ଓଡ଼ିଶା ଅର୍ବାନ୍ ଏକାଡେମୀ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ନେଇ ଆଲୋଚନା...
ସାମଗ୍ରିକ ଶାସନ ବ୍ୟବସ୍ଥା ଏବଂ ସଂସ୍ଥାଗତ କଲ୍ୟାଣକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଖାରବେଳ ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଓଡ଼ିଶାର ସହରୀ ଶାସନ ବ୍ୟବସ୍ଥାରେ ମାନବ-କେନ୍ଦ୍ରିକ ଦକ୍ଷତା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଅର୍ବାନ୍ ଏକାଡେମୀ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ରଣନୈତିକ ବୁଝାମଣା ପତ୍ର ଚୂଡ଼ାନ୍ତ କରିବା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Director of Operations) ସ୍ୱାମୀ ସତ୍ୟଚୈତନ୍ୟ ଏହି ପଦକ୍ଷେପର ପରିସର, ଉଦ୍ଦେଶ୍ୟ ଏବଂ ପ୍ରସ୍ତାବିତ କାର୍ଯ୍ୟକାରିତା ଢାଞ୍ଚା ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଓଡ଼ିଶା ଅର୍ବାନ୍ ଏକାଡେମୀର ନିର୍ଦ୍ଦେଶକ ସୁଭେନ୍ଦୁ ସାହୁ, ୱାଟକୋର ପ୍ରବନ୍ଧ ନିର୍ଦ୍ଦେଶକ ଦେବବ୍ରତ ମୋହାନ୍ତି, ଯୁଗ୍ମ ସଚିବ ଶ୍ରୀମତୀ ମମତାରାଣୀ ନାୟକ ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପ୍ରସ୍ତାବିତ ସହଯୋଗିତା ପାରମ୍ପରିକ ଅନୁଷ୍ଠାନ-କେନ୍ଦ୍ରିକ ତାଲିମରୁ ଊର୍ଦ୍ଧ୍ୱକୁ ଯାଇ ସହରୀ ଶାସନରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସାମଗ୍ରିକ ବିକାଶ, କଲ୍ୟାଣ ଏବଂ ପେଷାଦାର କାର୍ଯ୍ୟଦକ୍ଷତା ଉପରେ ଅଧିକ ଗୁରୁତ୍ୱାରୋପ କରେ ।
ଏହି ଭାଗିଦାରୀ ଅଧୀନରେ, ଓଡିଶା ଅର୍ବାନ ଏକାଡେମୀ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ସରକାରୀ ଅଧିକାରୀ, ପୌର କାର୍ଯ୍ୟନିର୍ବାହୀ ଏବଂ ସହରୀ ସ୍ଥାନୀୟ.ସଂସ୍ଥାର କର୍ମଚାରୀଙ୍କ ପାଇଁ ଚାପ ପ୍ରବନ୍ଧନ , ଧ୍ୟାନ, ବିବାଦ ସମାଧାନ, ଶାନ୍ତି ପ୍ରତିଷ୍ଠା ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷଜ୍ଞ ଦକ୍ଷତା-ବୃଦ୍ଧି କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପରିଚାଳନା କରିବେ ।
ଏହି ପଦକ୍ଷେପର ଅନ୍ୟତମ ମୁଖ୍ୟ ଅଙ୍ଗ ହେଉଛି ମନୋ-ସାମାଜିକ (psycho-social) ଏବଂ ଆଇନଗତ ସହାୟତା ପ୍ରଦାନ ପାଇଁ ବ୍ୟବସାୟିକ ଭାବେ ତାଲିମପ୍ରାପ୍ତ କାଉନସେଲର (ପରାମର୍ଶଦାତା)ଙ୍କର ଏକ କ୍ୟାଡର ସୃଷ୍ଟି କରିବା ।
ଏହି ସହଯୋଗିତା ଜରିଆରେ ସୁବିଧାସୁଯୋଗରୁ ବଞ୍ଚିତ ଏବଂ ପହଞ୍ଚ ବାହାରେ ଥିବା ସହରୀ ସମୁଦାୟଗୁଡ଼ିକୁ ସହାୟତା ଓ ଦକ୍ଷତା-ବୃଦ୍ଧି କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର ଉପରେ ମଧ୍ୟ ଅନୁଧ୍ୟାନ କରାଯିବ । ନୈତିକ ନେତୃତ୍ୱ, ଭାବପ୍ରବଣ ସୁସ୍ଥତା, ସମ୍ବେଦନଶୀଳତା, ପେଷାଦାରିତା ଏବଂ ନାଗରିକ-କେନ୍ଦ୍ରିକ ଶାସନ ଉପରେ ଆଧାରିତ ଏକ ‘କର୍ମଯୋଗୀ’ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଓଡ଼ିଶାର ସହରଗୁଡ଼ିକୁ ଅଧିକ ଅନ୍ତର୍ଭୁକ୍ତ., ସହନଶୀଳ , ଦକ୍ଷ ଏବଂ ବିଶ୍ୱସ୍ତରରେ ବାସଯୋଗ୍ୟ କରିବା ପାଇଁ ସରକାରଙ୍କ ପ୍ରଚେଷ୍ଟାରେ ଏହା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।
ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଆଲୋକପାତ କରି କହିଲେ ଯେ, ସହରୀ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ କେବଳ ପେଷାଦାର ଦକ୍ଷତା ନୁହେଁ, ବରଂ ସରକାରୀ କର୍ମଚାରୀଙ୍କ ମାନସିକ, ଭାବପ୍ରବଣ ଏବଂ ମନୋବୈଜ୍ଞାନିକ ସୁସ୍ଥତା ଉପରେ ସମାନ ଧ୍ୟାନ ଦେବା ଆବଶ୍ୟକ ।
ସେ ଏପରି ଏକ କାର୍ଯ୍ୟକରିବାର ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ସରକାରୀ କର୍ମଚାରୀମାନଙ୍କୁ ଅଧିକ ସମ୍ବେଦନଶୀଳତା, ସହନଶୀଳତା ଏବଂ ପ୍ରଭାବଶାଳୀତା ସହିତ କାର୍ଯ୍ୟ କରିବାକୁ ସମର୍ଥ କରିବ ।
ପ୍ରସ୍ତାବିତ ତାଲିମ ମଡ୍ୟୁଲଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ, ସେଥିପାଇଁ ନିର୍ଦ୍ଦିଷ୍ଟ 'କାର୍ଯ୍ୟାବଳୀ ସୂଚୀ' ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ କାର୍ଯ୍ୟକାରିତା ଢାଞ୍ଚାକୁ ଚୂଡ଼ାନ୍ତ କରିବା ପାଇଁ ଶ୍ରୀମତୀ ପାଢ଼ୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।