ମହାଶିବରାତ୍ରୀ ର ମହିମା...
ମହାଶିବରାତ୍ରୀ ର ମହିମା...
ସପ୍ତାହର ସମସ୍ତ ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ, କିନ୍ତୁ ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ I
ତେଣୁ ଶିବଙ୍କୁ ପୂଜା କରିବା ପାଇଁ ସୋମବାର ଟି ଶୁଭ ବୋଲି ଧରାଯାଏ I ସେହିପରି ପୌରାଣିକ ବିଶ୍ୱାସ ଅନୁଯାୟୀ ପ୍ରତି ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରୀ ପଡିଥାଏ ଇ
ତେଣୁ ଶିବଭକ୍ତ ମାନେ ମାସକୁ ୨ଟି କରି ଶିବ ଚତୁର୍ଦଶୀ ଉପବାସ କରିଥାନ୍ତି I କିନ୍ତୁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଯେଉଁ ଶିବରାତ୍ରୀ ପଡେ ତାହାକୁ ମହାଶିବରାତ୍ରୀ କୁହାଯାଏ I ଯେଉଁମାନେ ପ୍ରତିମାସ ଚତୁର୍ଦଶୀ ବ୍ରତ ପାଳନ କରି ନ ପାରିବେ ସେମାନେ ବର୍ଷକୁ ଏହି ଗୋଟିଏ ଦିନ ବ୍ରତ କଲେ ମଧ୍ୟ ପୁଣ୍ୟ ଫଳ ପାଇଁ ପାରିବେ I
ଭାରତରେ ହିନ୍ଦୁ ଧର୍ମ ଅନୁସାରେ ଅନେକ ଦେବତାମାନଙ୍କର ପୂଜାବିଧି କରିବାର ସ୍ୱତନ୍ତ୍ର ମାନ୍ୟତା ରହିଛି ଇ
ପୌରାଣିକ ମାନ୍ୟତା ଅନୁସାରେ ସଂସାର ତ୍ରିଦେବଙ୍କ ଅନୁସାରେ ଚାଲିଥାଏ I
ଏମାନଙ୍କ ମଧ୍ୟରୁ ବ୍ରହ୍ମ ହେଉଛନ୍ତି ସୃଷ୍ଟି କର୍ତ୍ତା ,ବିଷ୍ଣୁ ପାଳନ ଓ ଶିବ ହେଉଛନ୍ତି ସଂହାର କର୍ତ୍ତା I କିନ୍ତୁ ଭଗବାନ ଶିବ ଖୁବ ଦୟାଳୁ ହୋଇଥାନ୍ତି I ତାଙ୍କୁ ନିଷ୍ଠାର ସହ ପୂଜା କଲେ ସେ ଭକ୍ତଂକ ମନସ୍କାମନା ଜଲ୍ଦି ପୁରାଣ କରିଥାନ୍ତି I ତେଣୁ ଶିବରାତ୍ରୀ ଦିନ ନରନାରୀ ଉପବାସ କରି ବ୍ରତ ଧାରଣ କରନ୍ତି I
ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ ।
ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ ।
ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ ।
ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା ।
ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ ।
ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ ।
କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।
ଗରୁଡ ପୁରାଣ ଅନୁଯାୟୀ, ଶିବରାତ୍ରୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ତ୍ରୟୋଦଶୀ ତିଥି ଠାରୁ ଏକାର୍ଣ୍ଣ ଖାଇ ଭଗବାନ ଶିବଙ୍କୁ ଉପାସନା କରାଯାଇଥାଏ ।
ଏହାକୁ ଏକବାର ମଧ୍ୟ କୁହା ଯାଇଥାଏ I ଏହା ପରଦିନ ଚତୁର୍ଦଶୀ ତିଥିରେ ସମ୍ପୂର୍ଣ୍ଣ ଉପବାସ ରଖି ଭୋଲେନାଥଙ୍କର ପୂଜା କରାଯାଏ I ଏହି ପୂଜା ବିଧି ଚତୁର୍ଦଶୀ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ଅମାବାସ୍ୟା ପଶିଲେ ମହାଦୀପ ଉଠାଇ ବ୍ରତ ଶେଷ କରାଯାଇଥାଏ I
ମହାଶିବରାତ୍ରୀ ଦିନ ଶିବଲିଙ୍ଗକୁ ପଞ୍ଚାମୃତ,ଗଙ୍ଗାଜଳ,ରେ ଅଭିଷେକ କରି ‘ଓଁ ନମୋ ଶିବାୟ’ ମନ୍ତ୍ର ଜପି ପୂଜା କରାଯିବା ଉଚିତ୍। ଏହା ପରେ ବ୍ରତଧାରୀମାନେ ସନ୍ଧ୍ୟାରେ ଦୀପ ଜାଳି ପ୍ରତି ପ୍ରହରରେ ବିଧି ମୁତାବକ ଅଭିଷେକ କରନ୍ତୁ ଏବଂ ପରଦିନ ସକାଳେ ବ୍ରାହ୍ମଣମାନଙ୍କୁ ଦାନ କରି ଉପବାସ ଭାଙ୍ଗିବା ଉଚିତ୍।
ଗରୁଡ ପୁରାଣ ଅନୁଯାୟୀ, ଏହି ଦିନ ଶିବଙ୍କୁ ବେଲ ପତ୍ର ସହିତ ଧଳା ରଙ୍ଗର ଫୁଲ ଅର୍ପଣ କଲେ ମହାଦେବ ପ୍ରସନ୍ନ ହୁଅନ୍ତି ।
ଭଗବାନ ଶିବଙ୍କର ବେଲ ପତ୍ର,କେତକୀ ଫୁଲ,ଧତୁରI ଫୁଲ,ଅରଖ ଫୁଲ,ଧଳା କନିଅର ଓ ଗଇସ ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ I ଶିବ ପୁରାଣ ଅନୁଯାୟୀ ରୁଦ୍ରାକ୍ଷ,ବେଲପତ୍ର, ଭାଙ୍ଗ, ଏବଂ କାଶୀ ପୀଠ ଭଗବାନ ଶିବଙ୍କର ଅତି ପ୍ରିୟ|
ଶିବରାତ୍ରୀ ଦିନ ନିଶାର୍ଦ୍ଧରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ରୋଗ, ଶୋକ ଦୂର ହୁଏ I ସେହିପରି ଏହିଦିନ ସ୍ଫଟିକ ର ଏକ ଶିବଲିଙ୍ଗ ଆଣି ଏହାକୁ ମନ୍ଦିରରେ ପୂଜା କରାଇ ଆପଣଙ୍କ ଅଫିସ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ସ୍ଥାପନ କଲେ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇ ଆର୍ଥିକ ଉନ୍ନତି ହୋଇଥାଏ I
ଯଦି ଘରେ କେହି ଅନେକ ଦିନ ଧରି ଅସୁସ୍ଥ ରହୁଥାନ୍ତି,କିମ୍ବା ନିଜେ ମଧ୍ୟ କୌଣସି ଶାରୀରିକ କଷ୍ଟ ଭୋଗୁଥାନ୍ତି ,ତେବେ ଶିବରାତ୍ରୀ ଦିନ ମଧ୍ୟ ରାତ୍ରରେ ପୂଜା ସମୟରେ ଏକ ରୁଦ୍ରାକ୍ଷ ମାଳାରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ I ସମସ୍ତ କଷ୍ଟରୁ ମୁକ୍ତି ପାଇବେ I
ମହିଳାମାନେ ସୁଖ ସୌଭାଗ୍ୟ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ କ୍ଷୀର ଏବଂ ସୁଦ୍ଧା ଦେଶୀ ଘିଅ ରେ ଅଭିଷେକ କରନ୍ତୁ I ଏହି ସମୟରେ ‘ଓମ ହ୍ରୀ ନମୋ ଶିବାୟ ହ୍ରୀ ଓମ୍’ ମନ୍ତ୍ର ଜପ କରନ୍ତୁ I
ଏହି ଦିନ ମାତା ଲକ୍ଷ୍ମୀ ନିଜ ଶ୍ରୀ ସ୍ୱରୂପରେ କେବଳ ଭଗବାନ ଶିବଙ୍କ କୃପା ଦ୍ୱାରା ସମଗ୍ର ମାନବ ଜାତିକୁ ଅଖଣ୍ଡ ସୌଭାଗ୍ୟ ପ୍ରଦାନ କରିଥାନ୍ତି I ତେଣୁ ଶିବରାତ୍ରୀରେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ‘ଓମ୍ ଶ୍ରୀ ଏଁ ଓମ୍’ ମନ୍ତ୍ରକୁ ଦଶ ମାଳା ଜପ କରନ୍ତୁ I
ଯଦି କୌଣସି କାରଣରୁ ବିବାହରେ ବାଧା ଦେଖା ଦେଉଥାଏ ,
‘ହେ ଗୌରୀ ଶଙ୍କରାର୍ଦ୍ଧାଙ୍ଗି,ଯଥା ତ୍ଵଂ ଶଙ୍କର ପ୍ରିୟା,
ତଥା ମାଂ କୁରୁ କଲ୍ୟାଣୀ କାନ୍ତ କାନ୍ତା ସୁଦୁର୍ଲଭIମ’
ଏହି ମନ୍ତ୍ର ଜପ ସହିତ ଶିବ-ଶକ୍ତିଙ୍କୁ ପୂଜା କରନ୍ତୁ I ଶୀଘ୍ର ବିବାହ ଜନିତ ସମସ୍ତ ବାଧା ଦୂର ହୋଇଯାଇ ପାରେ |