ନୂତନ ଅପରାଧିକ ଆଇନ କର୍ମଶାଳା .

ରାଜ୍ୟ ପୋଲିସ ମୁଖ୍ୟାଳୟ
ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ "ନୂତନ ଅପରାଧିକ ଆଇନ" ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତିନୋଟି ନୂତନ ଆଇନର ମୌଳିକ ଉପାଦାନ ଉପରେ ଆଲୋକପାତ କରିଥିଲେ।
ଏହି କର୍ମଶାଳାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନ (ସିବିଆଇ) ର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ଶ୍ରୀ ଧରମ ଚାନ୍ଦ ଜୈନ ଓ ସିବିଆଇ ର prosecution ନିର୍ଦ୍ଦେଶିକା ଶ୍ରୀମତୀ ପଦ୍ମିନୀ ସିଂହ Resource Person ଭାବେ ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ |
ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ମର୍ଯ୍ୟାଦାକୁ ସୁରକ୍ଷା ଦେବା ପାଇଁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଦୃଢ ଇଚ୍ଛାଶକ୍ତି ଏବଂ ବୃତ୍ତିଗତ୍ତ ଦକ୍ଷତାର ସହିତ ଏହି ଆଇନଗତ ସଂସ୍କାର ଭାରତର ନ୍ୟାୟିକ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ଏବଂ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ମଜବୁତ କରି ଗଢି ତୋଳିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।
ଏହି ନୂତନ ଅପରାଧିକ ଆଇନ ଗୁଡିକ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରିବା ସହ ଆଧୁନିକ ଭାରତର ଗଣତନ୍ତ୍ର, ସାମ୍ବିଧାନିକ ଏବଂ ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ ।
ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାର ପ୍ରାଥମିକ ସଂସ୍ଥା ହେଉଛି ପୋଲିସ। ତେଣୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଆଇନର ପ୍ରତିଟି ଶବ୍ଦ ସହିତ ଏହାର ଆତ୍ମାକୁ ମଧ୍ୟ ସଠିକ ଭାବେ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।
ଏହା ସହ ତଦନ୍ତରେ ଦକ୍ଷତା ବୃଦ୍ଧି, ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହି ନୂତନ ଆଇନ ଆହୁରି ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ଏହି ନୂତନ ଆଇନ ଆତଙ୍କବାଦ, ସଂଗଠିତ ହତ୍ୟା ଏବଂ ସଂଗଠିତ ଅପରାଧ ଭଳି ଜଘନ୍ୟ ଅପରାଧର ବ୍ୟାପକ ସଂଜ୍ଞା ପ୍ରଦାନ କରି ଅଛି। ସମୟସୀମା, ଇଲେକ୍ଟ୍ରୋନିକ୍ ସମନ, ଇ-FIR, ବୟାନର ଭିଡିଓ ରେକର୍ଡିଂ ଏବଂ ଡିଜିଟାଲ୍ ଫୋରେନ୍ସିକ୍ କୌଶଳ ଭଳି ଡିଜିଟାଲ୍ ଉପକରଣର ବ୍ୟବହାରକୁ ଏହି ଆଇନ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଥିଲେ।
ଏହି କର୍ମଶାଳା ରେ ଭୁବନେଶ୍ୱର ଓ କଟକ ରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ, ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ସମସ୍ତ ପୋଲିସ ରେଞ୍ଜ ର ପୋଲିସ ଅଧିକାରୀ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପୋଲିସ ଏକାଡେ଼ମୀ ର ନିର୍ଦ୍ଦେଶକ ଶ୍ରୀ ସଂଜୀବ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଜି ତାଲିମ ଶ୍ରୀ ଅନୁପ ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ ।