ସମ୍ଭାବ୍ୟ ଲଘୁଚାପଜନିତ ଲଗାଣ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ସମୀକ୍ଷା...
ବର୍ତ୍ତମାନ ପାଣିପାଗ ବିଭାଗ ଆକଳନ ଅନୁସାରେ ବାତ୍ୟା ସମ୍ଭାବନା ନାହିଁ
ଜିଲ୍ଲାପାଳମାନଙ୍କୁ ନିଜ ନିଜ ଜିଲ୍ଲାର ସ୍ଥିତି ଉପରେ ନ ଜର ରଖି ଆଗୁଆ ପ୍ରସ୍ତୁତି ଓ ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଆଗାମୀ ୨-୩ ଦିନ ରାଜ୍ୟର ବିଶେଷ କରି ଦକ୍ଷିଣାଂଚଳ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଅଗ୍ନିଶମ ସେବା ନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଏସଆରସି ଏବଂ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗୀୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।
ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
ବୈଠକରେ ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ଆଂଚଳିକ କେନ୍ଦ୍ର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତି ଯୋଗଦେଇ ବର୍ତ୍ତମାନ ରାଜ୍ୟରେ ପାଣିପାଗ ସ୍ଥିତି, ସମ୍ଭାବ୍ୟ ବର୍ଷା ଓ ଆଗାମୀ ଦିନଗୁଡ଼ିକର ପୂର୍ବାନୁମାନ ସମ୍ପର୍କରେ ସୂଚନା ଦେଇଥିଲେ ।
ଆଇଏମଡି ର ଆକଳନ ଅନୁଯାୟୀ, ବଙ୍ଗୋପସାଗରର ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ଅଞ୍ଚଳରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟାରେ ଅବପାତରେ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ସେପ୍ଟେମ୍ବର ସକାଳ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲାରେ ୨୨ରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଗଭୀର ଅବପାତର ସମ୍ଭାବନା ରହିଛି । ତେବେ ସମୁଦ୍ରକୂଳ ଅଂଚଳରେ ସେ ସମୟରେ ୪୫-୫୫ କିଲୋମିଟର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପ୍ରାୟ ୭୦ କିମି. ବେଗରେ ପବନ ବହିବାର ସମ୍ଭାବନା ରହୁଛି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ବାତ୍ୟାର ସମ୍ଭାବନା ନାହିଁ । ତେବେ ଦକ୍ଷିଣାଂଚଳ ଜିଲ୍ଲାମାନଙ୍କରେ ଲଘୁଚାପଜନିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଉପରେ ନଜର ରଖାଯାଇଛି ।
ଏହି ଦୃଷ୍ଟିରୁ ଶତ ପ୍ରତିଶତ ପ୍ରସ୍ତୁତି ଓ ସଜାଗ ରହିବାକୁ ସେ ସଂପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଜିଲ୍ଲାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ସୁନିଶ୍ଚିତ କରିବାକୁ କୁହାଯାଇଛି । ପ୍ରସ୍ତୁତିକୁ କୌଣସି ପ୍ରକାର ହାଲୁକା ଭାବେ ନ ନେବାକୁ ସେ ସମସ୍ତ ବିଭାଗକୁ ସତର୍କ କରିଛନ୍ତି ।
ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହି ଆବଶ୍ୟକ ପ୍ରସ୍ତୁତି ନେବାକୁ କୁହାଯାଇଛି । ଆଭାସୀ ମାଧ୍ୟମରେ ଯୋଗଦେଇ ଥିବା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଜିଲ୍ଲାରେ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ ।
ଗଂଜାମ, ଗଜପତି ଓ ମାଲକାନଗିରି ପ୍ରଭୃତି ଜିଲ୍ଲାପାଳ ତଥା ଏଡିଏମ୍ ମାନଙ୍କ ସହିତ ଆଲୋଚନା କରି ସ୍ଥିତି ସଂପର୍କରେ ସେ ସମୀକ୍ଷା କରିଥିଲେ ।
ବର୍ଷାର ପରିମାଣ ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ, ଜଳ ନିଷ୍କାସନ ବ୍ୟବସ୍ଥା ଓ ନଦୀ ଅବବାହିକାରେ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସଂପୃକ୍ତ ଅଧିକାରୀମାନଙ୍କ ଛୁଟି ବାତିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ନ ପ୍ରସବା ମହିଳାଙ୍କ କ୍ଷେତ୍ରରେ ଆଗୁଆ ପଦକ୍ଷେପ ସ୍ୱରୂପ ଡାକ୍ତରଖାନାଙ୍କୁ ନେବାକୁ ପରାମର୍ଶ ଦିଆଯାଇଛି ।
ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ଓ ଜଳ ପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।
ବାଲିମେଳା ଓ କୋଲାବ ଜଳଭଣ୍ଡାରରେ ଜଳସ୍ତର ସ୍ୱାଭାବିକ ରହିଥିବାରୁ ଆଗାମୀ ବର୍ଷାଜଳ ଧାରଣ ପାଇଁ ସେଠାରେ ଯଥେଷ୍ଟ କ୍ଷମତା ରହିଛି । ତେବେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳଭଣ୍ଡାର କ୍ଷମତାର ପ୍ରାୟ ୮୪ ପ୍ରତିଶତ ଜଳ ଥିବାରୁ ଆବଶ୍ୟକତା ଅନୁଯାୟୀ ଜଳସ୍ତର କମାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା ଏବଂ ଅଧିକ ବର୍ଷାଜଳକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି ସହ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ।
ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଯେଉଁ ସ୍ଥାନରେ ଜଳ ନିଷ୍କାସନ, ଡ୍ରେନେଜ୍ କିମ୍ବା ଅନ୍ୟାନ୍ୟ ସମସ୍ୟା ହେବାର ଆଶଙ୍କା ରହିଛି, ସେଠାରେ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।
ବନ୍ଧ, ତଟବନ୍ଧ ଓ ଅନ୍ୟାନ୍ୟ ସଂବେଦନଶୀଳ ସ୍ଥାନରେ ସତର୍କ ନଜର ରଖିବା ସହ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀ ଜଳ ଭଣ୍ଡାରଗୁଡ଼ିକରେ ଜଳସ୍ତର ପ୍ରତି ନଜର ରଖାଯିବା ସହ ଅଧିକ ଜଳ ସମ୍ଭାବନା କ୍ଷେତ୍ରରେ ଜଳ ନିଷ୍କାସନ ପରିଚାଳନା କରାଯିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ ।
ଏସଆରସିଙ୍କ ପକ୍ଷରୁ କୁହାଯାଇଛି ଯେ, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକରେ ବିଦ୍ୟୁତ୍ ବ୍ୟବସ୍ଥା ଓ ଆନୁଷଙ୍ଗିକ ସୁବିଧା ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି ।
ସ୍ୱତନ୍ତ୍ର ରିଲିପ୍ କମିଶନର ଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆବଶ୍ୟକ ସତର୍କତା ଓ ପ୍ରସ୍ତୁତି ନିଶ୍ଚିତ କରାଯିବ । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ମଧ୍ୟ ନିରାପଦ ସ୍ଥାନକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଆବଶ୍ୟକ ସୂଚନା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଛି ।
ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ନେଇ ସମ୍ପୃକ୍ତ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟରେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।