ଜୟଦେବ ସମାରୋହ ଉଦ୍ଯାପିତ...
ଜୟଦେବ ସମାରୋହ ଉଦ୍ଯାପିତ...
ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ନାଟକ ରୋମିଓ ଜୁଲିଏଟ୍
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ ଜୟଦେବ ସମାରୋହ ଆଜି ଉଦ୍ଯାପିତ ହୋଇଯାଇଛି।
ମାର୍ଚ୍ଚ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଉତ୍କଳ ମଣ୍ଡପ ଠାରେ ଜୟଦେବ ସମାରୋହ ଆୟୋଜିତ ହୋଇଥିଲା।
ଏହି ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ବିଶିଷ୍ଟ ନାଟ୍ୟକାର ଧୀରେନ୍ଦ୍ର ନାଥ ମଲ୍ଲିକ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ର କଲ୍ୟାଣ ସମିତିର ସଭାପତି ଶ୍ରୀ ଲାଲାବିରେନ୍ ରାୟ, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଦୀର୍ଘ ବର୍ଷର ଗୌରବମୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।
ଓଡ଼ିଶାର ଅନନ୍ୟ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହ ଓଡ଼ିଶାର କଳା ଜଗତରେ ସାରସ୍ୱତ ପ୍ରତିଭା ସୃଷ୍ଟି କରିବା ଦିଗରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଏହି ଉଦ୍ଯାପନୀ ସନ୍ଧ୍ୟାରେ ଗୁରୁ ଡ଼. ସମିତାରାଣୀ ମହାନ୍ତି, ଗୁରୁ ଶ୍ରୀ ସଞ୍ଜୟ ସାହା ଓ ଗୁରୁ ଶ୍ରୀ ନିତ୍ୟାନନ୍ଦ ରାଉତଙ୍କ ନିର୍ଦ୍ଦେଶନାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ରଛାତ୍ରୀମାନେ ନାଟକ "ରୋମିଓ ଜୁଲିଏଟ୍" ପରିବେଷଣ କରିଥିଲେ, ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ପରିଚାଳନା କରିଥିଲେ।