ସାଇକେଲ ଅନ Sundays...
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ
ଯୁବସେବା ବିଭାଗ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷା ପାଇଁ *‘ସାଇକେଲ ଅନ୍ ସନ୍ଡେଜ୍’* ନାମକ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରୁ ଆରମ୍ଭ ହୋଇ ବୈଭବ ୱେଲନେସ୍ ସେଣ୍ଟର ଛକ, ଉତ୍କଳ ହସ୍ପିଟାଲ୍ ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ପାର୍କ ଦେଇ ପୁନର୍ବାର ବୈଭବ ୱେଲନେସ୍ ସେଣ୍ଟର ଛକରେ ଶେଷ ହୋଇଥିବା ଏହି ସାଇକେଲ ଶୋଭାଯାତ୍ରାରେ CRPF, CISF, NCC, 'ମାଇଁ ଭାରତ', NSS ସ୍ୱେଚ୍ଛାସେବୀ, ଓଡ଼ିଶା ସାଇକ୍ଲିଂ ଓ ପାରା ଆସୋସିଏସନ୍, ବିଭିନ୍ନ ସାଇକେଲ କ୍ଲବ୍, ସ୍ଥାନୀୟ ଜନସାଧାରଣ, ଭୁବନେଶ୍ୱର ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କ୍ରୀଡ଼ା ଛାତ୍ରବାସର ଅନ୍ତେବାସୀମାନେ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ ।
ନିଜକୁ ସୁସ୍ଥ ରଖିବା ପାଇଁ ସମସ୍ତେ ମିଶି ସାଇକେଲ ଚଲାଇବା ସହ ସରକାରଙ୍କର ଏହି ପ୍ରୟାସକୁ ବହୁତ ପ୍ରଶଂସା କରିଥିଲେ ।
ଉଦଘାଟନ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ଓଡ଼ିଶାର ପ୍ରଥମ ମହିଳା ସାଇକେଲ ଚାଳିକା ଶ୍ରୀମତୀ ମିନତି ମହାପାତ୍ର, ପ୍ରଖ୍ୟାତ ଅଲିମ୍ପିଆନ୍ ଶ୍ରୀମତୀ ଅନୁରାଧା ବିଶ୍ୱାଳ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ପ୍ରମୁଖ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ 'ସାଇକେଲ ଅନ୍ ସନ୍ଡେଜ୍’ ଅଭିଯାନର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ଅଧୀନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସାରା ଦେଶରେ ବେଶ୍ ଆଦୃତ ହୋଇଛି ।
ପୂର୍ବରୁ ଓଡ଼ିଶାରେ ଐତିହ୍ୟ ମାରାଥନ, ପୁରୀରେ ଫିଟ ଇଣ୍ଡିଆ କାର୍ଣ୍ଣିଭାଲ ୨୦୨୬, ଏବଂ ମହିଳା ସଶକ୍ତିକରଣ ପାଇଁ ମହିଳା ମାରାଥନ ଭଳି ଅନେକ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରେ ‘ସାଇକେଲ୍ ଅନ୍ ସନ୍ଡେଜ୍’ ଆୟୋଜନ କରାଯାଇଛି ।
ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ‘ଫିଟ୍ ଇଣ୍ଡିଆ, ଫିଟ୍ ଓଡ଼ିଶା ଏବଂ ଫିