ବୋଲବମ୍ /କାଉଡ଼ିଆ ପରମ୍ପରାର ଇତିହାସ !

Aug 6, 2026 - 13:07
 2
ବୋଲବମ୍ /କାଉଡ଼ିଆ ପରମ୍ପରାର ଇତିହାସ !

ଶ୍ରାବଣମାସର ନାମ ଶୁଣିବା ମାତ୍ରେ ମନରେ ଭାବାନ୍ତର ସୃଷ୍ଟି ହୁଏ, ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ପ୍ରସନ୍ନ କରିବାର ପ୍ରକୃଷ୍ଠ ସମୟ । 

ଏହି ସମୟରେ ଶିବ ମନ୍ଦିରରେ ବୋଲବମ୍ ବା କାଉଡ଼ିଆ ଜଳଧାରୀ ଭକ୍ତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୁଏ । 

କାଉଡ଼ି ଯାତ୍ରା ସମ୍ପୂର୍ଣ ଅଶାସ୍ତ୍ରୀୟ ବିଧି ନୁହେଁ ବରଂ ସ୍ଥାନ, କାଳ, ପାତ୍ରକୁ ନେଇ ଏହା ଅଶାସ୍ତ୍ରୀୟ ହେଉଛି* । ଏହାର ବିଧି ରହିଛି କେବଳ ପବିତ୍ର ଗଙ୍ଗାଜଳ ଆବଶ୍ୟକ ସ୍ଥଳେ ଯମୁନା, ସରସ୍ବତୀ ଓ ତ୍ରିବେଣୀ ସଙ୍ଗମ ଜଳ କିନ୍ତୁ ଏଥିରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। 

ଓଡ଼ିଶାରେ କିପରି ଏହା ଅଶାସ୍ତ୍ରୀୟ ହୋଇଛି ଓ ଏହାର କାରଣ* 

ଅତ୍ରି ସଂହିତାନୁଯାୟୀ

ଏ ଘୋର ଚାତୁର୍ମାସ୍ୟା (ଆଷାଢ଼ ହରିଶୟନ ଏକାଦଶୀରୁ କାର୍ତ୍ତିକ ଶିବ ଉତ୍ଥାପନ ଚତୁର୍ଦ୍ଦଶୀ) କାଳରେ କେବଳ ଗଙ୍ଗା ନଦୀକୁ ଛାଡ଼ି ଅନ୍ୟାନ୍ୟ ସମସ୍ତ ନଦନଦୀ ରଜସ୍ବଳା ହୋଇଥାନ୍ତି । 

ତେଣୁ ଏହି ସମୟରେ ସେ ନଦୀଜଳ କୌଣସି ମାଙ୍ଗଳିକ ତଥା ଦେବ କାର୍ଯ୍ୟରେ ବିନିଯୋଗ ହୋଇପାରିବ ନାହିଁ । 

ସେହିପରି ବିଷ୍ଣୁସ୍ମୃତିରେ ମଧ୍ୟ ଉଲ୍ଲେଖ ରହିଛି ଯେଉଁଦିନ ଠାରୁ ନୀଳାଚଳରେ ମା ଭଗବତୀ କାମାକ୍ଷାଙ୍କ ଅମ୍ବୁବାଚି (ଦେବୀଙ୍କ ରଜସ୍ବଳା ପର୍ବ ପ୍ରତିବର୍ଷ ଆଷାଢ଼ ମାସରେ ସପ୍ତମ ଦିବସରୁ ଆରମ୍ଭ ହୁଏ) ପର୍ବ ପାଳନ କରାଯାଏ |

ତାହାର ଦୁଇମାସ ପର୍ଯ୍ୟନ୍ତ କେବଳ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀକୁ ଛାଡ଼ି ଅନ୍ୟ ସମସ୍ତ ନଦୀ ରଜବତୀ ହୋଇଥାନ୍ତି ତେଣୁ ଉକ୍ତ ରିକ୍ତ ଜଳକୁ ଦେବପୂଜା ନିମନ୍ତେ ଅଗ୍ରାହ୍ୟ କରାଯାଏ । 

ଆମ ଓଡ଼ିଆ ପାଞ୍ଜିରେ ମଧ୍ୟ ଏହି ଚାତୁର୍ମାସ୍ୟ ସମୟରେ ନଦୀ ରଜସ୍ବଳା ହେବା କଥା ସ୍ପଷ୍ଟ ଉଲ୍ଲେଖ କରାଯାଉଅଛି । 

ତେବେ ଏହି ନଦୀମାନଙ୍କର ଏହି ରଜସ୍ୱଳା ଦୋଷ କଣ ? ଏହା କଣ ନାରୀମାନଙ୍କ ପରି ?

*ଉତ୍ତର ଆସିବ* ! ନାଁ 

ନାରୀମାନଙ୍କ ରଜସ୍ବଳା ସହିତ ଏହାର କୈାଣସି ସମ୍ପର୍କ ନାହିଁ କିନ୍ତୁ ଯେହେତୁ ଏହି ସମୟରେ ପ୍ରବଳ ପରିମାଣରେ ବର୍ଷା ହେବା ଯୋଗୁଁ ନାନାଦି ବର୍ଜ୍ୟବସ୍ତୁ, ଅଳିଆ, ମଳମୁତ୍ର, ଗଳିତ ପଚିତ ଦ୍ରବ୍ୟମାନ ଆସି ନଦୀରେ ମିଶିଥାଏ ଓ ଜଳସ୍ତର ବୃଦ୍ଧି ପାଇବା ଫଳରେ ନଇରେ ବଢ଼ି ଆସିବା ସମୟରେ ସମାନ ଘଟଣା ଘଟିଥାଏ, ଏହି ଗୁଢ଼ ତଥ୍ୟକୁ ଆମ ମହାନ ବିଦ୍ବାନ ପୂର୍ବ ପୁରୁଷଗଣ ସୁନ୍ଦର ଭାବେ ରଜସ୍ବଳା ଆକ୍ଷା ପ୍ରଦାନ କରିଛନ୍ତି ।

ଉପରୋକ୍ତ କାରଣରୁ ଏହି ସମୟରେ ଶିବ ମହାପ୍ରଭୁଙ୍କ ଉପରେ ଅନ୍ୟାନ୍ୟ ନଦନଦୀର ଜଳ ଚଢାଇବା ମହାପାତକ ତୁଲ୍ୟ । 

କେବଳ ଗଙ୍ଗା ଯମୁନା, ସରସ୍ବତୀ ଓ ତ୍ରିବେଣୀ ସଙ୍ଗମର ଜଳ ଏ ସମୟରେ ଅର୍ପିତ ହୋଇପାରିବ କାରଣ ଉକ୍ତ ନଦୀତ୍ରୟ ଓ ସଙ୍ଗମ ସଦାସର୍ବଦା ପବିତ୍ର ।

କାଉଡ଼ିଆ ବା ବୋଲବମ୍ ପରମ୍ପରା ମୁଳତଃ ଉତ୍କଳୀୟ ସଂସ୍କୃତିର ନୁହେଁ । 

ଏହା ହେଉଛି *ଉତ୍ତର ଭାରତୀୟ ସଂସ୍କୃତି* ଯେହେତୁ ସେଠାରେ ଗଙ୍ଗାମାତା ପ୍ରତ୍ୟକ୍ଷ ଭାବେ ଉପଲବ୍ଧ ଅଛନ୍ତି ତେଣୁ ସେଠାକାର ବ୍ୟକ୍ତିମାନେ ଶଙ୍କର ମହାପ୍ରଭୁଙ୍କୁ ଗଙ୍ଗାପୟ ଲାଗି କରାନ୍ତି । 

ଏହା କାଳକ୍ରମେ ଏକ ଲୋକ ଦେଖାଣିଆ ଭାବେ ଆମ ଓଡ଼ିଶାକୁ ଆସିଛି । 

ଆମେ ଯଦି ଆଖପାଖର ବିଜ୍ଞଜନ ଓ ପୁରୁଖା ବ୍ୟକ୍ତିଙ୍କୁ ଏ ସମ୍ପର୍କରେ ପଚରା ଉଚରା କରିବା ତେବେ ସେମାନେ ମଧ୍ୟ ସମାନ କଥା କହିବେ । 

କହିବାକୁ ଗଲେ ବିଗତ ୭୦-୮୦ ବର୍ଷ ପୂର୍ବରୁ ଏ ପରମ୍ପରା ଓଡ଼ିଶାରେ ନଥିଲା,

ଏବେ ମଧ୍ୟ ଅନେକ ପ୍ରାଚୀନ ଶିବାଳୟରେ ବୋଲବମ୍ ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ଛଡ଼ା ଯାଏନି ବାହାରେ ମହାପ୍ରଭୁଙ୍କ ଏକ ପାର୍ଥିବ ଶିବଲିଙ୍ଗ ସ୍ଥାପନ କରି ତା ଉପରେ ଜଳାଶାୟୀ କରିବାର ବିଧି ବ୍ୟବସ୍ଥା ରହିଆସିଛି । 

ମୂଳତଃ ବୈଶାଖ ଓ କାର୍ତ୍ତିକ ସୋମବାର ଉତ୍କଳୀୟ ଭୂଖଣ୍ଡରେ ମହାନ ଶୈବଧର୍ମର ପରିଚାୟକ ଗ୍ରହଣ କରେ। 

ଓଡ଼ିଆ ଧର୍ମୀୟ ଭାବନାରେ ଅନ୍ୟ ଏକ ସ୍ଥୂଳ ଦୃଷ୍ଟିରୁ ଦେଖିବାକୁ ଗଲେ, ଜଗନ୍ନାଥ ମହାପ୍ରଭୁ ଶୟନ କରିବା ପରେ ପରେ *ମହାପ୍ରଭୁ ବିଶ୍ବନାଥ ତ୍ରିଭୁବନେଶ ମଧ୍ୟ ଶୟନ କରନ୍ତି ଯେହେତୁ ଶୋଇବା ଲୋକର ନିଦ୍ରାଭଙ୍ଗ କରିବା ଅନୁଚିତ* 

ତେଣୁ ଅଶାସ୍ତ୍ରୀୟ ଜଳ ଆଣି କାହିଁକି ଗହଳି ଜମେଇ ତାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବା । 

ଶ୍ରାବଣରେ ସଦାଶିବଙ୍କୁ ଭକ୍ତି କରନ୍ତୁ , କିନ୍ତୁ ଏଭଳି ଭାବେ ଶରୀରକୁ କଷ୍ଟଦେଇ ଲୋକ ଦେଖାଣିଆ ଅପ୍ରାସଙ୍ଗିକ କାର୍ଯ୍ୟ କରନ୍ତୁ ନାହିଁ। 

ଯଦି ଗଙ୍ଗା, ଯମୁନା, ସରସ୍ବତୀ ଓ ତ୍ରିବେଣୀ ସଙ୍ଗମର ଜଳ ଆଣି ପାରୁନାହାନ୍ତି ତେବେ ଅପରିଷ୍କୃତ ନଦୀଜଳ ଅର୍ପଣ କରନ୍ତୁନି ।

ଜଳଶାୟୀ କରିବାକୁ ଯଦି ଏତେ ଇଚ୍ଛୁକ ତେବେ *ଶୁଦ୍ଧ କୂପଜଳ ଆଣି ପ୍ରଭୁଙ୍କୁ ଅର୍ପଣ କରନ୍ତୁ* ।