ରାଜ୍ୟ ସ୍ତରୀୟ ବିଶ୍ୱ ହିମୋଫିଲିଆ ଦିବସ ପାଳନ...

Apr 17, 2026 - 21:34
 3
ରାଜ୍ୟ ସ୍ତରୀୟ ବିଶ୍ୱ ହିମୋଫିଲିଆ ଦିବସ ପାଳନ...

ଓଡ଼ିଶାରେ ଅତ୍ୟାଧୁନିକ ଚିକିତ୍ସା ସେବା ଏବଂ ନୂତନ ଆଶାର ସଞ୍ଚାର|

କ୍ୟାପିଟାଲ ହସ୍ପିଟାଲ ଏବଂ ପିଜିଆଇଏମଇଆର (PGIMER) ,ଭୁବନେଶ୍ୱର ପରିସରରେ ଥିବା ହିମୋଫିଲିଆ ଡେ-କେୟାର ସେଣ୍ଟରଠାରେ 'ବିଶ୍ୱ ହିମୋଫିଲିଆ ଦିବସ' ପାଳନ ହୋଇଛି । 

ଏହି ଅବସରରେ ରୋଗୀମାନଙ୍କ ପାଇଁ ଉନ୍ନତମାନର ଚିକିତ୍ସା ସୁବିଧା ଏବଂ ନୂତନ ଔଷଧର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଓଡିଶା ସରକାର ସବୁବେଳେ ହିମୋଫିଲିଆ ରୋଗୀମାନଙ୍କ ସହିତ ଦୃଢ଼ ଭାବେ ରହିଛି।  

ରାଜ୍ୟରେ ମୁକ୍ତ ଚିକିତ୍ସା ସୁବିଧା, ଫ୍ୟାକ୍ଟର ଉପଲବ୍ଧତା ଏବଂ ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଇଛୁ ବୋଲି ସେ କହିଛନ୍ତି |

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହେଉଥିବା ‘ବିଶ୍ୱ ହିମୋଫିଲିଆ ଦିବସ’ ଅବସରରେ ରାଜ୍ୟରେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। 

ଚଳିତ ବର୍ଷର ଥିମ "Diagnosis: First Step to Care" (ଡାଇଗ୍ନୋସିସ୍ : ଫାର୍ଷ୍ଟ ଷ୍ଟେପ୍ ଟୁ କେୟାର୍) ରଖାଯାଇଥିବା ବେଳେ, ହିମୋଫିଲିଆ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। 

ହିମୋଫିଲିଆ ହେଉଛି ଏକ ଦୁର୍ଲଭ ରୋଗ, ଯାହା ନା କେବଳ ରୋଗୀଙ୍କୁ ବରଂ ତାଙ୍କ ପରିବାରକୁ ମଧ୍ୟ ଗଭୀର ପ୍ରଭାବିତ କରୁଛି |

ହିମୋଫିଲିଆ ହେଉଛି ଏକ ବଂଶାନୁକ୍ରମିକ ରୋଗ, ଯେଉଁଥିରେ ରକ୍ତ ସାଧାରଣ ଭାବେ ଜମାଟ ବାନ୍ଧେ ନାହିଁ। ଏହାର କାରଣ ହେଉଛି ରକ୍ତରେ ଥିବା କ୍ଲଟିଙ୍ଗ ଫ୍ୟାକ୍ଟର ର ଅଭାବ କିମ୍ବା ଅନୁପସ୍ଥିତି। 

ଏହି କାରଣରୁ ସାଧାରଣ ଆଘାତ ହେଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ ଏବଂ କେବେ କେବେ ଶରୀରର ଭିତରେ ମଧ୍ୟ ରକ୍ତସ୍ରାବ ହୋଇପାରେ। 

ଆଗାମୀ ଦିନରେ ରାଜ୍ୟରେ Non-Factor Therapy ମଧ୍ୟ ଉପଲବ୍ଧ କରାଯିବ। ଏହା ଏକ ଅତ୍ୟାଧୁନିକ ପଦ୍ଧତି ଯାହା ଅଧିକ ପ୍ରଭାବଶାଳୀ ଏବଂ ଏହା ଦ୍ୱାରା ବାରମ୍ବାର ରକ୍ତସ୍ରାବ ହେବାର ଭୟ ରହିବ ନାହିଁ। ଫଳରେ ରୋଗୀମାନେ ଏକ ସୁସ୍ଥ ଓ ସ୍ୱାଭାବିକ ଜୀବନ ଅତିବାହିତ କରିପାରିବେ। 

ଓଡ଼ିଶାରେ ପ୍ରଥମ ଥର ପାଇଁ Extended Half-Life Factor VIII ଏବଂ Von Willebrand Factor(ଏକ୍ସଟେଣ୍ଡେଡ୍ ହାପ୍ - ଲାଇଫ୍ ଫ୍ଯାକ୍ଟର୍ VIII ଏବଂ ଭନ୍ ଉଇଲବ୍ରାଣ୍ଡ୍ ଫ୍ଯାକ୍ଟର୍ ୱିଥ୍ ଫ୍ଯାକ୍ଟର୍ )ର ସୁବିଧା ରାଜ୍ୟ ସରକାରଙ୍କ ତରଫରୁ ଉପଲବ୍ଧ କରାଯାଇଛି।  

ଏହି ଆଧୁନିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ରୋଗୀମାନେ କମ ସଂଖ୍ୟକ ଇଞ୍ଜେକ୍ସନ୍ ନେବେ, ତାଙ୍କର ଜୀବନ ମାନ ଉନ୍ନତ ହେବ ଏବଂ ସେମାନେ ଅଧିକ ସ୍ୱାଧୀନ ଜୀବନ ବ୍ୟତୀତ କରିପାରିବେ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି | 

ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲ ଏବଂ ପିଜିଆଇଏମଇଆର ର ନିର୍ଦ୍ଦେଶକ,ବ୍ଲଡ ସେଫଟି ବିଭାଗର ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ,କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଓ ଉପ-ଅଧୀକ୍ଷକ, ପିଜିଆଇଏମଇଆର ର ଅଧ୍ୟକ୍ଷ ଏବଂ ହେମୋଫିଲିଆ ସୋସାଇଟିର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।