ଜୁନ୍ ୨୪ରେ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ...

Jun 21, 2026 - 17:38
 5
ଜୁନ୍ ୨୪ରେ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ...

ଜୁନ୍ ୨୪ରେ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ...

ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ଶାସନ କାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ଜୁନ୍ ୨୪, ୨୦୨୬ରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ରାଜ୍ୟବ୍ୟାପୀ ‘ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ’ ଆରମ୍ଭ କରାଯିବ । 

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବା, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାଗୁଡ଼ିକୁ ପ୍ରଦର୍ଶିତ କରିବା ଏବଂ ଓଡ଼ିଶାର ସହରାଞ୍ଚଳର ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ।

ଏହି ପରିପ୍ରେକ୍ଷୀରେ, ରାଜ୍ୟ ସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକାର ଟାଉନ୍ ହଲ୍‌ଠାରେ ଅପରାହ୍ନ ୩:୩୦ ମିନିଟ୍‌ରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଗରିମାମୟ ଉପସ୍ଥିତିରେ ଅନୁଷ୍ଠିତ ହେବ । 

ଏହା ସହିତ ସମାନ୍ତରାଳ ଭାବେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଯେପରିକି ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକରେ ମଧ୍ୟ ସମାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହାଫଳରେ ତୃଣମୂଳ ସ୍ତରରେ ନାଗରିକମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଇପାରିବ ।

ଏହି କାର୍ଯ୍ୟକ୍ରମ “ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ – ସମାବେଶୀ ସହର – ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ” ବିଷୟବସ୍ତୁ ଆଧାରରେ ଆୟୋଜିତ ହେଉଛି । 

ବିଗତ ଦୁଇ ବର୍ଷ ମଧ୍ୟରେ ସହରାଞ୍ଚଳର ବିଭିନ୍ନ କ୍ଷେତ୍ର ଯେପରିକି ପାନୀୟ ଜଳ ଯୋଗାଣ, ପରିମଳ, ସୁଲଭ ମୂଲ୍ୟରେ ବାସଗୃହ, ସହରୀ ଭିତ୍ତିଭୂମି, ସାଧାରଣ ପରିବହନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତିକୁ ସାମ୍ନାକୁ ଆଣି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ନାଗରିକମାନଙ୍କ ମଧ୍ୟରେ ଥିବା ସୂଚନାଗତ ବ୍ୟବଧାନକୁ ଦୂର କରିବା ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ଅଟେ ।

ଏହି ସମ୍ପର୍କ ଅଭିଯାନ ନାଗରିକ ଓ ସରକାରଙ୍କ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ସହ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭ ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ବିକାଶ ଯାତ୍ରାରେ ଜନସାଧାରଣଙ୍କ ମଧ୍ୟରେ ମାଲିକାନା ଭାବନା ଜାଗ୍ରତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାଗରିକମାନଙ୍କୁ ପ୍ରମୁଖ ସହରୀ ବିକାଶ ପ୍ରକଳ୍ପ, ଚାଲୁ ରହିଥିବା ଜନକଲ୍ୟାଣକାରୀ ଯୋଜନା ଏବଂ ସହରାଞ୍ଚଳ ରୂପାନ୍ତରଣ ପାଇଁ ସରକାରଙ୍କ ଆଗାମୀ ରୋଡ୍‌ମ୍ୟାପ୍ ବିଷୟରେ ଅବଗତ କରାଯିବ। 

ଏହି ଅବସରରେ ‘ସହଯୋଗ’ ଯୋଜନା ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସ୍ୱଚ୍ଛ ସାର୍ବଜନୀନ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟାଦେଶ, ମଞ୍ଜୁରୀ ପତ୍ର ଏବଂ ଅଧିକାର ଦଲିଲ ପ୍ରଦାନ କରାଯିବ । 

ଏହାସହ ସହରୀ ଜୀବନଧାରଣର ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ସଫେଇ କର୍ମଚାରୀ, ଟ୍ୟାକ୍ସ ସଂଗ୍ରହକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀଗତ ସହଭାଗୀ ଏବଂ ଅନ୍ୟାନ୍ୟ ସମ୍ମୁଖଭାଗର ସହରୀ ସେବା ପ୍ରଦାନକାରୀଙ୍କ ଅବଦାନକୁ ସ୍ୱୀକୃତି ଦିଆଯିବା ସହ ସେମାନଙ୍କୁ ସମ୍ମାନିତ କରାଯିବ ।

ଅଂଶଗ୍ରହଣମୂଳକ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ, ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର QR କୋଡ୍ ଆଧାରିତ ଡିଜିଟାଲ୍ ମତାମତ ପ୍ଲାଟଫର୍ମ ସହିତ ଭୌତିକ ମତାମତ କାଉଣ୍ଟରଗୁଡ଼ିକର ଶୁଭାରମ୍ଭ କରାଯିବ । 

ନାଗରିକମାନେ ନିଜର ପରାମର୍ଶ ଦେଇପାରିବେ, ଭିତ୍ତିଭୂମିର ଅଭାବ ବିଷୟରେ ଜଣାଇପାରିବେ ଏବଂ ସହରୀ ସେବା ଉପରେ ନିଜର ମତାମତ ଦେଇପାରିବେ, ଯାହା ଶାସନ ପ୍ରକ୍ରିୟାରେ ନାଗରିକମାନଙ୍କର ତତ୍କାଳ ଭାଗିଦାରୀକୁ ସମ୍ଭବ କରିବ ।

ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା ଓଡ଼ିଶାର ସହରାଞ୍ଚଳ ରୂପାନ୍ତରଣ ଯାତ୍ରା ଉପରେ ଏକ ଉପସ୍ଥାପନା ପ୍ରଦାନ କରାଯିବ । 

ଏଥିସହ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । 

ହିତାଧିକାରୀଙ୍କ ଅନୁଭୂତି କଥନ, ଡିଜିଟାଲ୍ ମତାମତ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ମାନ୍ୟବର ମନ୍ତ୍ରୀ ଡ. ମହାପାତ୍ରଙ୍କ ଅଭିଭାଷଣ—ଯେଉଁଥିରେ ସେ ସହରୀ ବିକାଶ ପାଇଁ ସରକାରଙ୍କ ଆଗାମୀ ରୋଡ୍‌ମ୍ୟାପ୍‌ର ରୂପରେଖ ଉପସ୍ଥାପନ କରିବେ, ତାହା ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ହେବ ।

ସାରା ରାଜ୍ୟରେ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ସ୍ଥାନୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରିବେ, ଯେଉଁଥିରେ ପୁରୀ କାର୍ଯ୍ୟକ୍ରମର ସିଧାପ୍ରସାରଣ , ସରକାରୀ ଯୋଜନା ବିଷୟରେ ସଚେତନତା ଶିବିର, ହିତାଧିକାରୀଙ୍କ ସହ ଆଲୋଚନା, ଦୁଇ ବର୍ଷର ସହରୀ ପ୍ରଗତିକୁ ଦର୍ଶାଉଥିବା ସଫଳତା ପୁସ୍ତିକା ବଣ୍ଟନ ଏବଂ ନାଗରିକମାନଙ୍କ ପାଇଁ ଅଭିଯୋଗ ପଞ୍ଜୀକରଣ ସୁବିଧା ଉପଲବ୍ଧ ରହିବ ।

ଏହି କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମର କମିଶନର ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ନାଗରିକ ସମାବେଶ, ମଣ୍ଡପ ପରିଚାଳନା ଏବଂ ସେବା ଯୋଗାଣ ସହାୟତା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଅଭିଯୋଗ ପ୍ରତିକାର ଏବଂ ହିତାଧିକାରୀ ସେବାକୁ ସହଜ କରିବା ପାଇଁ ମନୋନୀତ ନୋଡାଲ୍ ଅଧିକାରୀମାନେ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବେ । କାର୍ଯ୍ୟକ୍ରମ ସମୟରେ ଲୋକଙ୍କ ଅଂଶଗ୍ରହଣର ସ୍ତର, ସେବା ପ୍ରଦାନର ସଫଳତା ଏବଂ ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକୁ ଟ୍ରାକ୍ କରିବା ପାଇଁ ଏକ ରିଅଲ-ଟାଇମ୍ ମନିଟରିଂ ଡ୍ୟାସବୋର୍ଡ ବ୍ୟବହାର କରାଯିବ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦୃଢ଼ ଆଶାବାଦୀ ଯେ, ଏହି ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଜନସାଧାରଣଙ୍କ ବିଶ୍ୱାସକୁ ଅଧିକ ମଜବୁତ କରିବ, ନାଗରିକଙ୍କ ଅଂଶଗ୍ରହଣକୁ ଗଭୀର କରିବ ଏବଂ ଓଡ଼ିଶାରେ ସମାବେଶୀ, ସ୍ଥାୟୀ ଓ ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇବ।

         .......