ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ହୃଦଘାତରେ ଉଡ଼ିଗଲା ପ୍ରାଣବାୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କାସଗଞ୍ଜ ଜନପଦ ନିକଟରେ ଘଟିଛି ଅଭାବନୀୟ ଘଟଣା। ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ନିଜ ସାଙ୍ଗଙ୍କ ସହ ହସଖୁସିରେ ଘରୁ କଲେଜ ବାହାରିଥିଲେ ଛାତ୍ରୀଜଣକ। ମାତ୍ର କଲେଜରେ ପହଞ୍ଚିବା ପୂର୍ବରୁ ଟଳି ପଡ଼ିଥିଲେ ସାଇକେଲରୁ,ଆଉ ଉଡି ଯାଇଥିଲା ପ୍ରାଣବାୟୁ ।ହୃଦଘାତରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି। ତେବେ ସୂଚନା ଅନୁଯାୟୀ, ୧୮ ବର୍ଷୀୟା ଛାତ୍ରୀଜଣକ ଶ୍ରୀ ଭାଗବତ ରାଷ୍ଟ୍ରୀୟ ଇଣ୍ଟର କଲେଜରେ ଯୁକ୍ତ ୨ରେ ପାଠ ପଢ଼ୁଥିଲେ। କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଥିବାରୁ ନିଜ ସାଙ୍ଗମାନଙ୍କ ସହ ସେ ସାଇକେଲ ଯୋଗେ ଯାଉଥିଲେ। ଘରଠୁ କିଛି ଦୂର ଯିବା ପରେ ଛାତ୍ରୀଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ହଠାତ୍‌ ଅଚେତ ହୋଇ ସାଇକେଲରୁ ତଳକୁ ଖସି ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତୁରନ୍ତ ଝିଅକୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହୃଦଘାତଜନିତ ମାମଲା ବୋଲି ଡାକ୍ତର କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Feb 8, 2024 - 19:15
 2
ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ହୃଦଘାତରେ ଉଡ଼ିଗଲା ପ୍ରାଣବାୟୁ