କାନ୍ଥ ଗ୍ରୀଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଚଣ୍ଡିଗଡ଼: ମଣିଷ ସାଜିଲା ଅମଣିଷ । ହରିଆଣାରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଫରିଦାବାଦ ଅଜରୋନ୍ଦା ଗ୍ରାମର ସେକ୍ଟର ୧୫(ଏ)ର ଅଫିସ କଲୋନୀରେ ନବଜାତ ଶିଶୁକୁ ଘର ଉପରୁ ତଳକୁ ଫିଙ୍ଗି ଦିଆଯାଇଥିବା ବେଳେ ନବଜାତ ଶିଶୁ କାନ୍ଥରେ ଥିବା ଏକ ଗ୍ରୀଲରେ ଅଟକି ଯାଇ ମୃତ୍ୟୁବରଣ କରିଛି । ତେବେ ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କିଏ ଓ କାହିଁକି ଏଭଳି କାଣ୍ଡ କରିଛି ସେନେଇ ଛାନଭିନ ଚଳାଇଛି । ସେପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ସ୍ଥାନୀୟ ଲୋକେ ଗ୍ରିଲରେ ଅଟକି ଥିବା ଛୁଆକୁ ଦେଖିବା ପରେ ଏନେଇ ସେକ୍ଟର ୧୫(ଏ) ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରିଲରେ ଲାଗିଥିବା ନବଜାତ ଶିଶୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫରିଦାବାଦ ସିଭିଲ ହସ୍ପିଟାଲକୁ ପଠାଇଥିଲେ । ଅମାନବୀୟ ଭାବରେ ଯିଏ ଏଭଳି କାଣ୍ଡ ଘଟାଇଛି ତାକୁ ତୁରନ୍ତ ଠାବ କରି କଠୋର ଦଣ୍ଡ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ପିଲାଟିକୁ କିଏ ଫୋପାଡିଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ତେବେ ଏହି ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଶିଶୁର ମୃତଦେହ ପୋଷ୍ଟମର୍ଟମ ପାଇଁ ଫରିଦାବାଦର ସିଭିଲ ହସ୍ପିଟାଲ ବିକେ ହସ୍ପିଟାଲକୁ ପଠାଯାଇଛି । ଶିଶୁଟିକୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଛି କିମ୍ବା ଗ୍ରିଲରେ ଫସିଯିବା କାରଣରୁ ଶିଶୁଟିର ମୃତ୍ୟୁ ହୋଇଛି ଏହାର ତଦନ୍ତ କରାଯାଉଛି । ବର୍ତ୍ତମାନ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ଫଳରେ ଯେଉଁମାନେ ଏହି ଘଟଣା ଘଟାଇଛନ୍ତି ସେମାନଙ୍କ ପାଖରେ ପହଞ୍ଚିବାକୁ ସହଜ ହେବ । ସେପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ।

କାନ୍ଥ ଗ୍ରୀଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର