ଲିଜଧାରୀଙ୍କ ନିର୍ମାଣ ବିଲଡିଂ ଉପରେ ଲିଜଦାତା ଦାବୀଦାର ନୁହନ୍ତି

Aug 22, 2025 - 10:19
 41
ଲିଜଧାରୀଙ୍କ ନିର୍ମାଣ ବିଲଡିଂ ଉପରେ ଲିଜଦାତା ଦାବୀଦାର ନୁହନ୍ତି

ଲିଜ୍‌ଧାରୀଙ୍କ ନିର୍ମାଣ ଉପରେ ଲିଜ୍‌ଦାତା ଦାବିଦାର ନୁହନ୍ତି,ଲିଜ୍‌ ସୂତ୍ରରେ ନେଇଥିବା ଜମି ଉପରେ ଲିଜ୍‌ଧାରୀ କରିଥିବା ନିର୍ମାଣର ସେ ହିଁ ପ୍ରକୃତ ମାଲିକ |ଏହାଉପରେ ଲିଜ୍‌ଦାତା କିନ୍ତୁ ନିଜର ମାଲିକାନା ଦାବି କରିପାରିବେ ନାହିଁ |

ଲିଜ୍‌ ଜମି ଉପରେ ନିର୍ମିତ ଏକ ମୋବାଇଲ୍‌ ଟାୱାର ସମ୍ପର୍କିତ ବିବାଦକୁ ନେଇ ନିର୍ମଳା ସାହୁଙ୍କ ପକ୍ଷରୁ ରୁଜୁ ଆବେଦନର ବିଚାର କରି ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପାଦ ଏପରି ରାୟ ଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ ଗତ ୨୦୧୪ ମେ୫ ତାରିଖରେ ହୋଇଥିବା ଏକ ଲିଜ୍‌ ଡିଡ୍‌ ଅନୁସାରେ ଆବେଦନକାରୀ ମାଲିକ ହୋଇଥିବାରୁ ସମ୍ପୃକ୍ତ ଜମିକୁ ୫ନମ୍ବର ପ୍ରତିପକ୍ଷ ତଥା ଲିଜଧାରୀଙ୍କୁ ଦେଇଥିଲେ। ଲିଜଧାରୀ ଜମି ଉପରେ ଏକ ମୋବାଇଲ୍‌ ଟାୱାର ନିର୍ମାଣ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଅକାମୀ ହୋଇଗଲା। ୨୦୧୫ ଜୁଲାଇ ୧ ରେ କେନ୍ଦ୍ରାପଡା ଜିଲ୍ଲାପାଳ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ଲିଜ୍‌ ଦାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ଜିଲ୍ଲାପାଳଙ୍କ ଉକ୍ତ ବିବାଦିତ ଆଦେଶ ଆବେଦନକାରୀଙ୍କ ସ୍ୱାର୍ଥ ଉପରେ ନକାରାତ୍ମକ ପ୍ରଭାବ ପକାଉଛି, ଯାହା ଆଇନଗତ ଭାବରେ ସ୍ଥାୟୀ ନୁହେଁ। ହେଲେ ଲିଜଧାରୀ ସମେତ ବିପରୀତ ପକ୍ଷମାନେ ଜିଲ୍ଲାପାଳଙ୍କ ଆଦେଶକୁ ଯଥାର୍ଥ ଦର୍ଶାଇ ଉକ୍ତ ଆବେଦନକୁ ବିରୋଧ କରିଥିଲେ। ଲିଜ ଅନୁସାରେ ହୋଇଥିବା ନିର୍ମାଣ ଉପରେ ସେ ହିଁ ପ୍ରକୃତ ମାଲିକ ବୋଲି ଅଦାଲତ ବିଭିନ୍ନ ଆଇନର ତର୍ଜମା କରି ମତ ଦେଇଛନ୍ତି। କେନ୍ଦ୍ରାପଡ଼ାର ସିଭିଲ୍‌ ଜଜ୍‌ ଅଦାଲତରେ ଏକ ମାମଲା ବିଚାରାଧୀନ ଥିବା ବେଳେ ଏହାକୁ ଏକ ବର୍ଷ ମଧ୍ୟରେ ଫଇସଲା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି I