ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ...

Nov 26, 2026 - 12:20
 6
ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ...

ଏମ୍ଓୟୁରେ ସୀମିତ ବିଜେପି ସରକାରର ପୁଞ୍ଜିନିବେଶ: ବିଜେଡି

ବିଜେଡି ସରକାର ଅମଳରେ ଜାତୀୟ ହାରଠୁ ଢେର ଆଗରେ ଥିଲା ଓଡ଼ିଶାରେ ପୁଞ୍ଜିନିବେଶ ହାର

ଏମ୍ଓୟୁକୁ ନିବେଶରେ ପରିଣତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ

ରାଜ୍ୟରେ କେତେ ପୁଞ୍ଜିନିବେଶ ହୋଇଛି ଶ୍ୱେତପତ୍ର ଜାରି କରନ୍ତୁ ସରକାର

ରାଜ୍ୟରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦେଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । 

ପାରାଦୀପରେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ରାଜ୍ୟରେ ମୋଟ ନିବେଶ ପ୍ରସ୍ତାବ ପ୍ରାୟ ୨୩.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । କିନ୍ତୁ ଏହା ମଧ୍ୟରୁ କେବଳ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ କାର୍ଯ୍ୟକାରୀ ପର୍ଯ୍ୟାୟରେ ପହଞ୍ଚିଥିବା କହିଛି ବିଜେଡି ।  

ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଏହା ହେଉଛି ଡବଲ ଇଞ୍ଜିନ ସରକାରର ନିବେଶ ନୀତିର ସବୁଠାରୁ ବଡ଼ ବିଫଳତାର ପ୍ରମାଣ । 

ଲକ୍ଷ ଲକ୍ଷ କୋଟିର ଏମ୍ଓୟୁ ଓ ଇଣ୍ଟେଣ୍ଟ ଘୋଷଣା କରି ପ୍ରଚାର କରିବା ଏବଂ ସେଗୁଡ଼ିକୁ ବାସ୍ତବ ନିବେଶ ଓ କାରଖାନାରେ ପରିଣତ କରିବା ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟରେ ନିବେଶ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଦାବି କରୁଛନ୍ତି, ତାହାର ଏକ ଛୋଟ ଅଂଶ ମାତ୍ର କାର୍ଯ୍ୟକାରୀ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଯେ, ଏମ୍ଓୟୁକୁ ବାସ୍ତବ ନିବେଶରେ ପରିଣତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

 ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାକୁ ପୁଞ୍ଜି ନିବେଶର ସୁଅ ଛୁଟୁଥିଲା । ବିଜେଡି ସରକାର ସମୟରେ ଓଡ଼ିଶାରେ ନିବେଶ ହାର ଜାତୀୟ ନିବେଶ ହାରଠୁ ଢେର ଅଧିକ ଥିଲା । 

ନୀତି ଆୟୋଗ ଓ ଆରବିଆଇ ଓଡ଼ିଶାର ନିବେଶ ହାରକୁ ପ୍ରଶଂସା କରିଥିଲେ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ସରକାର କେବଳ ଘୋଷଣା ଓ ଫଟୋ ସେସନ୍ରେ ବ୍ୟସ୍ତ । ବିଦେଶ ଯାତ୍ରା, ଇନଭେଷ୍ଟସର୍୍ ମିଟ୍ ଓ ଏମ୍ଓୟୁ ସ୍ୱାକ୍ଷର କରି ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ସରକାର ।

 ରାଜ୍ୟରେ କାରଖାନା ପ୍ରତିଷ୍ଠା ହେଉନାହିଁ, ନିଯୁକ୍ତି ନ ପାଇ ଯୁବକମାନେ ରାଜ୍ୟ ଛାଡ଼ି ବାହାରକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଦେଶୀ ନିବେଶ ନାମମାତ୍ର ରହିଛି । 

ଅନେକ ପ୍ରକଳ୍ପ ଓଡ଼ିଶାରୁ ମୁହଁ ଫେରାଇ ଚାଲିଯାଉଛନ୍ତି । ଡବଲ ଇଞ୍ଜିନ ସରକାର ଅର୍ଥନୈତିକ ଦିଗରୁ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବିଜେପି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର, ବିକାଶମୁଖୀ ସରକାର ନୁହେଁ । ଓଡ଼ିଶାର ଯୁବପିଢ଼ୀ ଚାକିରି ଚାହୁଁଥିବା ବେଳେ ସରକାର ଏମ୍ଓୟୁର ଫଟୋ ଦେଖାଉଛନ୍ତି । 

ସରକାର ତୁରନ୍ତ ପ୍ରକଳ୍ପ ଭିତ୍ତିକ ସମ୍ପୂର୍ଣ୍ଣ ତଥ୍ୟ ସହ ଶ୍ୱେତପତ୍ର ପ୍ରକାଶ କରନ୍ତୁ । କେଉଁ ଏମ୍ଓୟୁ କେଉଁ ପର୍ଯ୍ୟାୟରେ ଅଛି, କେତେ ପୁଞ୍ଜି ଆସିଛି, କେତେ ଲୋକ କାମ ପାଇଛନ୍ତି ଏବଂ କେଉଁ ପ୍ରକଳ୍ପ ବାହାରି ଯାଇଛି ତାହାର ତଥ୍ୟ ଦିଅନ୍ତୁ ସରକାର । 

ନିବେଶ ନେଇ ଡବଲ ଇଞ୍ଜିନ ସରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କ ସହ ଯେଉଁ ପ୍ରତାରଣା କରୁଛନ୍ତି, ତାହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ।