ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ କାର୍ଯ୍ୟକ୍ରମ

Sep 1, 2025 - 06:31
 7
ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ କାର୍ଯ୍ୟକ୍ରମ

ଇଣ୍ଡିଆ ଏଗେନ୍‌ଷ୍ଟ ନେଗେଟିଭିଟି (ଆଇଏଏନ୍‍)ର ଏକାଦଶ ସଂସ୍କରଣ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା ଉଚ୍ଚାୟୁକ୍ତ ଜାକଲିନ୍‍ ମୁକାଙ୍ଗିରା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଏମ୍‍ ଏମ୍‍ ଦାସ, ଜଷ୍ଟିସ୍‍ ବି ପି ଦାସ, ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ଶତ୍ରୁଘ୍ନ ପୂଜାରୀ, ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଓଡ଼ିଶାର ପୂର୍ବତନ ମହାଅଧିବକ୍ତା ଅଶୋକ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଅନଙ୍ଗ କୁମାର ପଟ୍ଟନାୟକ ଓ ଜଷ୍ଟିସ୍‍ ଏନ୍‍ ସନ୍ତୋଷ ହେଗଡ଼େ ଭର୍ଚୁଆଲ୍‍ରେ ଯୋଗଦେଇଥିଲେ । ଡ. ବି. ଆର୍‍ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଘଣ୍ଟ ଚକ୍ରପାଣି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପି ଶେଷାଦ୍ରି, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ସମ୍ପାଦକ ଅଶୋକ ଶ୍ରୀବାସ୍ତବ, ଦକ୍ଷିଣ ଭାରତର ପ୍ରକାଶକ ଦେବେନ୍ଦ୍ର ଶର୍ମା ମଧ୍ୟ ଯୋଗ ଦେଇଥିଲେ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ କୁଲସ୍ତେ କହିଲେ, ନାନା ବାଧାବିଘ୍ନ ସତ୍ତ୍ୱେ ଅଚ୍ୟୁତ ସାମନ୍ତ ସମାଜର ଅବହେଳିତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହା ତାଙ୍କର ସକରାତ୍ମକ ମନୋଭାବର ପରିଚାୟକ ବୋଲି ସେ କହିଥିଲେ । 

ସାପ୍ତାହିକ ଦି ଅର୍ଗାନାଇଜରର ସମ୍ପାଦକ ପ୍ରଫୁଲ୍ଲ କେଟ୍‍କର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବିଶ୍ୱକୁ ସକରାତ୍ମକତାର ଦାନ ହେଉଛି ଭାରତ । ଭିନ୍ନତା ମଧ୍ୟରେ ଐକ୍ୟତା ହେଉଛି ଭାରତର ସକାରତ୍ମକତାର ବୈଶିଷ୍ଟ୍ୟ । ସକରାତ୍ମତାର ମୂଳ ଆଧାର ହେଉଛି ଭାରତ । 

ଶ୍ରୀମତୀ ମୁକାଙ୍ଗିରା କହିଲେ, ବ୍ୟକ୍ତି ସମ୍ମାନ, ସୁରକ୍ଷା ଦିଗରେ ଅହିଂସା ହେଉଛି ସର୍ବୋତ୍ତମ ମାର୍ଗ । ଆମେ ମହାତ୍ମା ଗାନ୍ଧୀଙ୍କଠାରୁ ଏହି ଅହିଂସା ନୀତି ଶିକ୍ଷା କରିଛୁ । ତେବେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ଚ୍ୟାଲେଞ୍ଜକୁ ଆମେ ସାହସିକତାର ସହ ସାମନା କରିବା ଉଚିତ ବୋଲି ସେ କହିଥିଲେ । ଜଷ୍ଟିସ୍‍ ଏମ୍‍ ଏମ୍‍ ଦାସ ନିଜ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ନକରାତ୍ମତା ଧାରାକୁ ବଢ଼ାଉଛି ବୋଲି କହିଥିଲେ । ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନେଇ ସେ ଉଦ୍‍ବେଗ ପ୍ରକାଶ କରିଥିଲେ । ନକରାତ୍ମକ ଶକ୍ତି ବିରୋଧରେ ସମସ୍ତେ ଦୃଢ଼ତାର ସହ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜଷ୍ଟିସ୍‍ ବି ପି ଦାସ କହିଲେ, ଆମେ ନକରାତ୍ମକତା ଭଳି ଛୋଟ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ଏବଂ ସମସ୍ତେ ଏକାଠି ହୋଇ ରାଷ୍ଟ୍ରଗଠନ ଦିଗରେ କାର୍ଯ୍ୟ କରିବା ଉଚିତ । ବର୍ତ୍ତମାନ ସମୟରେ ଇଣ୍ଡିଆ ଏଗେନ୍‍ଷ୍ଟ ନେଗେଟିଭିଟିକୁ ସମଗ୍ର ଦେଶରେ ଏକ ଆନ୍ଦୋଳନ ଭାବେ ଗଢି ତୋଳିବାର ଆବଶ୍ୟକତା ଅଛି ବୋଲି ଜଷ୍ଟିସ୍‍ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ନକରାତ୍ମକତା ଯୋଗୁଁ ସମାଜରେ ସମନ୍ୱୟ ବାଧାପ୍ରାପ୍ତ ହେଉଛି । ତେଣୁ ଭାରତ ସାମାଜିକ ଗଣମାଧ୍ୟମ ଏବଂ ବାହାରେ ନକରାତ୍ମକତା ବିରୋଧରେ ଏକ ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଶ୍ରୀ ଶେଷାଦ୍ରି ସମସ୍ତଙ୍କୁ ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରହି ସକରାତ୍ମକ ଭାବନା ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଫେସର ଚକ୍ରପାଣି ତାଙ୍କ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମ ସମାଜରେ ନକରାତ୍ମ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ ।

ସେ କହିଲେ, ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ, ଆମର ସମ୍ବିଧାନ ହେଉଛି ଆମ ରାଷ୍ଟ୍ର ପାଇଁ ଏକ ସକରାତ୍ମକ ଦଲିଲ । ଶ୍ରୀ ଶର୍ମା କହିଲେ, ଆମେ ଭଲ କହିବା, ଭଲ ଚିନ୍ତା କରିବା ଏବଂ ସକରାତ୍ମକ ଲୋକଙ୍କ ସହ ମିଶିବା ଉଚିତ । ଏହା ହେଲେ ସକରାତ୍ମକତା ବୃଦ୍ଧି ପାଇଥାଏ । 

ଓଡ଼ିଶାରେ ପ୍ରଥମ ଥର ପାଇଁ, କୃତ୍ରିମ ଏଆଇ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଆଇ ଆଙ୍କର ‘କିରଣ\' କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆଇଏଏନ୍‍ ମୁଖପତ୍ର ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଏକ ଉତ୍ସର୍ଗୀକୃତ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା ।