ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ୯୯ ତମ ଜୟନ୍ତୀ ସମାରୋହ

Jul 16, 2026 - 08:50
 11
ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ୯୯ ତମ ଜୟନ୍ତୀ ସମାରୋହ

ତା.୧୫.୭.୨୦୨୬ ରିଖ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରସିଦ୍ଧ ବେହେଲା ବାଦକ ତଥା ସ୍ୱର ସମ୍ରାଟ ସ୍ୱର୍ଗତ ପଣ୍ଡିତ ଭୁବନେଶ୍ଵର ମିଶ୍ରଙ୍କର ୯୯ତମ ଜୟନ୍ତୀ ଉପଲକ୍ଷେ ‘ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ୯୯ତମ ଜୟନ୍ତୀ ସମାରୋହ’ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ‘ଉତ୍କଳ ରଙ୍ଗମଞ୍ଚ’ରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଆୟୋଜିତ ହୋଇଯାଇଛି ।

ଦିବଂଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଆଜିର ଏହି ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସିନେ କଳାକାର ଏବଂ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ସମ୍ମାନନୀୟ ଅତିଥି ଭାବରେ କୁଳପତି, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପ୍ରସନ୍ନ କୁମାର ସ୍ୱାଇଁ, ସ୍ୱତନ୍ତ୍ର ଶାସନ ସଚିବ ତଥା ନିର୍ଦ୍ଦେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦେବପ୍ରସାଦ ଦାଶ ଏବଂ ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପ‌ଥୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଶାନ୍ତ ନନ୍ଦ ତାଙ୍କ ବକ୍ତବ୍ୟରେ ପଣ୍ଡିତ ଭୁବନେଶ୍ଵର ମିଶ୍ରଙ୍କ ସହିତ କିଭଳି ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ଏବଂ ତାଙ୍କ ସହିତ ବିତାଇଥିବା ଅନ୍ତରଙ୍ଗ ମୂହୁର୍ଭ ସମ୍ବନ୍ଧରେ ବ୍ୟକ୍ତ କରିବା ସହିତ ଆମନ୍ତ୍ରିତ ଅତିଥିବୃନ୍ଦ ସ୍ୱର୍ଗତ ପଣ୍ଡିତ ଭୁବନେଶ୍ୱରଙ୍କ ମିଶ୍ରଙ୍କ ଗରିମାମୟ କୀର୍ତ୍ତୀ ସମ୍ବନ୍ଧରେ ନିଜ ନିଜର ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ସୁଚିଶ୍ମିତା ମନ୍ତ୍ରୀ ସମସ୍ତ ଅତିଥିବୃନ୍ଦଙ୍କୁ ସ୍ଵାଗତ ସମ୍ବଦ୍ଧନା ଜଣାଇବା ସହିତ ଆଜି ଯଦି ଓଡ଼ିଶୀ ସଂଗୀତ ଏବଂ ନୃତ୍ୟ ବିଶ୍ବର କୋଣ ଅନୁକୋଣରେ ଆଦୃତ ହୋଇଛି ବା ପହଂଚିପାରିଛି ତା’ର ଶ୍ରେୟ ପଣ୍ଡିତ ଭୁବନେଶ୍ଵର ମିଶ୍ରଙ୍କୁ ଦିଆଯିବା ଯଥାର୍ଥ ଅଟେ । ସେ ଥିଲେ ସଂଗୀତ ଓ ନୃତ୍ୟ ଜଗତର କଣ୍ଠଧାର ବୋଲି ନିଜର ମତବ୍ୟକ୍ତ କରିଥିଲେ ।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତ‌ଥା ପଦ୍ମଶ୍ରୀ ଉପାଧୂରେ ଭୂଷିତା କୁକୁମ୍ ମହାନ୍ତିଙ୍କ ନୃତ୍ୟ ପ୍ରଦର୍ଶନ । ତାଙ୍କ ଦ୍ବାରା ପ୍ରଦର୍ଶିତ

ପଣ୍ଡିତ ଭୁବନେଶ୍ଵର ମିଶ୍ରଙ୍କ ଦ୍ଵାରା ସଂଯୋଜିତ ଓଡ଼ିଶୀ ନୃତ୍ୟ ‘କେଡ଼େ ଛନ୍ଦ ଜାଣେଲୋ ସହି’ ଏବଂ ‘ସଖୀ ହେ କେସି ମଥନ ମୁଦାରମ୍’ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବାଦଂଶରେ ତାଙ୍କୁ ସହଯୋଗ କରିଥିଲେ ସଚିଦାନନ୍ଦ ଦାସ (ମର୍ଦ୍ଦଳ), ମୂରଲୀଧର ସ୍ଵାଇଁ (ହାର୍‌ମୋନିୟମ୍), ହରପ୍ରିୟା ସ୍ଵାଇଁ (ତାନପୁରା), ଅଗ୍ନିମିତ୍ର ବେହେରା (ବେହେଲା), ଶ୍ରୀନିବାସ ଶତପୀତ (ବଂଶୀ) ଏବଂ କଣ୍ଠଦାନ କରିଥିଲେ ଶ୍ୟାମଳି ଲେଙ୍କା ।

ପରେ ପରେ କାର୍ଯ୍ୟକ୍ରମର ଦ୍ଵିତୀୟ ଆକର୍ଷଣ ଥିଲା ସୁଦୂର ବମ୍ବେରେ ଅବସ୍ଥାପିତ ବିଶିଷ୍ଟ ବେହେଲା ବାଦକ କୈଳାସ ଚନ୍ଦ୍ର ପାତ୍ରଙ୍କ ବେହେଲା ବାଦନ । ତାଙ୍କ ଦ୍ୱାରା ପରିବେଷିତ ଚମକୃତ ବେହେଲା ବାଦନ ବେଶ୍ ପ୍ରଶଂସା ସାଉଁଟିଥିଲା ।

କାର୍ଯ୍ୟକ୍ରମ ଶେଷରେ ଉଭୟ କଳକାରଙ୍କୁ ଅତିଥିବୃନ୍ଦ ସମ୍ବନ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅନୁସୟା ସାହୁ ।