ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଅନୁଗୋଳ ସ୍ଥିତ ସ୍ମେଲଟର ର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ସଂଶ୍ଳିଷ୍ଟ ଶିଳ୍ପ ପ୍ରତିଷ୍ଠାନ
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଅନୁଗୋଳ ସ୍ଥିତ ସ୍ମେଲଟର ର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ସଂଶ୍ଳିଷ୍ଟ ଶିଳ୍ପ ପ୍ରତିଷ୍ଠାନ ଏବଂ ସଂଗଠନଗୁଡ଼ିକ ଙ୍କ ସହ ଗତକାଲି ଭୁବନେଶ୍ୱରଠାରେ ଏକ ପାରସ୍ପରିକ ଆଲୋଚନା ବୈଠକ ଆୟୋଜିତ ହୋଇଯାଇଛି ।
ଏହି ବୈଠକରେ ଭାରତ ତଥା ବିଦେଶର ପ୍ରାୟ ୪୦ଟି ସଂସ୍ଥାର ୧୪୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ଉପକରଣ ନିର୍ମାତା, ଇପିସି ଠିକାଦାର ଏବଂ ପରାମର୍ଶଦାତା ସାମିଲ ଥିଲେ ।
ଏହି ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ନାଲକୋର ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଭାରତରେ ଆଲୁମିନିୟମ କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଦେଶରେ ବାର୍ଷିକ ₹୧୦ ଲକ୍ଷ କୋଟିରୁ ଅଧିକ ଭିତ୍ତିଭୂମି ନିବେଶ ସହିତ ବିଦ୍ୟୁତ୍, ପରିବହନ, ଭିତ୍ତିଭୂମି, ପ୍ୟାକେଜିଂ, ବୈଦ୍ୟୁତିକ ଯାନବାହନ ଏବଂ ଗ୍ରାମୀଣ ବିଦ୍ୟୁତୀକରଣ ଭଳି କ୍ଷେତ୍ରରେ ବଢୁଥିବା ବ୍ୟବହାର ଯୋଗୁଁ ଆଗାମୀ ଦିନରେ ଆଲୁମିନିୟମର ଚାହିଦା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ନାଲକୋ ଅନୁଗୋଳ ସ୍ମେଲଟର ର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରି, ବ୍ୟୟ ଏବଂ ସମୟସୀମାର ବ୍ୟତିକ୍ରମକୁ ଏଡ଼ାଇବା, ଘରୋଇ ମୂଲ୍ୟ ଅଭିବୃଦ୍ଧି, ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଏବଂ ଗୁଣବତ୍ତା ପ୍ରତି ନିରନ୍ତର ପ୍ରତିବଦ୍ଧତା ଭଳି ବିଷୟ ଉପରେ ସେ ଗୁରୁତ୍ୱ ଦେଇଥିଲେ । ବାଣିଜ୍ୟିକ ସର୍ତ୍ତରେ କୌଣସି ବ୍ୟତିକ୍ରମ ନ ରଖିବା, ସମୟବଦ୍ଧ ଟେଣ୍ଡରିଂ-ଟୁ-ଅର୍ଡରିଂ, କାର୍ଯ୍ୟାବଳୀରେ ସ୍ପଷ୍ଟତା ତଥା ଦେୟ ସର୍ତ୍ତାବଳୀ ଏବଂ ଏକ ଦୃଢ଼ ପ୍ୟାକେଜିଂ ବ୍ୟବସ୍ଥା ଇତ୍ୟାଦି ବିଷୟ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ ।
