ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ "ଭାରତୀୟମ୍"...

Jan 27, 2026 - 10:13
 4
ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ "ଭାରତୀୟମ୍"...

ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ "ଭାରତୀୟମ୍"...

ଶବ୍ଦର ଅର୍ଘ୍ୟରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କଣ୍ଠଶିଳ୍ପୀ

ସାଧାରଣତନ୍ତ୍ର ଦିବସ ଅବସରରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ "ଭାରତୀୟମ୍" ଆୟୋଜିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। 

ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ କଣ୍ଠଶିଳ୍ପୀ ଓ ଦର୍ଶକମାନଙ୍କୁ ସାଧାରଣ ତନ୍ତ୍ର ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ନିଜର ଅଭିଭାଷଣରେ ସେ କହିଥିଲେ ଯେ, "ସାଧାରଣତନ୍ତ୍ର ଦିବସ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ମୃତି, ସଙ୍କଳ୍ପ ଓ ଆତ୍ମସମୀକ୍ଷାର ଦିବସ। 

ଦେଶର ସ୍ୱାଧୀନତା, ସାର୍ବଭୌମତା ତଥା ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତିଷ୍ଠା ନିମନ୍ତେ ନିଜର ଯୋଗଦାନ ଦେଇଥିବା ବରପୁତ୍ରମାନଙ୍କୁ ମନେପକାଇବ, ସେମାନଙ୍କୁ ଶବ୍ଦର ଅର୍ଘ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ "ଭାରତୀୟମ୍"ର ଆୟୋଜନ କରାଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ଦେଶପ୍ରେମ ଓ ଏକତାର ଭାବନାକୁ ଜାଗ୍ରତ କରିବା ସହ ଆମେ ସମସ୍ତେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା", ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ନାଜିଆ ଆଲାମ୍, ସୁଧାକର ମିଶ୍ର, କାର୍ତ୍ତିକ ସାହୁ, ଶିଉଳି ଘୋଷ, ବିରଜା ରଥ, ସଂଗ୍ରାମ ମହାନ୍ତି, ସୌରଭ କୁମାର ସାହୁ, କୁମାର ଦିଲ୍ଲୀପ, ସସ୍ମିତା ବିଶ୍ୱାଳ, ଲିପସା ମହାପାତ୍ର, ସରୋଜ ଜେନା, ଯଶସ୍ଵିନୀ ନାୟକ, ଅଙ୍କିତ ରାଜ, ପୂଜା ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଖୁସି କିରନ ଆଦି କଣ୍ଠଶିଳ୍ପୀମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ, ଯାହାକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ଆଧାର କରି ନିର୍ମିତ ହୋଇଥିବା ଫଟୋଚିତ୍ର ପ୍ରଦର୍ଶନୀକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଏହି ପ୍ରଦର୍ଶନୀରେ ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବ ଏବଂ ଅନେକ ବରପୁତ୍ରମାନଙ୍କ ଜୀବନୀକୁ ଫଟୋଚିତ୍ରରେ ପ୍ରଦର୍ଶିତ କରାଯାଇଛି। 

ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ "ଭାରତୀୟମ୍" ବାଲୁକା ଚିତ୍ରକଳା ସହ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଥିଲା, ଯେଉଁଠାରେ ଯୁବପିଢ଼ିଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।