New Labour Code /ନୁଆ ଶ୍ରମ ଆଇନ ଓ ଶ୍ରମିକ ସମାଜ:...

Dec 22, 2025 - 12:57
 10
New Labour Code /ନୁଆ ଶ୍ରମ ଆଇନ ଓ ଶ୍ରମିକ ସମାଜ:...

ଇଂରେଜ ଶାସନ କାଳରୁ ଆଜିଯାଏଁ କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଅଧିନିୟମରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ୪ଟି ଶ୍ରମ ସହିଂତାରେ (ଲେବର କୋଡ୍‌) ପରିଣତ କରିଛନ୍ତି।‘ସେହି ୪ଟି ଶ୍ରମ ସହିଂତା ଗୁଡିକ ହେଉଛି ମଜୁରୀ ସହିଂତା ୨୦୧୯’ ; ‘ଶିଳ୍ପ ସମ୍ପର୍କ ସଂହିତା ୨୦୨୦’ ;‘ସାମାଜିକ ସୁରକ୍ଷା ସଂହିତା ୨୦୨୦’; ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା ୨୦୨୦ । 

କୋଭିଡ୍‌ ସମୟରେ ଯେତେବେଳେ ଦେଶରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକଳାପ ବନ୍ଦ ଥିଲା ଏବଂ ସଂସଦରେ ବିରୋଧୀ ଦଳ ଅନୁପସ୍ଥିତ ଥିଲେ, ସେହି ସମମୟରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଚାପରେ ତରବରିଆ ଭାବେ ଏହି ଚାରୋଟି ଶ୍ରମ ସଂହିତାକୁ ଗୃହୀତ କରାଇଥିଲେ। କିନ୍ତୁ ଶ୍ରମିକ ସଂଗଠନମାନଙ୍କର ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇନଥିଲା ।ହଟାତ୍ କାହିଁକି କାର୍ଯ୍ୟକାରୀ କରାଗଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହି ପରିବର୍ତ୍ତନକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି । 

ସରକାର କହିଛନ୍ତି, ନୂତନ ଶ୍ରମ ସଂହିତା ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବ। ଏହି ପରିବର୍ତ୍ତନଗୁଡ଼ିକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ଐତିହାସିକ ସଂସ୍କାର, ଦେଶର ନିଯୁକ୍ତି ବ୍ୟବସ୍ଥା ଏବଂ ଶିଳ୍ପ ବ୍ୟବସ୍ଥାରେ ଉନ୍ନତି ଆଣିବ । 

ନୂତନ ନିୟମ ଦେଶର ୪୦ କୋଟିରୁ ଅଧିକ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଦେବ। ଯାହା ପୂର୍ବରୁ କେବେ ସମ୍ଭବ ହୋଇ ନ ଥିଲା। ଦେଶରେ ଅନେକ ଶ୍ରମ ଆଇନ ୧୯୩୦ରୁ ୧୯୫୦ ମଧ୍ୟରେ ପ୍ରଣୟନ କରାଯାଇଥିଲା। ଏଥିରେ ଗିଗ କର୍ମଚାରୀ, ପ୍ଲାଟଫର୍ମ କର୍ମଚାରୀ ଏବଂ ପ୍ରବାସୀ ଶ୍ରମିକ ଭଳି ଆଧୁନିକ କାର୍ଯ୍ୟଶୈଳୀର ଉଲ୍ଲେଖ ମଧ୍ୟ ନ ଥିଲା। 

ନୂତନ ଶ୍ରମ ସଂହିତା ସମସ୍ତଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବ।ଏବେ ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ନିଯୁକ୍ତିପତ୍ର ପ୍ରଦାନ କରିବାକୁ ପଡ଼ିବ। ଦେଶବ୍ୟାପୀ ସର୍ବନିମ୍ନ ମଜୁରୀ ଲାଗୁ ହେବ ଏବଂ ସମୟାନୁସାରେ ମଜୁରୀ ପ୍ରଦାନ ଏକ ଆଇନଗତ ବାଧ୍ୟତାମୂଳକ ହେବ। ଓଭରଟାଇମରେ ଦୁଇଗଣା ମଜୁରି ମିଳିବ ।

ଏହା ନିଯୁକ୍ତି ଏବଂ କର୍ମଚାରୀ ସୁରକ୍ଷାରେ ସ୍ବଚ୍ଛତା ବୃଦ୍ଧି କରିବ।୪୦ ବର୍ଷରୁ ଅଧିକ ବୟସର କର୍ମଚାରୀମାନଙ୍କୁ ବର୍ଷକୁ ଥରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଖଣି, ରାସାୟନିକ ପଦାର୍ଥ ଏବଂ ନିର୍ମାଣ ଭଳି ବିପଦପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପୂର୍ଣ୍ଣ ସ୍ବାସ୍ଥ୍ୟ ସୁରକ୍ଷା ପାଇବେ। ପୂର୍ବରୁ ପାଞ୍ଚ ବର୍ଷ ସେବା ପରେ ଉପଲବ୍ଧ ଗ୍ରାଚ୍ୟୁଇଟି, ବର୍ତ୍ତମାନ କେବଳ ଗୋଟିଏ ବର୍ଷ ସ୍ଥାୟୀ ନିଯୁକ୍ତି ପରେ ଉପଲବ୍ଧ ହେବ। 

ଶ୍ରମିକ ସଂଗଠନ ମାନଙ୍କ ତରଫରୁ କୁହାଯାଇଛିଯେ ନୂତନ ଶ୍ରମ ସଂହିତା ଶ୍ରମିକ ମାନଙ୍କୁ ଯେଉଁ ଶ୍ରମ ଆଇନ୍ ବଳରେ ସୁରକ୍ଷା ମିଳୁଥିଲା ତାକୁ ବିପନ୍ନ କରିବ। ପ୍ରତିବାଦ ଓ ଧର୍ମଘଟ କରିବାର ଅଧିକାରକୁ କ୍ଷୁର୍ଣ୍ଣ କରିବ। ସାମୁହିକ ମୂଲ୍ ଚାଲ୍ ଅଧିକାର ରହିବ ନାହିଁ। କୌଣସି ଚାକିରୀରେ ନିରାପତ୍ତା ରହିବ ନାହିଁ। ଶ୍ରମ ବିଭାଗର କୌଣସି ଭୂମିକା ରହିବ ନାହିଁ। ଦେଶର ୬୦ କୋଟି ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧୦% ସଂଗଠିତ ଓ ଅବଶିଷ୍ଟ ୯୦% ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ । 

ସେହି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ଚାକିରି ଅସୁରକ୍ଷିତ ଏବଂ ନିର୍ଦ୍ଦିଷ୍ଟ ମଜୁରୀ, ସାମାଜିକ ସୁରକ୍ଷା , ପେନସନ୍ ଆଦିର ସେପରି ସୁଯୋଗ ନଥାଏ । ଏମାନଙ୍କୁ କିଏ ନିଯୁକ୍ତିପତ୍ର ଦେବ। ସମସ୍ତଙ୍କୁ ଯେଉଁ ସର୍ବନିମ୍ନ ମଜୁରୀ ମିଳିବ ବୋଲି କୁହାଯାଉଛି, ବାସ୍ତବରେ ବିଭିନ୍ନ ରାଜ୍ୟ ସର୍ବନିମ୍ନ ମଜୁରୀ ହ୍ରାସ କରିବେ।ଅନେକ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେବେ। ଲିଭିଂ ମଜୁରୀ ଦୂରର କଥା। ଓଭରଟାଇମରେ ଦୁଇଗୁଣ ମଜୁରୀ ମିଳିବା ଏକ ମରୀଚିକା । 

