କୋଲକାତାର ରେଡ୍ ରୋଡ୍ଠାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ...
କୋଲକାତାର ରେଡ୍ ରୋଡ୍ଠାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ...
ଲୋକ, ସମାଜ ଏବଂ ଦେଶମାନଙ୍କୁ ଏକତ୍ର କରିବାର ଅଦ୍ଭୁତ ଶକ୍ତି ଯୋଗ ନିକଟରେ ଅଛି : ପ୍ରଧାନମନ୍ତ୍ରୀ
ଯୋଗ ଆମକୁ ପରିଣତ ବୟସରେ ମଧ୍ୟ ସୁସ୍ଥ, ସକ୍ରିୟ ଏବଂ ସତେଜ ରହିବାରେ ସାହାଯ୍ୟ କରେ: ପ୍ରଧାନମନ୍ତ୍ରୀ
ଯୋଗ କେବଳ ବ୍ୟକ୍ତିଗତ କଲ୍ୟାଣ ପାଇଁ ନୁହେଁ; ଏହା ବିଶ୍ୱ ଶାନ୍ତି ପାଇଁ ମଧ୍ୟ ଏକ ପଥ: ପ୍ରଧାନମନ୍ତ୍ରୀ
ଆସନ୍ତୁ ଯୋଗକୁ କେବଳ ଗୋଟିଏ ଦିନରେ ସୀମିତ ନ ରଖି ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବା: ପ୍ରଧାନମନ୍ତ୍ରୀ
ଦାର୍ଜିଲିଂରୁ ଦୀଘା ଏବଂ କୁଚବିହାର ପର୍ଯ୍ୟନ୍ତ ଲୋକମାନେ ଯୋଗ ସମାରୋହରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି:
ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ
‘ଯୋଗ ୩୬୫’ ନାଗରିକମାନଙ୍କୁ ସାରା ବର୍ଷ ଯୋଗକୁ ସେମାନଙ୍କ ଦୈନନ୍ଦିନ ଜୀବନଶୈଳୀର ଏକ ଅଂଶ କରିବାକୁ ଉତ୍ସାହିତ କରେ:
????ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଯାଦବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର କୋଲକାତାସ୍ଥିତ ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ ସମାରୋହରେ ଅଂଶଗ୍ରହଣ କରିଛନ୍ତି।
"ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ଶୀର୍ଷକରେ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସେ ହଜାର ହଜାର ଲୋକମାନଙ୍କ ସହ ଯୋଗାଭ୍ୟାସ କରିଥିଲେ।
ଭାରତ ଏବଂ ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ। ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଆର୍. ଏନ୍. ରବି, ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଯାଦବ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଭାରତ ଏବଂ ସମଗ୍ର ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସେ କହିଥିଲେ ଯେ, ଜୁନ୍ ୨୧ ତାରିଖ ଏବେ ବିଶ୍ୱର ଅନ୍ୟତମ ବିଶାଳ ସାମୂହିକ ଉତ୍ସବରେ ପରିଣତ ହୋଇଛି, ଯେଉଁଠାରେ ବିଭିନ୍ନ ଦେଶ ଓ ସଂସ୍କୃତିର ଲୋକମାନେ ଯୋଗାଭ୍ୟାସ ମାଧ୍ୟମରେ ଏକାଠି ହେଉଛନ୍ତି। ସେ କହିଥିଲେ ଯେ ହିମାଳୟଠାରୁ ଭାରତ ମହାସାଗର ଏବଂ ବଙ୍ଗଠାରୁ ସୌରାଷ୍ଟ୍ର ପର୍ଯ୍ୟନ୍ତ ସମଗ୍ର ଦେଶ ଆଜି ଯୋଗର ଶକ୍ତି ଓ ଉତ୍ସାହରେ ପରିପୂର୍ଣ୍ଣ ହୋଇଉଠିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଲୋକ, ସମାଜ ଏବଂ ସମଗ୍ର ବିଶ୍ୱକୁ ପରସ୍ପର ସହ ଯୋଡ଼ିବା ପାଇଁ ଯୋଗ ପାଖରେ ଏକ ଅନନ୍ୟ ଶକ୍ତି ରହିଛି ଏବଂ ଏହା ମାନବୀୟ ଏକତାର ବନ୍ଧନକୁ ସଦାସର୍ବଦା ସୁଦୃଢ଼ କରିଚାଲିଛି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପଶ୍ଚିମବଙ୍ଗର ସମୃଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ଏଠାରେ ଜାତୀୟ ସମାରୋହ ଆୟୋଜନ କରିବା ବିଶେଷ ଭାବେ ତାତ୍ପର୍ଯ୍ୟପୂର୍ଣ୍ଣ।
