରରେ ଲାଗିଥାଏ। ତେଣୁ ତେଲ ଦର ବଢ଼ିବା ମାତ୍ରେ ରାଜ୍ୟଗୁଡ଼ିକର ଟ୍ୟାକ୍ସ କଲେକ୍ସନ ଆପେ ଆପେ ବଢ଼ିଯାଏ। 

ଏଣୁ ରାଜ୍ୟଗୁଡ଼ିକ ଯଦି ଭ୍ୟାଟ୍ ସେମାନଙ୍କ ପକ୍ଷରୁ ସାମାନ୍ୟ କମାନ୍ତି, ତେବେ ସେମାନଙ୍କର ମୋଟ ରାଜସ୍ୱ (Total Revenue) ଉପରେ ବିଶେଷ ଖରାପ ପ୍ରଭାବ ପଡ଼ିବ ନାହିଁ।

ତେଲ ଟ୍ୟାକ୍ସ ମାଧ୍ୟମରେ ମହାରାଷ୍ଟ୍ର ସବୁଠାରୁ ଅଧିକ ୩୬,୯୯୨ କୋଟି ଟଙ୍କା ଏବଂ ଉତ୍ତର ପ୍ରଦେଶ ୩୧,୨୧୪ କୋଟି ଟଙ୍କା ରୋଜଗାର କରିଛନ୍ତି। ସେହିପରି ତେଲଗାଙ୍ଗାନାରେ ତେଲ ଉପରେ ସବୁଠାରୁ ଅଧିକ ଟ୍ୟାକ୍ସ ଲାଗିଥାଏ। ସେହିପରି ଆମ ରାଜ୍ୟ ଓଡ଼ିଶା ମଧ୍ୟ ପେଟ୍ରୋଲ ଉପରେ ୨୮% ଓ ଡିଜେଲ ଉପରେ ୨୪% ଭାଟ୍ ନେଉଛି।

ବର୍ତ୍ତମାନ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ରାଜ୍ୟମାନଙ୍କୁ ଭ୍ୟାଟ୍ କମାଇବାକୁ ଆନୁଷ୍ଠାନିକ ଭାବେ ଅପିଲ୍ କରିପାରନ୍ତି। 

ଯଦି ରାଜ୍ୟଗୁଡ଼ିକ ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ, ଯାହା ସାଧାରଣ ଖାଉଟିଙ୍କ ପକେଟକୁ ବଡ଼ ଆଶ୍ଵାସନା ଦେବ।

ତେବେ ବର୍ତ୍ତମାନ ଦେଶରେ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ସରକାର ରହିଛି। ଯଦି ବିଜେପି ଶାସିତ ରାଜ୍ୟଗୁଡ଼ିକ ଭାଟ କମାନ୍ତି ତେବେ ତୈଳ ଦର ରାଜ୍ୟ ଅନୁସାରେ ଭିନ୍ନ ବିନ୍ନ ହୋଇପାରେ। 

୨୦୨୨ ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ମଧ୍ୟ କେନ୍ଦ୍ର ସରକାର ଏଭଳି ଆହ୍ୱାନ ଦେଇଥିଲେ। ଏଥିରେ କିଛି ବିଜେପି ଶାସିତ ରାଜ୍ୟ ଭାଟ କମାଇଥିଲେ।

ତେବେ ଅଧିକାରୀଙ୍କ କହିବା ଅନୁଯାୟୀ, ବିଜେପି ଶାସିତ ରାଜ୍ୟଗୁଡ଼ିକ ଡିଜେଲ ଉପରେ ଟିକସ ହ୍ରାସ କରିବା ବିଷୟରେ ପ୍ରଥମେ ବିଚାର କରିପାରନ୍ତି। କାରଣ ଡିଜେଲ କୋର୍ ସେକ୍ଟର ବ୍ୟବହାର କରାଯାଉଛି। 

ଭାରତ ବାର୍ଷିକ ପ୍ରାୟ ୯୪.୭ ମିଲିଅନ ଟନ୍ ଡିଜେଲ ବ୍ୟବହାର କରେ, ଯାହା ଅନ୍ୟ ଯେକୌଣସି ପେଟ୍ରୋଲିୟମ୍ ଉତ୍ପାଦ ତୁଳନାରେ ବହୁତ ଅଧିକ। ପେଟ୍ରୋଲ ମୁଖ୍ୟତଃ ବ୍ୟକ୍ତିଗତ ଯାନବାହାନ ପାଇଁ ବ୍ୟବହୃତ ହେଉଥିବା ବେଳେ ଡିଜେଲ ପରିବହନ, କୃଷି ଏବଂ ଶିଳ୍ପରେ ବ୍ୟବହୃତ ହୁଏ। 

