ଲଘୁଚାପକୁ ଆଖି ଆଗରେ ରଖି; ସତର୍କ ରହିବା ଓ ତ୍ୱରିତ ପଦକ୍ଷେପ ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ...

Aug 16, 2026 - 10:25
 14
ଲଘୁଚାପକୁ ଆଖି ଆଗରେ ରଖି; ସତର୍କ ରହିବା ଓ ତ୍ୱରିତ ପଦକ୍ଷେପ ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ...

ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ ସତର୍କତା ଅବଲମ୍ବନ କରିବା ସହ ଯେକୌଣସି ପରିସ୍ଥିତିରେ ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାଜସଜ୍ଜାକୁ *ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରଖିବା* ସହ ରାପିଡ୍ ରେସ୍ପନ୍ସ ଟିମ୍‌ଗୁଡ଼ିକୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

କ୍ଷେତ୍ରସ୍ତରରୁ ମିଳୁଥିବା ଯେକୌଣସି ସମସ୍ୟାକୁ *ତୁରନ୍ତ ଓ ପ୍ରାଥମିକତା ଭିତ୍ତିରେ* ସମାଧାନ କରିବା ଏବଂ ନାଗରିକମାନଙ୍କ ଅସୁବିଧାକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ନିର୍ଭରଶୀଳତା ବୃଦ୍ଧି ପାଇଁ ପ୍ରସ୍ତୁତି ଓ କ୍ଷେତ୍ରସ୍ତରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ *ନିୟମିତ ପ୍ରେସ୍ ବ୍ରିଫ୍ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ସକ୍ରିୟ ଭାବେ ସୂଚନା ପ୍ରଦାନ* କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। 

ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିୟମିତ ଭାବେ ଅବଗତ କରାଇବାକୁ କୁହାଯାଇଛି।

ଆବଶ୍ୟକ ସ୍ଥଳେ ବିଭାଗ ଓ ଜିଲ୍ଲା ପ୍ରଶାସନର ସହଯୋଗ ନେଇ *ଘନିଷ୍ଠ ଆନ୍ତଃବିଭାଗୀୟ ସମନ୍ୱୟ ମାଧ୍ୟମରେ ପ୍ରଭାବଶାଳୀ ଭୂମିସ୍ତରୀୟ ପଦକ୍ଷେପ* ସୁନିଶ୍ଚିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି l