ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ...
ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଲେ ଯେ ଓଡ଼ିଶାର ଯୁବ ସମାଜ ଆଗାମୀ ପରିବର୍ତ୍ତନର ସୂତ୍ରଧର ହେବେ ।
ଯୁବ ସମାଜକୁ ଡବଲ ଇଞ୍ଜିନ ସରକାର ପ୍ରତାରିତ କରିଛି । ଯୁବକ ମାନେ ସେମାନଙ୍କର ଅଧିକାର ପ୍ରାପ୍ତ ହେବାରୁ ବଞ୍ôଚତ ହୋଇଛନ୍ତି ।
ନରେନ୍ଦ୍ର ମୋଦି ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ଏବଂ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଯୁବକ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ପାଇଁ ଚିନ୍ତିତ ନୁହଁନ୍ତି ।
ରାହୁଲ ଗାନ୍ଧୀ ଦେଶ ଓ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ଛାତ୍ର, ଛାତ୍ରୀ ଏବଂ ଅଭିଭାବକ ମାନଙ୍କର ଯନ୍ତ୍ରଣା ସମ୍ପର୍କରେ ଉପସ୍ଥାପନ କଲେ । ରାହୁଲ ଗାନ୍ଧୀଙ୍କ “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଆଗେଇ ନେବାକୁ ଶ୍ରୀ ଦାସ ଉପଦେଶ ଦେଇଥିଲେ ।
ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର ଆଜିର ପ୍ରସ୍ତାବରେ ମୁଖ୍ୟତଃ ଚାରୋଟି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏହାକୁ ନେଇ ଯୁବ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
୧. “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆୟୋଜିତ ହେବ । ପ୍ରଶ୍ନପତ୍ର ପ୍ରଘଟ, ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଶୋଷଣ ଏବଂ ବିଶେଷ କରି ଶିକ୍ଷା ବିଭାଗର ବିକାଶ ପ୍ରତି ସରକାରଙ୍କ ଉଦାସୀନତା ବିରୋଧରେ ବ୍ୟାପକ ଆନ୍ଦୋଳନ ହେବ ।
୨. ନରେନ୍ଦ୍ର ମୋଦି ବର୍ଷକୁ ୨ କୋଟି ନିଯୁକ୍ତି କଥା କହି ଭୋଟ ନେଲେ ସେହିଭଳି ଓଡ଼ିଶାରେ ମଧ୍ୟ ବିଜେପି ବ୍ୟାପକ ନିଯୁକ୍ତି ଯୋଗାଇ ଦେବ ବୋଲି କହି ଯୁବକ ମାନଙ୍କର ସମର୍ଥନ ହାସଲ କଲେ । ମାତ୍ର କ୍ଷମତାକୁ ଆସିଲା ପରେ ଯୁବକ ମାନଙ୍କର ନିଯୁକ୍ତି, ସମସ୍ୟା ଓ ସ୍ୱାର୍ଥ ପ୍ରତି ମୋହନ ସରକାର ଓ ମୋଦି ସରକାର ବିମୁଖ ରହିଲେ । ଏହା ବିରୋଧରେ ଯୁବ କଂଗ୍ରେସ ଯୁବ ଆନ୍ଦୋଳନ କରିବ ।
୩. ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ, ନିଶା କାରବାର ବୃଦ୍ଧି ଏବଂ ବିଶେଷ କରି ଏହାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ବିରୋଧରେ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ କରାଯିବ ।
୪. ମୋହନ ସରକାର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଛି । ମୋହନ ସରକାରର ମେଗା ଦୁର୍ନୀତିର ପର୍ଦ୍ଦାଫାସ ଯୁବ କଂଗ୍ରେସ କରିବ ଏବଂ ଦୁର୍ନୀତି ଖୋର ନେତା ଓ ଅଫିସର ଦଣ୍ଡିତ ନହେବା ପର୍ଯ୍ୟନ୍ତ କ୍ରମାଗତ ଆନ୍ଦୋଳନ କରାଯିବ ।
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ ଓ ରିଆନା ରାଜୁ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ, ଅଭିଜିତ ଜେନା, ଜାଭେଦ ଅକତର, ଗୋପନ ମାର୍ଥା, ଲକ୍ଷ୍ମିପ୍ରୀୟା ନାୟକ, ଆଲୋକ ଦାସଙ୍କ ସମେତ ସମସ୍ତ ଯୁବ କଂଗ୍ରେସର ଜିଲ୍ଲା ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତାମାନେ ଯୋଗଦେଇ “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମ ଉପରେ ଖସଡ଼ା ପ୍ରସ୍ତୁତ କରିଥିଲେ ।