ଗର୍ଭଣା ସଂକ୍ରାନ୍ତି (Garvana Sankranti) ର ପ୍ରଚ୍ଛଦପଟ ର କାହାଣୀ...
ଗର୍ଭଣା ସଂକ୍ରାନ୍ତି ଗୋଟିଏ କୃଷି ପର୍ବ। ଗର୍ଭଣୀ ଶବ୍ଦରୁ ଗର୍ଭଣା ଶବ୍ଦର ଉତ୍ପତ୍ତି ହୋଇଛି। କାର୍ତ୍ତିକ ମାସ ତୁଳା ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ଏ ଗର୍ଭଣା ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହି ସମୟରେ ଧାନକେଣ୍ଡା ଧାନ ଗଛର ଗର୍ଭରେ ଲୁଚି ରହିଥାଏ।
ଲୋକକଥା ଅନୁସାରେ- “ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ।” ଅର୍ଥାତ୍, ଆଗ ପଛ ହୋଇ ଧାନ ବୁଣା ହେଲେ ମଧ୍ୟ ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛରେ ଥୋଡ଼ ଧରିଥାଏ।
ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି। ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜାକରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି।
ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ।*
ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି।
ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲାପରେ ଧାନକ୍ଷେତରେ ପୋତି ଦିଅନ୍ତି। ଜମିରେ ଖିରି ପ୍ରସ୍ତୁତ କରି ପୂଜା କରନ୍ତି। କେତେକ ସ୍ଥାନରେ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପୂଜା କରନ୍ତି। ଏହି ସମୟରେ ଚାଷ ହେଉଥିବା ଧାନର ଅନ୍ୟନାମ ‘ଶାରଦ’ ବା ‘ହୈମନ୍ତିକ’ ଧାନ। କାରଣ ଏହି ଧାନ ଫସଲର ମୁଖ୍ୟ ସମୟ ଶରତ ଓ ହେମନ୍ତ ଋତୁ।
ଧାନ,ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ବିଚାର କରାଯାଏ | କାରଣ ଏହା ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ, କୋଷ, ପୁଷ୍ପ ଓ କ୍ଷୀର ଅଟେ।
ଲକ୍ଷ୍ମୀଙ୍କ ସହିତ ଧାନ ସର୍ବଦା ଜଡ଼ିତ ହୋଇଥିବାରୁ ଏହାକୁ ପ୍ରଜନନ ଶକ୍ତିର ପ୍ରତୀକ (ଧାନମେଣ୍ଟା, ମାଣଧାନ ଆଦି) ଭାବରେ ପୂଜା କରାଯାଇଥାଏ।
ଏହା ସମସ୍ତ ପ୍ରାଣୀଙ୍କର ପ୍ରାଣର ଆଧାର ହୋଇଥିବାରୁ ଏହାର ମାନ୍ୟତା ସବୁବେଳେ ଆଗରେ ରହିଛି।
????ପୂଜା ଵିଧି : ସକାଳୁ ସକାଳୁ ଉଠି ଘର ଧୂଆପୋଛା କରାଯାଏ। ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କାଯାଏ। ପୁରୁଷମାନେ ସକାଳୁ ଉଠି ଅଧୁଆ ମୁହଁରେ ଯାଇ ବତା ଗଛ, ଅଣୁଖା, ଗଡ଼ଗଡ଼ା, ଭୂଆଁଳ, ପଳାଶ, ନଟିକଣ୍ଟି, ସୁନାରି, ନେୱା, ଗହ୍ମାରୀ, ବାଉଁଶ ଆଦି ଗଛର ଡାଳପତ୍ର ଓ କଇଁଫୁଲ ସଂଗ୍ରହ କରି ଆଣନ୍ତି।
ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି। ତା' ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି କଳସ ବସାଇ ପୂଜା କରନ୍ତି ଓ ଭୋଗ ଦିଅନ୍ତି। ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି।
ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷମାନେ ଏହାକୁ ଧରି ଘରୁ ବାହାରନ୍ତି।
ପ୍ରଥମେ ଘର ଚାଳ ଓ ଖତଗଦାରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ାକୁ ନେଇ ଧାନ କ୍ଷେତକୁ ଯାଆନ୍ତି।
????ସେଠାରେ ପ୍ରତି କ୍ଷେତର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି । ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ୱାସ ଅଛି ।
????ଏହି ସଂକ୍ରାନ୍ତି ପୂର୍ବଦିନ ଜ୍ୟୋତିଷ ଶୁଭମୂହୁର୍ତ୍ତ ବିଷୟରେ ସୂଚନା ଦେବା ସହ ପ୍ରଥମେ କେଉଁ ଗଛର ଡାଳ କାଟିବାକୁ ହେବ ସେକଥା ମଧ୍ୟ କହିଥାନ୍ତି।
????ଅନେକ ଅଞ୍ଚଳର ଏହିଦିନର ମୁଖ୍ୟ ପିଠା ହେଉଛି ବିରି ଚକୁଳି।
????ଚାଷ କାମର ମୁଖ୍ୟ ସହାୟକ ବଳଦଙ୍କୁ ଏହିଦିନ ବିରି ଚକୁଳି ଖାଇବାକୁ ଦିଆଯାଏ।
ମହାଭାରତ ଅନୁସାରେ, ଏହାମଧ୍ୟ ଏକାଧାରରେ ଦେବତାମାନଙ୍କ ନିମିତ୍ତ ଅନ୍ନ (ଅମୃତ) ଚରୁ ଭାବରେ, ନାଗମାନଙ୍କର ଅନ୍ନ ସୁଧା (କ୍ଷୀର) ଭାବରେ, ପିତୃପୁରୁଷଙ୍କ ନିମିତ୍ତ ଅନ୍ନ ସ୍ୱଧା (ପିଣ୍ଡ) ଭାବରେ ଏବଂ ପଶୁମାନଙ୍କର ଅନ୍ନ ତୃଣଲତା ଆଦି ଭାବରେ ଉତ୍ପନ୍ନ ହୋଇ ଅନ୍ନଦାନରେ ସମର୍ଥ ହୋଇଥାଏ।
ଲୋକ ବିଶ୍ୱାସ ଅନୁଯାୟୀ ବିଶେଷ କରି ପୁରୀ ଜିଲ୍ଲାରେ ଏହିଦିନ ଏକ ନୂତନ ହାଣ୍ଡିରେ ଜୀବନ୍ତ ନାଗସର୍ପ କୁ ରଖାଯାଇ ସହର ପରିକ୍ରମା କରା ଯାଇଥାଏ। ଏବଂ ସନ୍ଧ୍ୟାରେ ସେ ସର୍ପ କୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଏ।ଏହି ସମୟରେ ସମସ୍ତଙ୍କୁ ଚକ୍ର କେଦାର ଗଦ ପ୍ରସାଦ ଭାବରେ ସେବନ କରିବାକୁ ଦିଆଯାଏ।ଏହା ପଛ ରେ ଏକ ବିଶେଷ କାରଣ ରହିଛି ଯେ ଏହିଦିନ ଗଦ ସେବନ କଲେ ସର୍ପଦଂଶନ ର ଭୟ ରହି ନଥାଏ।ଅନେକ ସ୍ଥାନରେ ଲୋକେ ଗର୍ଭ ପୁରାଇ ଭୋଜନ ମଧ୍ୟ କରିଥାନ୍ତି। ସର୍ବୋପରି କହିବାକୁ ଗଲେ ଏହା ଆମ ଧର୍ମ ଓ ବିଶ୍ୱାସର ଏକ ବିଶେଷ ଦିନ।