ଭୁବନେଶ୍ୱର ମଧ୍ୟରେ ବିଜେଡ଼ି ଦେବ ନୂଆ ମୁହଁ

ଭୁବନେଶ୍ୱର ମଧ୍ୟରେ ବିଜେଡ଼ି ଦେବ ନୂଆ ମୁହଁ

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଏବେ ବିଜେଡ଼ି ରାଜନୀତି ନୂଆ ମୋଡ଼ ନେଇଛି । ଗୋଟିଏ ପଟେ ବିଧାୟକ ଅନନ୍ତ ଜେନା ଓ ଅପରପକ୍ଷରେ ଅମରେଶ ଜେନାଙ୍କ ମଧ୍ୟରେ ବିବାଦ ଜୋର ଧରିଛି । ଦୁଇ ଜେନାଙ୍କ କଳିରେ ବିଜେଡ଼ି ଏବେ ଘାଟାରେ ପଡ଼ିଯାଇଛି । ଉଭୟ ନେତା ଏବେ ଛକାପଞ୍ଝା ଅବସ୍ଥାରେ ଥିବାରୁ ନୂଆ ପ୍ରାର୍ଥୀଙ୍କୁ ନେଇ ବିଜେଡ଼ି ଅଙ୍କକଷା ଆରମ୍ଭ କରିଦେଇଛି । ଏଭଳି କ୍ଷେତ୍ରରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ଦୁର୍ଗା ସାମନ୍ତରାୟ । କୌଣସି କୋଟରୀରେ ନଥିବା ଦୁର୍ଗାଙ୍କୁ ନେଇ ବିଜେଡ଼ି ଏବେ ନୂଆ ଅଙ୍କ କଷୁଥିବା କୁହାଯାଉଛି ।
ଅନନ୍ତ ଓ ଅମରେଶଙ୍କ ମଧ୍ୟରେ ବିବାଦ ବେଶ ପୁରୁଣା । ଉଭୟ କର୍ପୋରେଟର ଥିବାବେଳେ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ମଧ୍ୟ ରାଜନୀତିର ଏହି ଦୁଇ ଟାଣୁଆ ନେତା ମେୟର ନିର୍ବାଚନବେଳେ ବି ଛକାପଞ୍ଝା ହୋଇଥିଲେ । କିନ୍ତୁ ସବୁଥର ଅମରେଶଙ୍କୁ ଅନନ୍ତ ବହୁ ପଛରେ ପକାଇ ଦେଇଛନ୍ତି । ଦୁଇ ଦୁଇ ଥର ମେୟର ଓ ଥରେ ବିଧାୟକ ହେବାର ସେ ସୁଯୋଗ ପାଇଥିବାବେଳେ ଅମରେଶଙ୍କୁ କିନ୍ତୁ କର୍ପୋରେଟର ଭାବେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସାଧାରଣ ନିର୍ବାଚନ ପାଖେଇ ଆସିଥିବାବେଳେ ଅନନ୍ତ ଜେନା ପୁଣିଥରେ ଟିକେଟ ପାଇଁ ଆଶାୟୀ ଅଛନ୍ତି । କିନ୍ତୁ ଅମରେଶ ଏଥର ତାଙ୍କୁ ଚେକ ଦେବା ଆରମ୍ଭ କରିଦେଇଛନ୍ତି । ବନ୍ଧୁମିଳନ ଆଳରେ ସେ ଶକ୍ତି ପ୍ରଦର୍ଶନ କରିବା ସହ ଅନନ୍ତଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ସେପଟେ ଅନନ୍ତ ବି ପାଲଟା ଜବାବ ଦେବାକୁ ପଛାଇନାହାନ୍ତି । ଉଭୟଙ୍କ କଳି ବଢ଼ିବାରେ ଲାଗିଥିବାରୁ ଟିକେଟ ରେସରୁ ବିଜେଡ଼ି ସେମାନଙ୍କୁ ବାଦ ଦେଇଥିବା ଜାଣିବାକୁ ମିଳିଛି । କାହିଁକିନା ଜଣେ ଟିକେଟ ପାଇଲେ, ଅନ୍ୟ ଜଣେ ତାଙ୍କର ଭୋଟ କାଟିବା ଥୟ ବୋଲି ଦଳ ଅଙ୍କ କଷିଛି । ଏଭଳି କ୍ଷେତ୍ରରେ ନୂଆ ପ୍ରାର୍ଥୀଙ୍କୁ ନେଇ ଦଳ ଚର୍ଚ୍ଚା ଆରମ୍ଭ କରିଦେଇଛି । ମୋ ପରିବାର, ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଉପଦେଷ୍ଟା ଓ ରାଜ୍ୟ ବିଜେଡ଼ି ସମ୍ପାଦକ ଥିବା ଦୁର୍ଗା ସାମନ୍ତରାୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୁର୍ଗା କୌଣସି କୋଟରୀରେ ନଥିବାବେଳେ ସରଳ ଓ ନମ୍ର ସ୍ୱଭାବ ପାଇଁ ସେ ବେଶ ପରିଚିତ । ସେହିପରି ପତ୍ରିକାର ସମ୍ପାଦକ ଭାବେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି । ୨୦୧୪ରୁ ମଧ୍ୟ ସେ ବିଜେଡ଼ି ଟିକେଟ ରେସରେ ରହି ଆସିଛନ୍ତି । ଦଳ ତାଙ୍କୁ ଟିକେଟ ଦେଉନଥିଲେ ମଧ୍ୟ ସେ ଦଳ ପାଇଁ ନୀରବ ସୈନିକ ଭାବେ ସଂଗଠନ କରିଆସୁଛନ୍ତି । ଦୁର୍ଗାଙ୍କୁ ଟିକେଟ ଦେଲେ ଅନନ୍ତ ଓ ଅମରେଶ ବିରୋଧ କରିବେ ନାହିଁ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ଏସବୁ ରାଜନୀତିକ ଗଣିତ ଭିତରେ ଜିତିବା ପାଇଁ ବିଜେପି ଆଶାବାଦୀ ହୋଇପଡ଼ିଛି । ଦୁଇ ଦୁଇ ଥର ବିଜେଡ଼ିକୁ ଟକ୍କର ଦେଇ ଆସୁଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଚତୁର୍ଥ ଥର ପାଇଁ ଲଢ଼ିବାକୁ ରଣନୀତି କରିଛନ୍ତି । କିନ୍ତୁ ଥରେ ସ୍ୱାଧୀନ ଓ ୨ ଥର ବିଜେପି ଟିକେଟରେ ସେ ହାରିଥିବାରୁ ନୂଆ ମୁହଁଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ଅପରାଜିତାଙ୍କ ସହ ଜଗନ୍ନାଥଙ୍କର ଭଲ ସମ୍ପର୍କ ନଥିବାରୁ ତାଙ୍କ ଟିକେଟ ନେଇ ଅନିଶ୍ଚିତତା ଲାଗିରହିଛି । ଗୋଟିଏ ପଟେ ବିଜେଡ଼ି ଓ ଅପରପକ୍ଷରେ ବିଜେପିରେ ଦଳୀୟ କନ୍ଦଳ ଜୋର ଧରିଥିବାରୁ ଚବିଶରେ ଜମାଣିଆ ଲଢେ଼ଇ ଦେଖିବାକୁ ମିଳିବ ।