ଯଦି ଡିଜେଲ ଶସ୍ତା ହୁଏ, ତେବେ ମାଲ ପରିବହନ ଖର୍ଚ୍ଚ ଶସ୍ତା ହେବ, ଯାହା ଫଳରେ ଦୈନନ୍ଦିନ ଜିନିଷପତ୍ରର ମୂଲ୍ୟ ହ୍ରାସ ପାଇବ।

ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦରକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। 

ତେଣୁ ବ୍ୟବସାୟୀମାନଙ୍କର ପ୍ରମୁଖ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (CTI) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛି। ପେଟ୍ରୋଲ ଓ ଡିଜେଲକୁ ତୁରନ୍ତ GST ପରିସରକୁ ଆଣିବା ପାଇଁ CTI ଦାବି କରିଛି। ପୂର୍ବରୁ ମଧ୍ୟ ଏଭଳି ଦାବି ଅନେକ ଥର ହୋଇସାରିଛି। 

ହେଲେ ବର୍ତ୍ତମାନର ସଂକଟ ସମୟରେ ଯଦି ଏଭଳି ବ୍ୟବସ୍ଥା ହେଲା ତେବେ ତେଲ ଦରରେ ବଡ଼ ହ୍ରାସ ଘଟିପାରେ।

ମହଙ୍ଗା ମାଡ଼ରୁ କେବେ ମିଳିବ ମୁକ୍ତି? କେବେ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ୍? ଏହି ପ୍ରଶ୍ନ ଭିତରେ ବ୍ୟବସାୟୀ ସଂଗଠନ CTI ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରସ୍ଥ ହୋଇଛି। 

CTI ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଏବଂ ସଭାପତି ସୁଭାଷ ଖଣ୍ଡେଲୱାଲ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କରିଛନ୍ତି ଯେ, ଆଗାମୀ GST କାଉନସିଲ୍ ବୈଠକରେ ପେଟ୍ରୋଲ ଏବଂ ଡିଜେଲକୁ GST ପରିସରଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଉ।

ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ୍ ଉପରେ କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଏବଂ ରାଜ୍ୟ ସରକାରମାନେ ଭାଟ୍ (VAT) ଆଦାୟ କରୁଛନ୍ତି। ଯେଉଁ କାରଣରୁ ଭିନ୍ନ ଭିନ୍ନ ରାଜ୍ୟରେ ତେଲ ଦର ଅଲଗା ରହୁଛି ଏବଂ ଜନତାଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡୁଛି। 

CTI ର କହିବା କଥା, ଯଦି ପେଟ୍ରୋଲ-ଡିଜେଲକୁ GST ର ସର୍ବୋଚ୍ଚ ସ୍ଲାବ୍ ଅର୍ଥାତ୍ ୨୮% GST ଅଧୀନକୁ ଅଣାଯାଏ, ତେବେ ମଧ୍ୟ ବର୍ତ୍ତମାନର ଦର ତୁଳନାରେ ଏହା ବହୁତ ଶସ୍ତା ହୋଇଯିବ।

ବ୍ୟବସାୟୀଙ୍କ ମତରେ, ଡିଜେଲ୍ ଦର ବଢ଼ିବା ଯୋଗୁ ସାମଗ୍ରୀ ପରିବହନ (Transportation Cost) ମହଙ୍ଗା ହେଉଛି। ଏହାର ସିଧାସଳଖ ପ୍ରଭାବ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ଓ ପରିବା ଦର ଉପରେ ପଡ଼ୁଛି। 

ଯଦି ଇନ୍ଧନ GST ପରିସରକୁ ଆସେ, ତେବେ କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଦେଶର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ର ମଧ୍ୟ ବଡ଼ ଆଶ୍ୱସ୍ତି ପାଇବେ।

ଏନେଇ CTI ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛୁ କି ପେଟ୍ରୋଲ ଓ ଡିଜେଲକୁ GST ପରିସରକୁ ଅଣାଯାଉ। ଏହାଦ୍ୱାରା ବ୍ୟବସାୟୀ ଏବଂ ଜନତାଙ୍କ ଉପରୁ ଟ୍ୟାକ୍ସ ବୋଝ କମିବ। 