ଗିଗ୍ ଶ୍ରମିକମାନଙ୍କପାଇଁ ସାମାଜିକ ନିରାପତ୍ତା ଏକ ଅପ ପ୍ରଚାର। ଶ୍ରମ ସଂହିତାରେ କୌଣସି ସୁବିଧା ମିଳିବା ନିଶ୍ଚିତ ନୁହେଁ କାରଣ ସେଥିପାଇଁ ପାଣ୍ଠି ବଣ୍ଟନ କରାଯାଇ ନାହିଁ କି ଭବିଷ୍ୟତରେ ହେଵବୋଲି ଉଲ୍ଲେଖ କରାଯାଇନି। 

ନିଯୁକ୍ତି ଦାତା ଓ,ଶ୍ରମିକ, କର୍ମଚାରୀ ମଧ୍ୟରେ କିପ୍ରକାର ସମ୍ପର୍କ ରହିବ ତାହା ଉଲ୍ଲେଖ କରାଯାଇନି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସାମୟିକ ହେବ। ଦୀର୍ଘକାଳୀନ ନିଯୁକ୍ତି ବଦଳରେ ସ୍ୱଳ୍ପ କାଳୀନ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଚାକିରୀରେ ନିରନ୍ତରତା ଓ ବରିଷ୍ଠତା ରହିବ ନାହିଁ। 

ଏହି ଆଇନର ସମୀକ୍ଷା ଜରୁରୀ । ଶିଳ୍ପ ସମ୍ପର୍କ ସଂହିତା, ୨୦୨୦, ତିନୋଟି ଆଇନ ଯଥା ଶିଳ୍ପ ବିବାଦ ଆଇନ, ୧୯୪୭;ଟ୍ରେଡ ଉନିଅନ ଆଇନ, ୧୯୨୬; ଶିଳ୍ପ ନିଯୁକ୍ତି (ସ୍ଥାୟୀ ଆଦେଶ) ଆଇନ, ୧୯୪୬ର ମିଶ୍ରଣରେ ସୃଷ୍ଟି । 

ବିଭିନ୍ନ ଗଣମାମାଧ୍ୟମ ତଥ୍ୟରୁ ଅନୁଶୀଳନ କଲେ ଜଣାପଡୁଛି ଏହି ସଂହିତା ସବୁଠାରୁ ବିତର୍କିତ ସଂସ୍କାର ମଧ୍ୟରୁ ଗୋଟିଏ କାରଣ ଏହା ସିଧାସଳଖ ଛଟେଇ, ଧର୍ମଘଟ ଏବଂ ୟୁନିଅନ ଅଧିକାରକୁ ପ୍ରଭାବିତ କରିବ। ପୂର୍ବରୁ ଯଦି କୌଣସି ପ୍ରତିଷ୍ଠାନରେ ୧୦୦ କିମ୍ବା ତା'ଠାରୁ ଅଧିକ ଶ୍ରମିକ ଥାଆନ୍ତି ତାକୁ ବନ୍ଦ କରିବାକୁ ହେଲେ ସରକାରୀ ଅନୁମତି ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସେହି ସୀମାକୁ ୩୦୦ କର୍ମଚାରୀଙ୍କୁ ବୃଦ୍ଧି କରାଯାଇଛି। ପ୍ରାୟ ୬୦% ପ୍ରତିଷ୍ଠାନ ବା ଅନୁଷ୍ଠାନ ଏହି ପରିସରକୁ ଆସିବେ , ଯାହାକୁ ମାଲିକ ବା ନିଯୁକ୍ତିଦାତାମାନେ ସରକାରଙ୍କ ବିନାଅନୁମତିରେ ବନ୍ଦ କରିପାରିବେ । 

ଆଗରୁ କୌଣସି କାରଣରୁ ଧର୍ମଘଟ କରିବାକୁହେଲେ ଶ୍ରମିକ ସଂଗଠନ ମାନଙ୍କୁ ୧୪ଦିନ ଆଗରୁ ନୋଟିସ ଦେବାକୁ ପଡୁଥିଲା; କିନ୍ତୁ ବର୍ତ୍ତମାନ ୬୦ ଦିନକୁ ବୃଦ୍ଧି କରାଯାଇଛି। 

ପୁନଶ୍ଚ କୌଣସି ଦାବିଦୁବା ବା ସମସ୍ୟାର ସମାଧାନ ଆଲୋଚନାରେ ବିଫଳ ହେବା ପରେ ମଧ୍ୟ, ଶ୍ରମିକମାନଙ୍କୁ ଧର୍ମଘଟ କରିବା ପୂର୍ବରୁ ପୁଣି ଥରେ ୬୦ ଦିନର ନୋଟିସ ଦେବାକୁ ପଡିବ। 

ଅନ୍ୟ ସଂଗଠନର ଆନ୍ଦୋଳନକୁ ସମର୍ଥନକରି ସଂହତି ଧର୍ମଘଟ କଲେ ଜରିମାନା କିମ୍ବା ଜେଲ ଭୋଗିବାକୁ। ପୂର୍ବରୁ ସର୍ବନିମ୍ନ ୭ ଜଣ ଶ୍ରମିକ ମିଳିତ ଭାବେ ଏକ ୟୁନିଅନ ପଞ୍ଜିକୃତ କରିପାରୁଥିଲେ। 

ବର୍ତ୍ତମାନ ଅତି କମରେ ୧୦% କିମ୍ବା ୧୦୦ ଜଣ ଶ୍ରମିକ ଓ କର୍ମଚାରୀଙ୍କ ଆବଶ୍ୟକ । ଯଦି କେବେ ଏହି ଧାର୍ଯ୍ୟ ସଦସ୍ୟତା ସଂଖ୍ୟା ସୀମା ହ୍ରାସ ଘଟେ, ତେବେ ଶ୍ରମିକ ସଂଗଠନ ପୁନଃ ପଞ୍ଜିକୃତ କରିବାକୁ ପଡିବ , ଯାହା ଅସ୍ଥିରତା ସୃଷ୍ଟି କରିବ। ଶିଳ୍ପ ସମ୍ପର୍କ ସଂହିତା "ଶ୍ରମିକ" ର ପରିଭାଷାକୁ ସୀମିତ କରେ। 

ଯେକୌଣସି ବ୍ୟକ୍ତି ଯିଏ ସୁପରଭାଇଜରୀ ପଦରେ ରହି ପ୍ରତି ମାସରେ ୧୮,୦୦୦ ଟଙ୍କା କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ସୂଚିତ ପରିମାଣରୁ ଅଧିକ ମଜୁରୀ ପାଉଛନ୍ତି, ସେ ଏହି ସଂହିତା ଅନୁସାରେ ଶ୍ରମିକ ନୁହଁନ୍ତି ବୋଲି ବିଚାର କରାଯିବ। ଅର୍ଥାତ୍ ଅନେକ ଶ୍ରମ ଆଇନ୍ ପରିସର ବାହାରକୁ ଚାଲିଯିବେ। 

ମଜୁରୀ ସଂହିତା ଆଇନ, ୨୦୧୯, ପୂର୍ବ ୪ଟି ଶ୍ରମ ଆଇନ ଯଥା ମଜୁରୀ ଦେୟ ଆଇନ, ସର୍ବନିମ୍ନ ମଜୁରୀ ଆଇନ, ବୋନସ ପ୍ରଦାନ ଆଇନ, ଏବଂ ସମାନ ପାରିଶ୍ରମିକ ଆଇନର ମିଶ୍ରଣରେ ସୃଷ୍ଟି କରାଯାଇଛି। 

