ଓଏଭି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତାକୁ ସମ୍ମାନ

ଆଇକନିକ ଓଏଭିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା...

Aug 7, 2026 - 18:41
 3
ଓଏଭି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତାକୁ ସମ୍ମାନ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । 

୨୦୨୬ ବାର୍ଷିକ ପରୀକ୍ଷା ଓ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ବର ଅନ୍ଧାରୁଆସ୍ଥିତ ଆଇକନିକ ଓଏଭି ଠାରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଲା ନାୟକ । 

ବିଭାଗୀୟ ସଚିବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । 

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା ରାଉତ, ଆଇକନିକ ଓଏଭିର ଅଧ୍ୟକ୍ଷ ଶ୍ରୀଯୁକ୍ତ ତନୁଜ କୁମାର ନାୟକ ଉପସ୍ଥିତ ଥିଲେ । 

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମକୁ ସ୍ବୀକୃତି ମିଳିଥାଏ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା । ଦୀର୍ଘ ୧୦ ବର୍ଷ ମଧ୍ୟରେ ଓଏଭି ସଫଳତା ପଥରେ ଅଗ୍ରସର ହେଉଛି । ଆଇକନିକ ଓଏଭି ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଜ ସ୍ବପ୍ନ ପୂରଣ କରିବାର ସୁଯୋଗ ଦେଉଛି । 

ଏଥିସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେବା ସହ ଅନ୍ୟମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଛନ୍ତି । 

ବିଭାଗୀୟ ସଚିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ, ପରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । 

ଆଲୋଚନା ସମୟରେ ସେ ସେମାନଙ୍କର ଶୈକ୍ଷିକ ଯାତ୍ରା, ପରୀକ୍ଷା ପ୍ରସ୍ତୁତି ରଣନୀତି ଏବଂ ଭବିଷ୍ୟତର ଆକାଂକ୍ଷା ବିଷୟରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ରାଉତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହି ସଫଳତା ଶେଷ ନୁହେଁ ବରଂ ନୂତନ ଯାତ୍ରାର ଆରମ୍ଭ ବୋଲି କହିଛନ୍ତି । 

ଏଥିସହ ଓଏଭିର ସଫଳତା ପାଇଁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ସୂଚନା ଥାଉକି, ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଥିବା ଶ୍ରେଷ୍ଠ ୯ ଜଣ, ଦ୍ୱାଦଶ ପରୀକ୍ଷା ବିଜ୍ଞାନ ଓ ବାଣିଜ୍ୟରେ ସଫଳ ହୋଇଥିବା ଶ୍ରେଷ୍ଠ ୧୫ ଜଣ, ଜେଇଇ ରେ ସଫଳତା ପାଇଥିବା ଶ୍ରେଷ୍ଠ ୧୩ ଜଣ, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ୧୫ ଜଣଙ୍କୁ ପୁରସ୍କୃତ କରାଯାଇଛି । 

ସେହିପରି ଓଏଭି, ବାଦି, ନୂଆପଡ଼ା ର ଲାଭ୍ୟାଂସ ମେହେର, ଓଏଭି, ଚପତଖଣ୍ଡା, ନର୍ଲା, କଳାହାଣ୍ଡି ର ସୋୟମ ସ୍ବାଗତ କରଙ୍କୁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାବେ ପୁରସ୍କୃତ କରାଯାଇଛି । 

ଏଥିସହ ସିବିଏସି ଦଶମ ପରୀକ୍ଷାର ଟପର୍ ଆର୍ଶୀବାଦ ମାର୍ଥା,ଆର୍ଶୀବାଦ ମିଶ୍ର, ଶ୍ରେୟା ସ୍ମରଣିକା, ଶ୍ରେୟଂସ ନନ୍ଦ ଓ ସୋୟମ ସଙ୍କେତ ଦାସ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଲେଖାଏଁ ପରସ୍କାର ରାଶି ପ୍ରଦାନ କରାଯାଇଛି । 

ସେହିପରି ଦ୍ୱାଦଶ ପରୀକ୍ଷାର ବିଜ୍ଞାନ ଟପର୍ ସାଇ ସୋହମ ପ୍ରଧାନ, ବାଣିଜ୍ୟ ଟପର୍ ଦିଶା ସାହା, ଜେଇଇ ଓଏଭି ଟପର୍ ପ୍ରୀୟୂଷ ରଞ୍ଜନ ସ୍ବାଇଁ, ନିଟ୍ ପରୀକ୍ଷାର ଓଏଭି ଟପର୍ ସୋୟମ ସ୍ବାଗତ କରଙ୍କୁ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । 

ଏଥିସହ ଚଳିତ ବର୍ଷ ଆଇଆଇଟିରେ ନାମଲେଖାଇ ଥିବା ତିନି ଜଣ ଛାତ୍ରଛାତ୍ରୀ- ଲାଭ୍ୟାଂସ ମେହେର, ବିନାୟକ ପାତ୍ର, ପୀୟୂଷ ରଞ୍ଜମ ସ୍ବାଇଁଙ୍କୁ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଡକ୍ଟର ରାଘବ ପ୍ରସାଦ ସାହୁଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରାଶି ଯଥାକ୍ରମେ ୨୦,୦୦୦, ୩୦,୦୦୦, ୫୦,୦୦୦ ଟଙ୍କା ପ୍ରଦାନ କରାଯାଇଛି ।