ଯୋଗର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରସାରିତ କରିବାରେ ଅବଦାନ ଦେଇଥିବା ସ୍ୱାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ ଏବଂ ଅନ୍ୟାନ୍ୟ ମନୀଷୀମାନଙ୍କ ସମେତ ବଙ୍ଗର ମହାନ ଆଧ୍ୟାତ୍ମିକ ଗୁରୁ ଓ ଚିନ୍ତାନାୟକମାନଙ୍କ ଅବଦାନକୁ ମନେ ପକାଇ ସେ କହିଥିଲେ ଯେ, ଏହି ମାଟି ଦୀର୍ଘ ଦିନ ଧରି ମନ, ଶରୀର ଏବଂ ଆତ୍ମାର ମିଳନକୁ ଗୁରୁତ୍ୱ ଦେଉଥିବା ପରମ୍ପରାକୁ ପାଳନ କରିଆସିଛି। କୋଲକାତାରେ ଆୟୋଜିତ ଏହି ସାମୂହିକ ଯୋଗ ଅଧିବେଶନ ସେହି ଚିରନ୍ତନ ମହାନ ଐତିହ୍ୟକୁ ପ୍ରତିଫଳିତ କରୁଛି।
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ଶୀର୍ଷକ "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ କିମ୍ବା କୌଣସି ନିର୍ଦ୍ଦିଷ୍ଟ ବୟସ ଗୋଷ୍ଠୀ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନ ପ୍ରତି ଏକ ବ୍ୟାପକ ଦୃଷ୍ଟିକୋଣ, ଯାହା ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଜୀବନଶକ୍ତି, ସହନଶୀଳତା ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିଥାଏ।
ସେ କହିଛନ୍ତି ଯେ, ଯୋଗ ବ୍ୟକ୍ତିବିଶେଷଙ୍କୁ ବୟସ ବଢ଼ିବା ସହିତ ସୁସ୍ଥ, ସକ୍ରିୟ ଏବଂ ସତେଜ ରହିବାକୁ ସକ୍ଷମ କରିଥାଏ ଓ ତା ସହିତ ଶାରୀରିକ ନମନୀୟତା, ମାନସିକ ସନ୍ତୁଳନ ଏବଂ ଭାବନାତ୍ମକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିଥାଏ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ ଜୀବନର ସମସ୍ତ କ୍ଷେତ୍ରରେ ସନ୍ତୁଳନର ଗୁରୁତ୍ୱ ଶିକ୍ଷା ଦିଏ।
ଶ୍ରୀମଦ୍ ଭଗବଦ୍ ଗୀତାର ବାଣୀକୁ ଉଲ୍ଲେଖ କରି ସେ କହିଥିଲେ ଯେ ସନ୍ତୁଳିତ ଅଭ୍ୟାସ, ସନ୍ତୁଳିତ କାର୍ଯ୍ୟ ଏବଂ ଏକ ସନ୍ତୁଳିତ ଜୀବନଶୈଳୀ ଉତ୍ତମ ସ୍ୱାସ୍ଥ୍ୟର ମୂଳଦୁଆ ଗଠନ କରେ। ସେ ମନ୍ତବ୍ୟ ଦେଇଥିଲେ ଯେ ଆଧୁନିକ ସମାଜ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ଉତ୍ପତ୍ତି ଜୀବନଶୈଳୀ ଅସନ୍ତୁଳନରୁ ହୁଏ ଏବଂ ଯୋଗ ସମନ୍ୱୟ, ଶୃଙ୍ଖଳା ଏବଂ ଆନ୍ତରିକ ଶାନ୍ତି ପାଇଁ ଏକ ବ୍ୟବହାରିକ ପଥ ପ୍ରଦାନ କରେ।
ଯୋଗର ସାମଗ୍ରିକ ସ୍ୱଭାବ କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାର ଲାଭ କେବଳ ଶାରୀରିକ ସୁସ୍ଥତା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ମାନସିକ ସୁସ୍ଥତା ଏବଂ ଭାବନାତ୍ମକ ସ୍ଥିରତା ପର୍ଯ୍ୟନ୍ତ ବିସ୍ତାରିତ।
ସେ ଉଲ୍ଲେଖ କରିଥିଲେ ଯେ ଯୋଗ ଆତ୍ମ-ସଚେତନତା ବୃଦ୍ଧି କରେ, ଚାପ ହ୍ରାସ କରେ ଏବଂ ଏକ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସମନ୍ୱିତ ସମାଜ ସୃଷ୍ଟି କରିବାରେ ଯୋଗଦାନ ଦିଏ। ସେ କହିଥିଲେ ଯେ ଯୋଗ ବ୍ୟକ୍ତିଗତ ଜୀବନକୁ ଉନ୍ନତ କରିବା ସହିତ ବିଶ୍ୱବ୍ୟାପୀ ସଦ୍ଭାବ, ସହଯୋଗ ଏବଂ ଶାନ୍ତି ବୃଦ୍ଧି ପାଇଁ ଏକ ପ୍ରଭାବୀ ମାଧ୍ୟମ ଭାବରେ ବି କାର୍ଯ୍ୟ କରେ।
ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯୋଗକୁ କେବଳ ଗୋଟିଏ ଦିନର ପାଳନ ମଧ୍ୟରେ ସୀମିତ ରଖନ୍ତୁ ନାହିଁ।
ସେ ଚଳିତ ବର୍ଷ ଆରମ୍ଭ ହୋଇଥିବା "ଯୋଗ ୩୬୫" ଅଭିଯାନ ଏବଂ ୧୦୦ ଦିନିଆ ଅନଲାଇନ୍ ଯୋଗ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୧୩୦ଟି ଦେଶର ୩୦ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ, ଯୋଗକୁ ବ୍ୟାପକ ଭାବେ ଗ୍ରହଣ କରିବା ଦ୍ୱାରା ଏକ ସୁସ୍ଥ, ସଦୃଢ଼ ଏବଂ ଅଧିକ ଆତ୍ମନିର୍ଭରଶୀଳ ସମାଜ ଗଠନରେ ସହାୟତା ମିଳିବ। ସେ "ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ" ପ୍ରାର୍ଥନା ସହ ନିଜର ବକ୍ତବ୍ୟ ଶେଷ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ କୋଲକାତାକୁ ସ୍ୱାଗତ କରିବା ସହ ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ ସମାରୋହ ପାଳନ ନିମନ୍ତେ ପଶ୍ଚିମବଙ୍ଗକୁ ବାଛିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଏକ ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି, ଯେଉଁଥିରେ ଦାର୍ଜିଲିଂଠାରୁ ଦୀଘା ଏବଂ କୁଚବିହାର ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଲୋକମାନେ ଯୋଗ କାର୍ଯ୍ୟକ୍ରମ ଏବଂ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି।
କୋଲକାତା ଏବଂ ସମଗ୍ର ପଶ୍ଚିମବଙ୍ଗରେ ବହୁ ସଂଖ୍ୟାରେ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସେ ଉଲ୍ଲେଖ କରିଥିଲେ, ଯାହାକି ଏକ ଜୀବନଶୈଳୀ ଭାବେ ଯୋଗର ବଢୁଥିବା ଗ୍ରହଣୀୟତାକୁ ଦର୍ଶାଉଛି।
ପଶ୍ଚିମବଙ୍ଗର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି ଶ୍ରୀ ଅଧିକାରୀ ସ୍ବାମୀ ବିବେକାନନ୍ଦ ଓ ଅନ୍ୟ ମହାନ ଚିନ୍ତାନାୟକମାନଙ୍କ ଅବଦାନକୁ ମନେ ପକାଇଥିଲେ, ଯେଉଁମାନେ ମନ, ଶରୀର ଓ ଚରିତ୍ର ଗଠନ କ୍ଷେତ୍ରରେ ଯୋଗର ମହତ୍ବ ଉପରେ ଗୁରୁତ୍ବଆରୋପ କରିଆସିଥିଲେ। ସେ କହିଥିଲେ ଯେ, ଯୋଗର ନୀତିଗୁଡ଼ିକ ଭାରତର ସଭ୍ୟତା ଓ ସଂସ୍କୃତିର ପରମ୍ପରା ସହିତ ଗଭୀର ଭାବେ ଜଡ଼ିତ ଏବଂ ଏହା ଲୋକମାନଙ୍କୁ ଏକ ସନ୍ତୁଳିତ ଓ ଶୃଙ୍ଖଳିତ ଜୀବନ ଜୀଇଁବା ପାଇଁ ଅନୁପ୍ରାଣିତ କରିଚାଲିଛି।
ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହକୁ କୋଲକାତାକୁ ଆଣିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଐତିହାସିକ କାର୍ଯ୍ୟକ୍ରମର ଆୟୋଜନ କରିବାର ସୁଯୋଗ ପାଇଥିବାରୁ ପଶ୍ଚିମବଙ୍ଗବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ସମାବେଶକୁ ଲୋକମାନଙ୍କୁ ସ୍ୱାଗତ କରି କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ ପ୍ରତାପରାଓ ଯାଦବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଯୋଗ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ପ୍ରକୃତ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ ହୋଇଛି।
ସେ ଉଲ୍ଲେଖ କରିଥିଲେ ଯେ ୨୦୧୪ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ ସଂକଳ୍ପ ଗ୍ରହଣ କରାଯିବା ପରଠାରୁ ବର୍ତ୍ତମାନ ୧୮୦ରୁ ଅଧିକ ଦେଶରେ ଯୋଗ ପାଳନ କରାଯାଉଛି, ଯାହାକି ଏହାର ସାର୍ବଜନୀନ ଆକର୍ଷଣ ଏବଂ ସମସାମୟିକ ସମାଜରେ ବଢୁଥିବା ଗୁରୁତ୍ୱକୁ ଦର୍ଶାଉଛି।
ଚଳିତ ବର୍ଷର ଆଭିମୁଖ୍ୟ "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଯାଦବ ମନ୍ତ୍ରଣାଳୟର "ଯୋଗ ୩୬୫" ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ବର୍ଷସାରା ଯୋଗକୁ ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ଉତ୍ସାହିତ କରିବା।
ସେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ, ଡିଜିଟାଲ୍ ଅଂଶଗ୍ରହଣ ଅଭିଯାନ ଏବଂ ଅଭିନବ ଯୋଗ କାର୍ଯ୍ୟକଳାପ ସାମିଲ ରହିଛି।
ଭାରତର ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ପ୍ରଚାର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୁଷ ମନ୍ତ୍ରଣାଳୟ ଆୟୁଷ ସେବାର ସମ୍ପ୍ରସାରଣ ଏବଂ ଦେଶର ସୁସ୍ଥତା ବାତାବରଣକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛି।
କୋଲକାତାର ରେଡ୍ ରୋଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସକାରୀ, ଛାତ୍ର, ସ୍ୱେଚ୍ଛାସେବକ, ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ସାଧାରଣ ଜନତା ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଲୋକ ଯୋଗ ଅଧିବେଶନ, ସାମୁଦାୟିକ କାର୍ଯ୍ୟକ୍ରମ ଏବଂ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହା ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ଆନ୍ଦୋଳନ ଭାବରେ ଯୋଗର ବ୍ୟାପକ ଆକର୍ଷଣକୁ ପ୍ରତିଫଳିତ କରିଥିଲା।
ଏହି କାର୍ଯ୍ୟକ୍ରମରେ ଅଭୂତପୂର୍ବ ଜନ ଅଂଶଗ୍ରହଣ ଦେଖାଯାଇଛି, 'ଯୋଗ ସଙ୍ଗମ' ପୋର୍ଟାଲରେ ପଞ୍ଜିକୃତ ସଂଗଠନ ସଂଖ୍ୟା ଛଅ ଲକ୍ଷ ଟପିଯାଇଛି।
ଏହି ବିପୁଳ ଅଂଶଗ୍ରହଣ ଯୋଗକୁ ଏକ ପ୍ରକୃତ ଗଣଆନ୍ଦୋଳନରେ ପରିଣତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ, ସମ୍ପ୍ରଦାୟ ଏବଂ ନାଗରିକମାନେ ଯେଉଁ ଉତ୍ସାହ ସହିତ ଆଗକୁ ବଢ଼ୁଛନ୍ତି ତାହା ଦର୍ଶାଉଛି।
ବିଶ୍ବର ବିଭିନ୍ନ ସ୍ଥାନରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ସମାରୋହଗୁଡ଼ିକରେ ବି ବିପୁଳ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଛନ୍ତି।
ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ସମନ୍ୱିତ ପ୍ରୟାସ ମାଧ୍ୟମରେ, ୨୧୦ରୁ ଅଧିକ ଭାରତୀୟ ମିଶନ ସମଗ୍ର ବିଶ୍ୱରେ ପ୍ରାୟ ୨,୫୦୦ ସ୍ଥାନରେ ଯୋଗ ଉତ୍ସବର ଆୟୋଜନ କରୁଛନ୍ତି।
ଏହି ଉତ୍ସବରେ ଏକ ସାଂସ୍କୃତିକ ଦିଗ ଯୋଡ଼ିବା ପାଇଁ, ସଂସ୍କୃତି ମନ୍ତ୍ରଣାଳୟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ସହଯୋଗରେ ଦେଶର ୧୦୦ଟି ପ୍ରତିଷ୍ଠିତ ଏବଂ ଐତିହାସିକ ସ୍ଥାନରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମର ଆୟୋଜନ କରିଛି, ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ କୀର୍ତ୍ତିସ୍ତମ୍ଭ ଏବଂ ଯୋଗ ପରମ୍ପରାକୁ ପରସ୍ପର ସହ ଯୋଡ଼ୁଛି।