କେନ୍ଦ୍ର ଓ ରାଜ୍ୟ ମିଶି ଏହା ଉପରେ ସହମତି ପ୍ରକାଶ କରିବା ଉଚିତ୍, ଯାହାଦ୍ୱାରା ଦେଶର ଅର୍ଥନୀତି ଆହୁରି ମଜବୁତ ହେବ।

ତେବେ CTI ର ଏହି ଚିଠି ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଆଗାମୀ GST କାଉନସିଲ୍ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ତେବେ ପେଟ୍ରୋଲ ଓ ଡିଜେଲ୍ GST ଅଧୀନକୁ ଆସିଲେ ରାଜ୍ୟଗୁଡ଼ିକର ରାଜସ୍ୱ ହ୍ରାସ ପାଇବା ଆଶଙ୍କା ରହିଛି। 

ତେଣୁ ଏହା ଉପରେ ସବୁ ରାଜ୍ୟର ସହମତି ନିହାତି ଜରୁରୀ। କିନ୍ତୁ ବ୍ୟବସାୟୀଙ୍କ ଏହି ଦାବି ସାଧାରଣ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶା ସଞ୍ଚାର କରିଛି।

ତୈଳ ସଂକଟ ମଧ୍ୟରେ ବିଶ୍ୱ ସମେତ ଭାରତରେ ମଧ୍ୟ ଇଲେକ୍ଟ୍ରିକ ଭେଇକଲର ଚାହିଦା ବଢ଼ିଯାଇଛି। ବଢ଼ୁଥିବା ତେଲ ଦର ଯୋଗୁ ଲୋକେ ଏବେ ପାରମ୍ପରିକ ଗାଡ଼ି ଛାଡ଼ି ଇଲେକ୍ଟ୍ରିକ ଗାଡ଼ି ଆଡ଼କୁ ମୁହାଁଉଛନ୍ତି। 

'ବେଞ୍ଚମାର୍କ ମିନେରାଲ୍ ଇଣ୍ଟେଲିଜେନ୍ସ' (BMI) ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ଵ ବଜାରରେ କ୍ରମାଗତ ଦ୍ଵିତୀୟ ମାସ ପାଇଁ ଇଭି ଗାଡ଼ିର ଚାହିଦା ବୃଦ୍ଧି ପାଇଛି। ସେପଟେ ଡିମାଣ୍ଡକୁ ଦେଖି ଭାରତୀୟ କମ୍ପାନୀଗୁଡ଼ିକ ଏବେ ଇଭି ପ୍ରଡକ୍ସନ ବଢ଼ାଇବାକୁ ଆଗଭର ହେଉଛନ୍ତି।

ପଶ୍ଚିମ ଏସିଆ ସଂକଟ ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ଲୋକେ ଏବେ ଇଳେକ୍ଟ୍ରିକ ଗାଡ଼ି ମୁହାଁ ହେଲେଣି। 

ଏହା ସହିତ ବିଭିନ୍ନ ଦେଶର ସରକାରୀ ପ୍ରୋତ୍ସାହନ (Policy Incentives) ଏବଂ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ଦ୍ଵାରା ଶସ୍ତା ତଥା ଅଧିକ ମାଇଲେଜ୍ ଦେଉଥିବା ନୂଆ ନୂଆ EV ମଡେଲ୍ ବଜାରକୁ ଆସିବାରୁ ଏହାର ଚାହିଦାକୁ ଆହୁରି ବଢ଼ି ଯାଇଛି। ତେଣୁ ସାରା ବିଶ୍ୱରେ ଇଭି ବିକ୍ରିରେ ବୃଦ୍ଧି ପାଇଛି।।

ରିପୋର୍ଟ ଅନୁସାରେ, ବିଶ୍ଵ ସ୍ତରରେ ବ୍ୟାଟେରୀ-ଇଲେକ୍ଟ୍ରିକ (BEV) ଏବଂ ପ୍ଲଗ୍-ଇନ୍ ହାଇବ୍ରିଡ୍ (PHEV) ଗାଡ଼ିର ପଞ୍ଜୀକରଣ ବାର୍ଷିକ ଆଧାରରେ ୬% ବୃଦ୍ଧି ପାଇଛି। ଏପ୍ରିଲ୍ ମାସରେ ସାରା ବିଶ୍ଵରେ ମୋଟ ୧.୬ ମିଲିୟନ (୧୬ ଲକ୍ଷ) EV ଗାଡ଼ି ବିକ୍ରି ହୋଇଛି। 

ବାର୍ଷିକ ତୁଳନାରେ ବିକ୍ରି ବଢ଼ିଥିଲେ ମଧ୍ୟ, ମାର୍ଚ୍ଚ ମାସର ରେକର୍ଡ ବିକ୍ରି ତୁଳନାରେ ଏପ୍ରିଲରେ ମାସିକ ବିକ୍ରି ପ୍ରାୟ ୯% ହ୍ରାସ ପାଇଛି। 

BMI ରିପୋର୍ଟ ଅନୁଯାୟୀ, ସାରା ବିଶ୍ଵରେ ଇଭି ବଜାରର ଚିତ୍ର ସବୁ ସ୍ଥାନରେ ସମାନ ନାହିଁ। 

ବିଭିନ୍ନ ଦେଶର ସରକାରୀ ନୀତି ଯୋଗୁ ଏଥିରେ ଭିନ୍ନତା ଦେଖିବାକୁ ମିଳିଛି। ଇଭି ସେଲ୍ରେ ୟୁରୋପରେ ସବୁଠାରୁ ବଡ଼ ଜମ୍ପ ଦେଖିବାକୁ ମିଳିଛି। ଏଠାରେ ଇଭି ବିକ୍ରି ୨୭ ପ୍ରତିଶତ ବଢ଼ିଛି।

ସେହିପରି ଭାରତ କଥା ଦେଖିଲେ ବାହାନ (VAHAN) ଡାଟା ଅନୁଯାୟୀ, ଦେଶର ମୋଟ ଅଟୋ ବଜାରରେ EV ର ମାର୍କେଟ ଶେୟାର ଫେବୃଆରୀ ମାସର ୩.୫% ରୁ ବଢ଼ି ମାର୍ଚ୍ଚ ସୁଦ୍ଧା ୫.୧% ରେ ପହଞ୍ଚିଛି। 

ବାର୍ଷିକ ଆଧାରରେ ମାର୍ଚ୍ଚ ମାସରେ ଇଭି ଗାଡ଼ିର କିଣିବା ୬୮% ବୃଦ୍ଧି ପାଇ ୨୨,୪୯୯ ୟୁନିଟ୍ ଛୁଇଁଛି।

ବଜାରର ଏହି ସକାରାତ୍ମକ ମୁଡ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର 'ଡିଜେଲ-ପେଟ୍ରୋଲ ଉପରେ ନିର୍ଭରଶୀଳତା କମାଇବା' ଏବଂ 'ଶେୟାର୍ଡ ଟ୍ରାନ୍ସପୋର୍ଟକୁ ପ୍ରୋତ୍ସାହନ ଦେବା' ଅପିଲ୍ ପରେ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ବେଶ ଉତ୍ସାହିତ ଅଛନ୍ତି। 

ଡିମାଣ୍ଡ ପୂରଣ କରିବା ପାଇଁ ଏବେ କମ୍ପାନୀଗୁଡ଼ିତ ଇଭି ପ୍ରଡକ୍ସନ ଦିଗରେ କାମ ଆରମ୍ଭ କରିଦେଲେଣି। 

ବିଶେଷ କରି ଦୁଇ ଚକିଆ ଏବଂ ୪-ଚକିଆ ଇଭି ନିର୍ମାତାମାନେ ନୂଆ ଇଭି ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ସେଟଅପ୍ ଏବଂ କାରଖାନାଗୁଡ଼ିକର କ୍ଷମତା ବଢ଼ାଇବା ପାଇଁ ନିବେଶକୁ ବଢ଼ାଇଛନ୍ତି।

ତେବେ ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ବିଶ୍ଵ ଇଭି ବଜାର ସମ୍ପୂର୍ଣ୍ଣ ରୂପେ ଭୂ-ରାଜନୈତିକ ସ୍ଥିତି, ସରକାରୀ ନୀତି ଏବଂ ପେଟ୍ରୋଲ-ଡିଜେଲ ଦରର ଗତିବିଧି ଉପରେ ନିର୍ଭର କରିବ।

ଯଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଏମିତି ଜାରି ରହେ ଏବଂ ଇନ୍ଧନ ସଙ୍କଟ ଘନେଇବ, ତେବେ ଆଗାମୀ ଦିନରେ ଇଭି ଗାଡ଼ିର ବିକ୍ରି ସମସ୍ତ ରେକର୍ଡ ଭାଙ୍ଗିପାରେ।