ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ କ୍ୟାନ୍ସର
ନୂଆଦିଲ୍ଲୀ : ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ କ୍ୟାନ୍ସର । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍-୧'ର ଲଭିଂ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ କର୍କଟ ରୋଗ ସହ ଲଢ଼ଥୁଲେ। ଏକ ସାକ୍ଷାତକାରରେ ଏହା ନିଶ୍ଚିତ କରି ସୋମନାଥ କହିଛନ୍ତି ଯେ ସ୍କାନିଂରେ କର୍କଟ ଜଣାପଡ଼ିଥିଲା । ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସେତେବେଳେ ଠିକ୍ ଭାବେ କିଛି ଜଣା ପଡିନଥିଲା। ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-୧ ମିଶନ ଲଞ୍ଚ ବେଳେ ରୋଗ ଜଣାପଡିଥିଲା। ପେଟର ସ୍କାନ୍ କରିବା ବେଳେ ଭିତରେ କିଛି ବଢ଼ୁଥିବା ଜଣାପଡିଥିଲା। ଏହାପରେ ଡାକ୍ତରମାନେ ଏହାକୁ କ୍ୟାନ୍ସର ବୋଲି କହିଥିଲେ। ଏହି ଖବର ଜଣାପଡିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡିଥିଲେ ବୋଲି ସେ କହିଛନ୍ତି। ଆଦିତ୍ୟ ଏଲ୍-୧ ମିଶନ ଲଞ୍ଚ ପରେ ଏସ୍. ସୋମନାଥ ନିଜ ପେଟର ସ୍କାନିଂ କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ। ସେଠାରେ ତାଙ୍କୁ ଏହି ରୋଗ ଜେନେଟିକଲି ମିଳିଛି ବୋଲି ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ପରେ ତାଙ୍କର କେମୋଥେରାପି ଚାଲିଲା। ଏବେ ଏଭଳି ଆଉ କିଛି ନାହିଁ। ଏବେ ସେ ପୂରାପୁରି ସୁସ୍ଥ ଅଛନ୍ତି। ବର୍ତ୍ତମାନ କେବଳ ଔଷଧ ଜାରି ରହିଛି ବୋଲି ସେ କହିଛନ୍ତି। କ୍ୟାନ୍ସରରୁ ପୂରାପୁରି ସୁସ୍ଥ ହେବା ପାଇଁ ଓ ଏହାର ଚିକିତ୍ସା କରିବା ପାଇଁ ଦୀର୍ଘ ସମୟ ଲାଗିବ। ଏହା ଏକ ଲମ୍ବା ପ୍ରକ୍ରିୟା। କିନ୍ତୁ ଏହି ଯୁଦ୍ଧ ମୁଁ ଲଢ଼ିବି। ପୂର୍ବାପେକ୍ଷା ଏବେ ଠିକ୍ ଅଛି। ମୁଁ କେବଳ ୪ ଦିନ ହସ୍ପିଟାଲରେ ଥିଲି। ବିନା କୌଣସି ଯନ୍ତ୍ରଣାରେ ୫ମ ଦିନ ମୁଁ ମୋ ଡ୍ୟୁଟିକୁ ଫେରିଛି। ଲଗାତର ମେଡିକାଲ ଚେକ୍ଅପ୍ ଓ ସ୍କାନିଂ ଚାଲିଛି। ମୁଁ ପୂରାପୁରି ସୁସ୍ଥ ଅଛି। ନିଜ କାମ ଓ ଇସ୍ରୋର ମିଶନ ଉପରେ ଧ୍ୟାନ ଦେଉଛି ବୋଲି ଏସ୍. ସୋମନାଥ କହିଛନ୍ତି।