ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ...
ଯୁବପିଢ଼ିଙ୍କୁ ଦକ୍ଷତା, ଜ୍ଞାନ, ଆତ୍ମବିଶ୍ୱାସ ଓ ସୁଯୋଗ ଯୋଗାଇ ଦେବା ଭଳି ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିବା ଆବଶ୍ୟକ।
ଏହା ମାଧ୍ୟମରେ ଯୁବକ-ଯୁବତୀମାନେ ନବସୃଜନ, ଉଦ୍ୟୋଗୀକରଣ ଓ ସ୍ଥାୟୀ ବିକାଶରେ ନିଜର ଅବଦାନ ରଖିପାରିବେ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ‘ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଯୁବପିଢ଼ିଙ୍କୁ ନୂଆ ଉଦ୍ୟୋଗ ପ୍ରତିଷ୍ଠା, ଗବେଷଣା, ଉଦୀୟମାନ ପ୍ରଯୁକ୍ତିର ବ୍ୟବହାର ଏବଂ ପରିବେଶ ଅନୁକୂଳ ଓ ସ୍ଥାୟୀ ସମାଧାନ ବିକଶିତ କରିବା ପାଇଁ ଉତ୍ସାହିତ କରାଯିବା ଦରକାର।
ଓଡ଼ିଶାର ପ୍ରଗତିରେ ଅବଦାନ ରଖୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରୁଥିବାରୁ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍କୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଏଭଳି ପଦକ୍ଷେପ ଉତ୍କର୍ଷତାକୁ ସମ୍ମାନ ଦେବା ସହ ନୂଆ ଆକାଂକ୍ଷା ସୃଷ୍ଟି କରେ ଏବଂ ରାଜ୍ୟର ବିକାଶ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ମଜଭୁତ କରେ ବୋଲି ସେ କହିଥିଲେ।
ଏଥି ସହିତ ରାଜ୍ୟପାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସେମିକଣ୍ଡକ୍ଟର, ରୋବୋଟିକ୍ସ, ବାୟୋଟେକ୍ନୋଲୋଜି, କ୍ୱାଣ୍ଟମ୍ ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଡିଜିଟାଲ୍ ଭିତ୍ତିଭୂମି, ଉନ୍ନତ ଉତ୍ପାଦନ, ମହାକାଶ ପ୍ରଯୁକ୍ତି ଓ ବ୍ଲୁ ଇକୋନୋମି ଭଳି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି।
ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।
ଏହି ଅଭିବୃଦ୍ଧି ଏକ ସୁଯୋଗ ସହ ଏକ ଦାୟିତ୍ୱ ମଧ୍ୟ। ଏହାକୁ ନିଯୁକ୍ତି, ନବସୃଜନ, ସମୃଦ୍ଧି ଓ ଉନ୍ନତ ଜୀବନଧାରଣରେ ପରିଣତ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ଓଡ଼ିଶା ଏବେ ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି ବୋଲି ରାଜ୍ୟପାଳ କହିଥିଲେ। ପ୍ରାକୃତିକ ସମ୍ପଦ, ଦୀର୍ଘ ସମୁଦ୍ରତଟ, ମାନବ ସମ୍ବଳ, ସାଂସ୍କୃତିକ ଐତିହ୍ୟ ଓ ଉଦ୍ୟୋଗୀ ମନୋଭାବ ରାଜ୍ୟର ବିକାଶ ପାଇଁ ମଜଭୁତ ଭିତ୍ତି ପ୍ରଦାନ କରୁଛି।
ରାସ୍ତା, ରେଳପଥ, ବନ୍ଦର, ଶିଳ୍ପ କରିଡର, ସହରୀ ଭିତ୍ତିଭୂମି, ଶକ୍ତି ବ୍ୟବସ୍ଥା ଓ ଡିଜିଟାଲ୍ ସଂଯୋଗ କ୍ଷେତ୍ରରେ ହେଉଥିବା ଉନ୍ନତି ରାଜ୍ୟର ବିକାଶ ସମ୍ଭାବନାକୁ ଆହୁରି ମଜଭୁତ କରୁଛି ବୋଲି ରାଜ୍ୟପାଳ କହିଥିଲେ।
କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍, ବଢ଼ୁଥିବା ରେଳ ସଂଯୋଗ, ବନ୍ଦରଭିତ୍ତିକ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ନିବେଶ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ଉନ୍ନତ ପ୍ରଯୁକ୍ତି ଓ ସେମିକଣ୍ଡକ୍ଟର କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ଭାବେ ଉଭା ହେଉଛି।
ସ୍ଥାୟୀ ବିକାଶ ପାଇଁ ସରକାର, ଶିଳ୍ପ, ଉଦ୍ୟୋଗୀ, ନିବେଶକ, କୃଷକ, ଶ୍ରମିକ, ଶିକ୍ଷାବିତ୍, ବୈଜ୍ଞାନିକ, ନାଗରିକ ସମାଜ ଓ ଯୁବପିଢ଼ିଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ରାଜ୍ୟପାଳ ମତ ଦେଇଥିଲେ।
ସରକାରୀ ନୀତି ଓ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ଯୋଗସୂତ୍ରକୁ ଆହୁରି ସୁଦୃଢ଼ କରିବାକୁ ଗଣମାଧ୍ୟମକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।
ସରକାରୀ ପଦକ୍ଷେପ ଓ ଯୋଜନାଗୁଡ଼ିକୁ ସରଳ ଭାଷାରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସୁଯୋଗ ଓ ଯୋଜନା ସମ୍ପର୍କିତ ସୂଚନାକୁ ତୃଣମୂଳସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରିପାରିବ ବୋଲି ସେ କହିଥିଲେ।
ପୁରସ୍କାରପ୍ରାପ୍ତ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ସେମାନଙ୍କ ସଫଳତା କଠୋର ଅଧ୍ୟବସାୟ, ନବସୃଜନ ଓ ଦାୟିତ୍ୱବୋଧ ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ଦୀର୍ଘସ୍ଥାୟୀ ଜନକଲ୍ୟାଣ ସୃଷ୍ଟି କରାଯାଇପାରେ ବୋଲି ପ୍ରମାଣ କରୁଛି।
ସମୃଦ୍ଧ, ସମାବେଶୀ, ନବସୃଜନ, ସ୍ଥାୟୀ, ଦକ୍ଷ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଓଡ଼ିଶା ଗଠନ ସହ ‘ବିକଶିତ ଭାରତ’ ନିର୍ମାଣରେ ରାଜ୍ୟ ଅବଦାନ ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ପ୍ରାରମ୍ଭରେ ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ରେସପନ୍ସ ହେଡ୍ ପ୍ରଜ୍ଞାବ୍ରତ ବ୍ରହ୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ବ୍ୟୁରୋ ଚିଫ୍ ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