ଶ୍ରମିକ ଏବଂ କର୍ମଚାରୀ ଶବ୍ଦଗୁଡ଼ିକୁ ସ୍ପଷ୍ଟ ଭାବରେ ପୃଥକ କରାଯାଇ ନାହିଁ।ଏହି ଅସ୍ପଷ୍ଟତାକୁ ନିଯୁକ୍ତିଦାତାମାନେ କିଛି ସୁବିଧା , ସୁଯୋଗ ଓ ସୁରକ୍ଷା ପ୍ରତ୍ୟାଖ୍ୟାନ କରିବା ପାଇଁ ବ୍ୟବହାର କରିପାରିବେ। ସର୍ବନିମ୍ନ ମଜୁରୀ ଉଲ୍ଲଂଘନ ଓ ସର୍ବନିମ୍ନ ମଜୁରୀ ପ୍ରଦାନ ନକଲେ ଶ୍ରମିକମାନେ କ’ଣ କରିବେ ତାହା ସଂହିତା ସ୍ପଷ୍ଟ ଭାବରେ ଉଲ୍ଲେଖ କରିନାହିଁ। ଘଣ୍ଟା ପ୍ରତି ମଜୁରୀ ପ୍ରଚଳନ କରାଯାଇଛି । ଯାହାଫଳରେ ନିଯୁକ୍ତିଦାତାମାନେ ଏକ ପୂର୍ଣ୍ଣ ଦିନ ପାଇଁ ଦେୟ ଦେବା ପରିବର୍ତ୍ତେ ଘଣ୍ଟା ପ୍ରତି ଶ୍ରମିକମାନଙ୍କୁ ନିୟୋଜିତ କରିପାରିବେ। ଏହା ଶ୍ରମିକମାନଙ୍କ ପାଇଁ ଆୟ ସ୍ଥିରତା ହ୍ରାସ କରିବାର ବିପଦ ସୃଷ୍ଟି କରେ। 

ପୁନଶ୍ଚ ଦୀର୍ଘ କାଳୀନ ନିଯୁକ୍ତି ପରିବର୍ତ୍ତେ- ସ୍ଥିର ଅବଧି ନିଯୁକ୍ତି (FTE)- ଚୁକ୍ତିନାମା୧, ୨, କିମ୍ବା ୪ ବର୍ଷ ପାଇଁ ହୋଇପାରେ। ନିଯୁକ୍ତିଦାତାଙ୍କ ଇଚ୍ଛା ଉପରେ ନବୀକରଣ ନିର୍ଭର କରେ। ଏହା ୟୁନିଅନ୍ କାର୍ଯ୍ୟରେ ଅଂଶଗ୍ରହଣକୁ ନିରୁତ୍ସାହିତ କରିବ, ଏବଂ ଚାକିରି ସୁରକ୍ଷାକୁ ଦୁର୍ବଳ କରିବ । ପୂର୍ବରୁ, ଶ୍ରମିକମାନେ ସିଧାସଳଖ ଶ୍ରମ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରୁଥିଲେ, ବର୍ତ୍ତମାନ୍ ତାହା ସମ୍ଭବ ହେବ ନାହିଁ।

ବିବାଦ ସମାଧାନ ପାଇଁ ଉଚ୍ଚ ନ୍ୟାୟାଳୟ କିମ୍ବା ସୁପ୍ରିମକୋର୍ଟକୁ ଯିବାକୁ ବ୍ୟବସ୍ଥା ନାହିଁ, ଯାହା ଶ୍ରମିକଙ୍କ ଆଇନଗତ ପ୍ରତିକାରକୁ ସୀମିତ କରିବ। 

ଯଦି ଜଣେ ଶ୍ରମିକ ନିଲମ୍ବନ ପରେ ,ବିବାଦରେ ବିଜୟୀ ହୁଏ, ତେବେ ପୁନଃସ୍ଥାପନର ଆଉ ଗ୍ୟାରେଣ୍ଟି ନାହିଁ।ବୋନସ୍ ଯୋଗ୍ୟତା ସୀମା ବୃଦ୍ଧି ୧୦ ଜଣ ଶ୍ରମିକରୁ ସର୍ବନିମ୍ନ ୨୦ ଜଣ ଶ୍ରମିକଙ୍କୁ ବୃଦ୍ଧି କରଯାଇଛି। 

