ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନରେ ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ଅନୁଦାନ ଅଂଶ ବୃଦ୍ଧି...

Aug 11, 2026 - 20:03
 15
ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନରେ ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ଅନୁଦାନ ଅଂଶ ବୃଦ୍ଧି...

ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନ ଅଧୀନରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା (Rural Local Bodies) ପାଇଁ ଓଡ଼ିଶାର ଅନୁଦାନ ଅଂଶ ହ୍ରାସ ପାଇଛି ବୋଲି ପ୍ରକାଶିତ ଖବର ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ଓଡ଼ିଶାର ଅନୁଦାନ ଅଂଶ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ସମୟରେ ୩.୭୨ ପ୍ରତିଶତ ଥିବାବେଳେ, ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନରେ ଏହା ୪.୩୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନ ଅଧୀନରେ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ୫ ବର୍ଷରେ ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ମୋଟ ୧୮,୭୧୫ କୋଟି ଟଙ୍କା ଅନୁଦାନ ମିଳିବ।

ଅନ୍ୟପକ୍ଷରେ, ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅଧୀନରେ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ୬ ବର୍ଷରେ ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ୧୧,୦୫୮ କୋଟି ଟଙ୍କା ଅନୁଦାନ ମିଳିଥିଲା। ଅର୍ଥାତ୍‌, ପଞ୍ଚଦଶ ଅର୍ଥ କମିଶନର ୬ ବର୍ଷର ଅନୁଦାନ ତୁଳନାରେ ଷୋଡ଼ଶ ଅର୍ଥ କମିଶନରେ ମାତ୍ର ୫ ବର୍ଷ ପାଇଁ ୧୮,୭୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବାର୍ଷିକ ହାରରେ ତୁଳନା କଲେ ମଧ୍ୟ ଅନୁଦାନରେ ଉଲ୍ଲେଖନୀୟ ବୃଦ୍ଧି ସ୍ପଷ୍ଟ ହେଉଛି। 

ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ସମୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ପ୍ରାୟ ୧,୮୪୩ କୋଟି ଟଙ୍କା ମିଳିଥିବାବେଳେ, ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନରେ ଏହା ବାର୍ଷିକ ହାରାହାରି ପ୍ରାୟ ୩,୭୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‌, ବାର୍ଷିକ ହାରାହାରି ଅନୁଦାନରେ ଦୁଇଗୁଣରୁ ଅଧିକ ବୃଦ୍ଧି ଘଟିଛି।

ଦେଶର ଅର୍ଥନୀତିର ଅଭିବୃଦ୍ଧି ସହିତ କେନ୍ଦ୍ରୀୟ କର ରାଜସ୍ୱର ମୋଟ ପରିମାଣ ମଧ୍ୟ ବୃଦ୍ଧି ପାଇଛି। 

ଏହାର ପରିଣାମସ୍ୱରୂପ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଉପଲବ୍ଧ ଅନୁଦାନର ପରିମାଣ ମଧ୍ୟ ବଢ଼ିଛି।

ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଯେ, ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନ ଅଧୀନରେ ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଅନୁଦାନ ଅଂଶ ଏବଂ ବାର୍ଷିକ ଅନୁଦାନ—ଉଭୟରେ ବୃଦ୍ଧି ଘଟିଛି। 

ତେଣୁ, ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନରେ ଓଡ଼ିଶାର ଅଂଶ ହ୍ରାସ ପାଇଛି ବୋଲି ପ୍ରକାଶିତ ଧାରଣା ତଥ୍ୟସମ୍ମତ ନୁହେଁ।