ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ
ଇସଲାମାବାଦ: ବ୍ୟାପକ ହିଂସା ଘଟଣା ମଧ୍ୟରେ ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ମତଦାନ କରି ଆଗାମୀ ୫ ବର୍ଷ ପାଇଁ ମନ ପସନ୍ଦର ନେତାଙ୍କୁ ବାଛିବେ ଜନତା । ନିର୍ବାଚନୀ ମଇଦାନରେ ୪୪ ଦଳର ୫ ହଜାର ୧୨୧ ପ୍ରାର୍ଥୀ ରହିଥିବା ବେଳେ ୨୬୬ ଆସନ ପାଇଁ ମତଦାନ ହେଉଛି । ସେଥିମଧ୍ୟରୁ ୬୦ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୧୦ ଜଣ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି । ଦେଶର ୨୪୧ ମଲିୟନ ଜନସଂଖ୍ୟା ମଧ୍ୟରୁ ୧୨୮ ମିଲିୟନ ଭୋଟର ଆଜି ମତ ସାବ୍ୟସ୍ତ କରୁଛନ୍ତି । ସକାଳ ୯ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟରେ ଶେଷ ହେବ । ନିର୍ବାଚନ ପୂର୍ବରୁ ହିଂସା ଘଟଣା ଘଟିଥିବାରୁ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏକ 'କଣ୍ଟ୍ରୋଲ୍ ରୁମ୍' ସ୍ଥାପନ କରାଯାଇଛି। ପାକିସ୍ତାନର ମୁସଲିମ ଲିଗର ନଓ୍ବାଜ ସରିଫ, ପିପୁଲ୍ସ ପାର୍ଟିର ବିଲାଓ୍ବଲ ଭୁଟ୍ଟେ-ଜର୍ଦ୍ଦାରୀ ଏବଂ ଇମ୍ରାନଖାନଙ୍କ ପାର୍ଟି ପିଟିଆଇର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ, ନୱାଜ ସରିଫଙ୍କ ଦଳ ସୁବିଧାଜନକ ସ୍ଥିତିରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।