ସମ୍ବଳ, ପ୍ରଯୁକ୍ତିବିଦ୍ୟା ସହଭାଗୀତା ଏବଂ ସଂସ୍ଥାଗତ ପ୍ରତିବଦ୍ଧତା ଦୃଷ୍ଟିରୁ ନାଲକୋ ର ପ୍ରସ୍ତୁତିକୁ ପୁନଃ ନିଶ୍ଚିତ କରି, ସେ ଶିଳ୍ପ ଅଂଶୀଦାରମାନଙ୍କୁ ନିର୍ଦ୍ଧାରିତ ବ୍ୟୟ, ସମୟସୀମା ତଥା ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପ୍ରକଳ୍ପ ସଫଳ ହସ୍ତାନ୍ତର କରିବା ପାଇଁ ଆନ୍ତରିକ ସହଯୋଗର ମନୋଭାବ ପୋଷଣ କରିବା ଉପରେ ଜୋର ଦେଇଥିଲେ ।
ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ), ନିଜ ବକ୍ତବ୍ୟରେ ନାଲକୋର ପ୍ରଭାବଶାଳୀ ଯୋଜନା ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ପ୍ରକଳ୍ପ ପ୍ରସ୍ତୁତି ପର୍ଯ୍ୟାୟରୁ ହିଁ ଶିଳ୍ପ ଅଂଶୀଦାରମାନଙ୍କୁ ସାମିଲ କରିବାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ସମନ୍ୱିତ ଆଲୁମିନିୟମ୍ ଉତ୍ପାଦନରେ ନାଲକୋର ଦୀର୍ଘ ଚାରି ଦଶନ୍ଧିର ଯାତ୍ରା ଉପରେ ଆଲୋକପାତ କରି, ସେ କମ୍ପାନୀର ପରବର୍ତ୍ତୀ ପ୍ରମୁଖ ଅଭିବୃଦ୍ଧି ପଦକ୍ଷେପ ଉପରେ ସୂଚନା ପ୍ରଦାନ କାରିଥିଲେ ।
ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍ ର ୪୭୩ କେଏ ଯୁକ୍ତ ଉନ୍ନତ ଡି ଏକ୍ସ ପ୍ଲସ ଅଲ୍ଟ୍ରା ପ୍ରଯୁକ୍ତିବିଦ୍ୟାର ଉପଯୋଗ ମାଧ୍ୟମରେ ଅନୁଗୋଳ ସ୍ଥିତ ସ୍ମେଲ୍ଟରର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଦ୍ୱାରା ପ୍ରତିବର୍ଷ ୦.୫ ନିୟୁତ ଟନ୍ ଆଲୁମିୟମ ଉତ୍ପାଦିତ ହେବ । ସନ୍ତୁଳିତ ପ୍ୟାକେଜ୍ ଗଠନ, ସ୍ପଷ୍ଟ ଇଣ୍ଟରଫେସ୍, ବର୍ଦ୍ଧିତ ସ୍ଥାନୀୟକରଣ ଏବଂ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ନିର୍ଭରଯୋଗ୍ୟତାକୁ ସେ ଗୁରୁତ୍ୱାରୋପ କରିଥିଲେ।
ସେ ପ୍ୟାକେଜିଂ, ବାଣିଜ୍ୟିକ ନିୟମାବଳୀ, ଉପକରଣ ଉପଲବ୍ଧତା ସମୟ ପରିଚାଳନା, ଉତ୍ପାଦନ କ୍ଷମତା ଏବଂ ମେକ୍ ଇନ୍ ଇଣ୍ଡିଆ ସୁଯୋଗ କ୍ଷେତ୍ରରେ ଶିଳ୍ପ ସହଯୋଗୀ ଅଂଶଗ୍ରହଣକାରୀଙ୍କଠାରୁ ସ୍ପଷ୍ଟ ଏବଂ ଗଠନମୂଳକ ମତାମତ ଆମନ୍ତ୍ରଣ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏହି ମତାମତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଏବଂ ପରବର୍ତ୍ତୀ ବିଡ୍ ଡକ୍ୟୁମେଣ୍ଟଗୁଡ଼ିକୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏହି ବୈଠକ ସମୟରେ, ନାଲକୋ ର ପ୍ରସ୍ତାବିତ ୦.୫ ଏମଟିପିଏ 'ବ୍ରାଉନ୍ଫିଲ୍ଡ' ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ବୈଷୟିକ ଲାଇସେନ୍ସ ସହଯୋଗୀ ଅଂଶୀଦାର 'ଡୁବାଲ୍-ଇଜିଏ', ଏହି ପ୍ରକଳ୍ପ ଏବଂ ଏଥିପାଇଁ ପ୍ରସ୍ତାବିତ ଜ୍ଞାନକୌଶଳ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ ।
