ନିର୍ବାଚନ କମିଶନ ନେଇଥିବା ନିଷ୍ପତ୍ତି, ଭୋଟର ତାଲିକା ସଂଶୋଧନ ଦିଗରେ ଏକ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ- ମନ୍ତ୍ରୀ କିରଣ ରିଜଜୁ
ଭାରତର ନିର୍ବାଚନ କମିସନଙ୍କ ଦ୍ବାରା ଦ୍ବିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆଜି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ତାରିଖ ଘୋଷଣା କରାଯିବା ପରେ ଏହାକୁ ସ୍ବାଗତ କରିଛନ୍ତି କେନ୍ଦ୍ର ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।
ସ୍ବଚ୍ଛ ଏବଂ ବିଶ୍ବସନୀୟ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ଭୋଟର ତାଲିକାକୁ ସଫା କରିବା, ମୃତକମାନଙ୍କ ନାମକୁ ବାଦ୍ ଦେବା, ପଳାୟନ କରିଥିବା ବ୍ୟକ୍ତି ଏବଂ ବିଦେଶୀ ଅନୁପ୍ରବେଶକାରୀଙ୍କୁ ବାଦ୍ ଦେବା କ୍ଷେତ୍ରରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ।
ବିରୋଧୀ ଦଳଗୁଡ଼ିକ ବୁଝିବା ଦରକାର ନିର୍ବାଚନ କମିସନ ଭଲ କାର୍ଯ୍ୟ କରୁଛନ୍ତି।
ଏହାକୁ ପ୍ରଶଂସା କରାଯିବା ଆବଶ୍ୟକ, ଚାଲେଞ୍ଜ ନୁହେଁ ବୋଲି ରିଜିଜୁ କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି ବିହାରର ଏସ୍ଆଇଆର୍ ପରେ ଆମେ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିସନ ଦେଇନାହାନ୍ତି।
ନିର୍ବାଚନ କମିସନ ଏବଂ ବିଜେପିର ଉଦ୍ଦେଶ୍ୟ ଠିକ୍ ନଥିବାରୁ ସୁପ୍ରିମକୋର୍ଟ ଏକାଧିକ ଥର ବିହାର ଏସ୍ଆଇଆର୍ ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ।
ବିହାରରେ ୬୫ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଥିବାବେଳେ ଜଣେ ହେଲେ ଭୋଟରଙ୍କୁ ସାମିଲ କରାଯାଇ ନାହିଁ।
ବିରୋଧୀ ଦଳ ଏବଂ ଭୋଟରମାନେ ଅସନ୍ତୁଷ୍ଟ ଥିବାବେଳେ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏସ୍ଆଇଆର୍ କରିବା ଠିକ୍ ନୁହେଁ ବୋଲି ଖେଡ଼ା କହିଛନ୍ତି।
ସେହିଭଳି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ କହିଛନ୍ତି ତାଙ୍କ ରାଜ୍ୟ ପାଇଁ ଏସ୍ଆଇଆର୍ ଘୋଷଣା କରାଯାଇଛି।
କିନ୍ତୁ ବିହାରରେ କେତେଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି ନିର୍ବାଚନ କମିସନ ତାହା ଆମକୁ ଜଣାଇବା ଆବଶ୍ୟକ।
କାରଣ ଏସଆଇଆର୍ ଦ୍ବାରା ବିଦେଶୀ ନାଗରିକଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା କଥା କୁହାଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।