ବୋନସ୍ ପାଇଁ ଆବଶ୍ୟକ ଯାଞ୍ଚ କରିବା ପାଇଁ ଶ୍ରମିକମାନେ କମ୍ପାନୀ ବାଲାନ୍ସ ସିଟ୍ ଦେଖିବାର ଅଧିକାର ମଧ୍ୟ ହରାଇବେ।୧ ଦିନିଆ ଧର୍ମଘଟ ପାଇଁ, ଶ୍ରମିକମାନେ ୮ ଦିନର ମଜୁରୀ ହରାଇବେ।

ଏହା ସାମୂହିକ ମୂଲଚାଲ ବିରୁଦ୍ଧରେ ଏକ ଦୃଢ଼ ପ୍ରତିରୋଧକ। ସାମାଜିକ ସୁରକ୍ଷା ସଂହିତା ୨୦୨୦, ଦୁଇଟି ଶ୍ରମ ଆଇନକୁ ଗୋଟିଏ ଢାଞ୍ଚାରେ ମିଶ୍ରଣ କରେ। ଏଥିରେ ପ୍ରମୁଖ ବ୍ୟବସ୍ଥା ଭବିଷ୍ୟନିଧି ପାଣ୍ଠି (PF) ଅବଦାନ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଶ୍ରମିକ ଏବଂ ନିଯୁକ୍ତିଦାତାଙ୍କ ଅବଦାନ ୧୨% ରୁ ୧୦% କୁ ହ୍ରାସ କରାଯାଇଛି। 

ଏହା ଉଭୟ ପକ୍ଷର ତୁରନ୍ତ ଆର୍ଥିକ ବୋଝକୁ ହ୍ରାସ କରେ, କିନ୍ତୁ ଏହାର ଅର୍ଥ ଦୀର୍ଘକାଳୀନ ଭାବରେ ଶ୍ରମିକମାନଙ୍କ ପାଇଁ କମ୍ ସଞ୍ଚୟ ମଧ୍ୟ। ନୂତନ ସଂହିତା ଅନୁଯାୟୀ, ଯଦି ଜଣେ ଶ୍ରମ ଠିକାଦାର ଇଏସଆଇ ଅବଦାନ ଜମା କରିବାରେ ବିଫଳ ହୁଅନ୍ତି, ତେବେ ମୁଖ୍ୟ ନିଯୁକ୍ତିଦାତାଙ୍କୁ ଦାୟୀ କରାଯିବ ନାହିଁ।  

ଗ୍ରାଚ୍ୟୁଇଟି ଏକ ବର୍ଷ ଚାକିରୀ କଲେ ମିଳିବ ବୋଲି କୁହାଯାଇଛି, କିନ୍ତୁ ତାର ପରିମାଣ କେତେ କୁହା ଯାଉନି।ସଂହିତା ଉଲ୍ଲେଖ କରେଯେ ସରକାର ଗ୍ରାଚ୍ୟୁଇଟି ପାଇଁ ନିୟମ ସ୍ଥିର କରିବେ।-ଏହା ଅନିଶ୍ଚିତତା ସୃଷ୍ଟି କରେ। 

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ କାର୍ଯ୍ୟକ୍ଷମତାରେ ଆସିବା ପାଇଁ ଠିକାଦାର/ଏଜେନ୍ସିଗୁଡ଼ିକୁ ୧୦ କିମ୍ବା ତା’ଠାରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡିବ।ନିର୍ମାଣ ଶ୍ରମିକଙ୍କ ଛୋଟ ଗୋଷ୍ଠୀ (୧୦ ରୁ କମ୍) ବାଦ ଦିଆଯିବ, ଯାହା ଫଳରେ ସେମାନେ ସ୍ୱାସ୍ଥ୍ୟ, ବୀମା ଏବଂ ପେନସନ ଭଳି କଲ୍ୟାଣକାରୀ ସୁବିଧା ପାଇପାରିବେ ନାହିଁ। ଦୁର୍ବଳ ଶ୍ରମିକମାନେ କଲ୍ୟାଣ ସୁରକ୍ଷା ବାହାରେ ରହିବେ।

ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି (OSH) କୋଡ୍, ୨୦୨୦ ଆପାତତଃ ୧୩ ଟି ଆଇନର ମିଶ୍ରଣ ଅଟେ। ଯାହାର ଲକ୍ଷ୍ୟ ବ୍ୟବସାୟ କରିବାର ପଦ୍ଧତିକୁ ସହଜ କରିବ। ପୂର୍ବରୁ ୨୦ ରୁ ଅଧିକ ଶ୍ରମିକ ନିଯୁକ୍ତି କଲେ ଠିକାଦାରମାନଙ୍କୁ ପଞ୍ଜୀକରଣ କରିବାକୁ ପଡୁଥିଲା। ବର୍ତ୍ତମାନ୍ ତାହାକୁ ୫୦ କିମ୍ବା ତା'ଠାରୁ ଅଧିକକୁ ବୃଦ୍ଧି କରଯାଇଛି।  

ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ILO) ଦୈନିକ ୮ ଘଣ୍ଟା କାର୍ଯ୍ୟ ଦିବସକୁ ଅନୁମୋଦନ କରିଥିଲା, ଯାହା ବିଶ୍ୱ ଶ୍ରମ ଆନ୍ଦୋଳନର ଗୁରୁତ୍ୱକୁ ଦୃଢ଼ କରିଥିଲା। ଭାରତର କାରଖାନା ଆଇନ ୧୯୪୮ ଅନୁଯାୟୀ ପ୍ରତି ସପ୍ତାହରେ ୪୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟରେ ସୀମିତ କରିବା ସତ୍ତ୍ୱେ, ସହରାଞ୍ଚଳରେ ଅନେକ କର୍ମଚାରୀ ପ୍ରାୟତଃ ପର୍ଯ୍ୟାପ୍ତ କ୍ଷତିପୂରଣ ବିନା ଅଧିକ ସମୟ କାମ କରନ୍ତି। 

ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନଗୁଡ଼ିକ ସର୍ବଦା ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଏ ନାହିଁ, ଯାହା ଫଳରେ କର୍ମଚାରୀମାନେ ଶୋଷଣର ଶିକାର ହୁଅନ୍ତି। 

ଦୁର୍ଭାଗ୍ୟବଶତଃ, ନିଯୁକ୍ତିଦାତାଙ୍କ ଲାଭ ବୃଦ୍ଧି କରିବା ପାଇଁ ସପ୍ତାହକୁ ୪୮ ଘଣ୍ଟାରୁ ୭୦ ଘଣ୍ଟା ପର୍ଯ୍ୟନ୍ତ, ଏପରିକି ୯୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ବୃଦ୍ଧି କରିବା ବିଷୟରେ ଆଲୋଚନା ହେଉଛି। ନୂତନ ଭାରତୀୟ ଶ୍ରମ ସଂହିତା ୪-ଦିନର କାର୍ଯ୍ୟ ସପ୍ତାହକୁ ଅନୁମତି ଦିଏ, କିନ୍ତୁ ସର୍ବାଧିକ ପୂର୍ବପରି ୪୮ ଘଣ୍ଟାର ସାପ୍ତାହିକ କାର୍ଯ୍ୟନିର୍ଘଣ୍ଟ ପୂରଣ କରିବା ପାଇଁ ଦୈନିକ ୧୨-ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡିବ। 

ପ୍ରକୃତରେ, ଶିଲ୍ପପତି ୪ ଦିନର କାର୍ଯ୍ୟ ସପ୍ତାହ ନୁହେଁ ବରଂ ୬ଦିନ ଅର୍ଥାତ ୭୨ ଘଣ୍ଟା କାର୍ଯ୍ୟ କରିବାକୁ ଶ୍ରମିକ ମାନଙ୍କୁ ବାଧ୍ୟ କରିବେ । 

ପୁନଶ୍ଚ ଆଉ ଦୈନିକ ୩ ଟା ସିଫ୍ଟ ନରହି ୨ଟା ସିଫ୍ଟ ହେବ ଏବଂ ଅଧିକାଂଶ ନିଯୁକ୍ତି ବା କର୍ମ ସଂସ୍ଥାନ ହରାଇବେ । 

ସପ୍ତାହରେ ୬ ଦିନ ବା ୪ ଦିନ କାର୍ଯ୍ୟ କରିବା ଯେତିକି ଚିନ୍ତାଜନକ ନୁହେଁ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କଲେ , ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଭୟଙ୍କର କୁପ୍ରଭାବ ପଡିବ 

ମହିଳାମାନେ ରାତ୍ରି ସିଫ୍ଟ ରେ କାର୍ଯ୍ୟ କରିବା ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିବ। ଜୀବନ ବିପର୍ଯ୍ୟସ୍ତ ହେବ । ବୈବାହିକ ତଥା ପାରିବାରିକ ଜୀବନରେ ଝଡଝଞ୍ଜା ଆସିବ ।

ଚାରୋଟି ଶ୍ରମ ସଂହିତାର ଉଦ୍ଦେଶ୍ୟ ସଂସ୍କାର ନୁହେଁ, ବରଂ କର୍ପୋରେଟ୍ ଲାଭଖୋରକୁ ସହଜ କରିବା ନାମରେ ଶ୍ରମିକଙ୍କ ଅଧିକାର ଏବଂ ସୁରକ୍ଷାକୁ ଛଡ଼ାଇ ନେବା। ବାସ୍ତବରେ ଶ୍ରମିକ ସଂଗଠନ ଓ ମାଲିକ ଶ୍ରେଣୀ ମଧ୍ୟରେ କେହି କାହାକୁ ଚାପି ଦେବା ଅନୁଚିତ୍। ମାଲିକଙ୍କ ପାଇଁ ଶ୍ରମିକ ଓ ଶ୍ରମିକ ମାନଙ୍କ ପାଇଁ ମାଲିକ ଗୁରୁତ୍ତ୍ଵପୂର୍ଣ୍ଣ। ଆଇନ୍ କହାକୁ ସୁହାଇଲା ପରି ହେବା ଅନୁଚିତ୍, ବରଂ ସନ୍ତୁଳନ ଆବଶ୍ୟକ।କୌଣସି ସକରାତ୍ମକ ସଂଗଠନ ଶ୍ରମିକ ଓ କର୍ମଚାରୀଙ୍କର ଦରମା କାଟି ଧର୍ମଘଟ କରିବାକୁ ଭଲ ପାଏନି । 

ଯେତେବେଳେ ଆନ୍ଦୋଳନର ସବୁପ୍ରକାର ବିକଳ୍ପ ବିଫଳ ହୁଏ, ସେତେବେଳେ ଶ୍ରମିକ ସଂଗଠନ ଧର୍ମଘଟ ରୂପକ ଅସ୍ତ୍ରକୁ ବ୍ୟବହାର କରେ । 

ଶ୍ରମିକ ମାନଙ୍କର ଧର୍ମଘଟ କରିବାର ଅଧିକାରକୁ ଛଡାଇ ନେଲେ କୌଣସି ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଶ୍ରମିକ ଓ କର୍ମଚାରୀ ମାନଙ୍କର ପ୍ରତିବାଦ କରିବାର ସ୍ଵର କ୍ଷୀଣ ହେବ । ଶ୍ରମିକ ମାନେ ଆଉ ଆତ୍ମ ସମ୍ମାନ ସହିତ କାର୍ଯ୍ୟ କରି ପାରିବେ ନାହିଁ। ଶ୍ରମିକମାନେ ଦାସତ୍ୱତର ଗହ୍ଵରକୁ ଚାଲିଯିବେ ।