ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ମୃତ
କଲମପୁର : କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଶନିବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ୧୦ଟା ବେଳେ ମୃତ ଦୁଇ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଜୁନାଗଡ଼ ଥାନା ଅଧିନସ୍ଥ ଦାସିଗାଁର ସୌମେନ୍ଦ୍ର ନାଗ ଏବଂ ଦାସିଗାଁ ଭେଜିପଡ଼ାର କ୍ଷେତ୍ର ମାଝୀ ନାମକ ଦୁଇ ଯୁବକ କୌଣସି କାମରେ କଲମପୁର ଆସିଥିଲେ। ବିଳମ୍ବିତ ରାତିରେ ଦୁହେଁ ଏକ ବାଇକ ଯୋଗେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦେଇ ନିଜ ଘରକୁ ଫେରୁଥିବା ବେଳେ ଦେପୁର ନିକଟରେ କୌଣସି କାରଣରୁ ବାଇକ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ଉଭୟ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। କିଛି ଲୋକ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇ ତୁରନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଚିଲିଗୁଡାଠାରୁ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଯୁବକଙ୍କ ସହଯୋଗରେ ଉଭୟଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହେଇସାରିଥିବା ଡାକ୍ତର ସୂଚନା ଦେଇଥିଲେ।