ଏଥି ସହ, 'ଏମ୍.ଏନ୍. ଦସ୍ତୁର ଆଣ୍ଡ କୋ.' ପକ୍ଷରୁ ପ୍ରକଳ୍ପର ଏକ ବିସ୍ତୃତ ବିବରଣୀ ସହ 'ବିସ୍ତୃତ ପ୍ରକଳ୍ପ ରିପୋର୍ଟ' ର ସଦ୍ୟତମ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ।
ଫିବ୍ସ ସଲିଅସ, ରିଲ ଆଲେସା, ରିଧାମର , ପ୍ରପାରଜି,ହେର୍ତ୍ତୱିକ, ଏଲ ଆଣ୍ଡ ଟି, ଶପୁରଜି ପାଲୋନଜୀ ଗ୍ରୁପ, ଏଚସିସି , ଜିଇ ବେରୋନା, ଟେକମୋ, ହେନକୋନ ଏବଂ ଅନ୍ୟାନ୍ୟ ଅଗ୍ରଣୀ ବିଶ୍ୱସ୍ତରୀୟ ତଥା ଘରୋଇ ଶିଳ୍ପ ସହଯୋଗୀମାନଙ୍କ ଦ୍ୱାରା ବୈଷୟିକ ଉପସ୍ଥାପନା ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରାଯାଇଥିଲା । ଏହି ଆଲୋଚନାରେ ଉପକରଣ ସମ୍ବନ୍ଧୀୟ ସମାଧାନ, ବାଣିଜ୍ୟିକ ଢାଞ୍ଚା, ପ୍ୟାକେଜ୍, ପ୍ରକଳ୍ପ ସଂଯୋଗ ଏବଂ ଘରୋଇ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବାର ସୁଯୋଗ ଭଳି ବିଭିନ୍ନ ଦିଗ ଉପରେ ବିସ୍ତୃତ ଚର୍ଚ୍ଚା କରାଯାଇଥିଲା।
ଏହି ଆଲୋଚନା ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରକଳ୍ପ ପ୍ୟାକେଜିଂ, ବାଣିଜ୍ୟିକ ଢାଞ୍ଚା, ସ୍ଥାନୀୟକରଣ ସୁଯୋଗ ଏବଂ କାର୍ଯ୍ୟାନ୍ୱୟନ ରଣନୀତି ଉପରେ ବିଚାର ବିମର୍ଶ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା, ଯାହାର ମୁଖ୍ୟ ଲକ୍ଷ୍ୟ ଏହି ସମ୍ପ୍ରସାରଣ ପ୍ରକଳ୍ପର ସମୟୋଚିତ ଏବଂ ମୂଲ୍ୟ-ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ।
ନାଲକୋ ର ମୁଖ୍ୟ ମହାପ୍ରବନ୍ଧକ (ପ୍ରକଳ୍ପ), ଶ୍ରୀ କେ. ବିଜୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଗୁଡ଼ିକ ସକାରାତ୍ମକ ଥିଲା ଏବଂ ମିଳିଥିବା ମତାମତ ନାଲକୋକୁ ଏହାର ପ୍ରକଳ୍ପ ପ୍ୟାକେଜିଂ ନୀତି, ବାଣିଜ୍ୟିକ ଢାଞ୍ଚା ଏବଂ ସାମଗ୍ରିକ କାର୍ଯ୍ୟକାରୀ ରଣନୀତିକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।
କମ୍ପାନୀ ୨୦୨୭ ମସିହା ଶେଷ ସୁଦ୍ଧା ପ୍ରମୁଖ ପ୍ରକଳ୍ପ ପ୍ୟାକେଜ୍ଗୁଡ଼ିକ ପାଇଁ ଅର୍ଡର ପ୍ରଦାନ କରିବା ଦିଗରେ ଅଗ୍ରସର ହେଉଛି। । ଏହି ପଦକ୍ଷେପ ନାଲକୋର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ।
ଏହା ଭାରତର ଘରୋଇ ଆଲୁମିନିୟମ୍ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ସହିତ ଓଡ଼ିଶାକୁ ଏକ ପ୍ରମୁଖ ଆଲୁମିନିୟମ୍ ହବ୍ ଭାବ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି