ନିଆଁରେ ଜୀଅନ୍ତା ଜଳିଗଲେ ମହିଳା
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଘଟିଛି ଲୋମଟାଙ୍କୁରା ଘଟଣା । ନିଆଁରେ ଜଳିଗଲେ ମହିଳା । ମୃତା ମହିଳାଜଣକ ହେଲେ ୨୮ ବର୍ଷୀୟା ଅର୍ଚ୍ଚନା ବେହେରା । ଅର୍ଚ୍ଚନା ପ୍ରାୟ ୧୨ ବର୍ଷ ପୂର୍ବେ ରସଲପୁର ଗାଁର ଭାସ୍କର ବେହେରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି। ଭାସ୍କର ବାହାରେ ରହି କାମ କରୁଥିବା ବେଳେ ମଝିରେ ଗାଁକୁ ଆସି ରହିଥାନ୍ତି। ଭାସ୍କର ନିଜ ପରିବାର ସହ ଗାଁରେ ରହୁଥିବା ବେଳେ ତାଙ୍କ ବାପାମା’ ଅନ୍ୟତ୍ର ରହୁଥିଲେ। ଆଜି ସକାଳେ ପିଲାମାନେ ସ୍କୁଲ ଚାଲିଯିବା ପରେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ହଠାତ୍ ଅର୍ଚ୍ଚନାଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ବେଳେ ସେ ହୁତୁହୁତୁ ହୋଇ ଜଳୁଥିଲେ। ଅର୍ଚ୍ଚନାଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ଦୌଡ଼ି ଆସିଥିଲେ ବି ନିଆଁକୁ ଲିଭାଇ ପାରି ନ ଥିଲେ। ସେମାନେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ କଲ୍ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସେତେବେଳକୁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇ ସାରିଥିଲା। ନିଆଁ ଏତେ ଜୋର ଜଳି ଥିଲା ଯେ, ଘରର ବହୁ ଆସବାବପତ୍ର ବି ଜଳି ଯାଇଛି। ଏହି ଘଟଣା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଭାସ୍କର ଫେରାର ହୋଇ ଯାଇଛନ୍ତି। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।