ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରବି ଋତୁ ପାଇଁ ପଞ୍ଜୀକରଣ ଆରମ୍ଭ...

Nov 12, 2026 - 18:33
 11
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରବି ଋତୁ ପାଇଁ ପଞ୍ଜୀକରଣ ଆରମ୍ଭ...

ଚଳିତ ବର୍ଷର ରବି ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ର ପଞ୍ଜୀକରଣ ଆରମ୍ଭ ହୋଇଛି।

 ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ‘ରବି-୨୦୨୬’ ପାଇଁ ପଞ୍ଜୀକରଣ ଆସନ୍ତା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ରାଜ୍ୟ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ ଚାଷୀମାନଙ୍କୁ ଫସଲ ବୀମା ସୁରକ୍ଷା ପ୍ରଦାନ କରିବ ।

୨୦୨୬ ମସିହାର ରବି ଋତୁ ପାଇଁ ବିଜ୍ଞାପିତ ଅଞ୍ଚଳ ଓ ଫସଲ ଅନୁଯାୟୀ ୯ଟି ଫସଲ- ଧାନ, ଆଳୁ, ପିଆଜ, ମୁଗ, ବିରି, ସୋରିଷ, ଚିନାବାଦାମ, ଆଖୁ ଓ ସୂର୍ଯ୍ୟମୁଖୀ ଆଦି ଫସଲଗୁଡ଼ିକୁ ବୀମା ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି। 

ସମସ୍ତ ଯୋଗ୍ୟ ଋଣୀ, ଅଣ-ଋଣୀ ଏବଂ ଭାଗଚାଷୀ ଏହି ଯୋଜନାର ଲାଭ ଉଠାଇପାରିବେ। ରାଜ୍ୟର ଚାଷୀମାନେ ସର୍ବାଧିକ ୫ ଏକର ପର୍ଯ୍ୟନ୍ତ ଜମି ପାଇଁ ମାଗଣାରେ ଫସଲ ବୀମା ସୁବିଧା ପାଇପାରିବେ। ତେବେ ଏଥି ପାଇଁ ବ୍ୟାଙ୍କ ଖାତା ଯାଞ୍ଚ ବାବଦକୁ ପ୍ଲଟ୍ ପିଛା ମାତ୍ର ଏକ ଟଙ୍କା ଦେବାକୁ ପଡ଼ିବ। 

ରାଜ୍ୟ ସରକାର ନିଜ ଅଂଶର ସବସିଡି ବ୍ୟତୀତ ଚାଷୀମାନଙ୍କ ଅଂଶର ପ୍ରିମିୟମ୍ ମଧ୍ୟ ବହନ କରୁଥିବା ବେଳେ, ଭାରତ ସରକାର ମଧ୍ୟ ନିର୍ଦ୍ଧାରିତ ସବସିଡି ସହାୟତା ପ୍ରଦାନ କରନ୍ତି। 

ଋଣୀ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ), ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) ଏବଂ ସମ୍ପୃକ୍ତ ବ୍ୟାଙ୍କ ଶାଖା ମାଧ୍ୟମରେ ନାମପଞ୍ଜୀକରଣ କରିପାରିବେ। 

ଅଣ-ଋଣୀ ଚାଷୀମାନେ ଜନସେବା କେନ୍ଦ୍ର, ଯେକୌଣସି ବ୍ୟାଙ୍କ ଶାଖା, ବୀମା ପ୍ରତିନିଧି ଏବଂ ଅନୁମୋଦିତ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବୀମା ପଞ୍ଜୀକରଣ କରି ପାରିବେ।  

ଆଧାର ଏବଂ ଏଗ୍ରୀ-ଷ୍ଟାକ୍ କୃଷକ ପ୍ରମାଣ ପତ୍ର ବୀମା ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଥିବାବେଳେ ଯେ କୌଣସି ସହାୟତା ପାଇଁ ଚାଷୀମାନେ ନିକଟସ୍ଥ ପାକ୍ସ, ଲାମ୍ପ୍ସ, ସମବାୟ ସହକାରୀ ଏବଂ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ, ଜିଲ୍ଲା ଓ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ସ୍ୱୀକୃତିପ୍ରାପ୍ତ ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। 

ତେବେ ଯୋଗ୍ୟ ଚାଷୀମାନେ ଡିସେମ୍ବର ୧୫ ତାରିଖ ସୁଦ୍ଧା ରବି ଋତୁ ପାଇଁ ନିଜର ଫସଲ ବୀମା ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବାକୁ ସମବାୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।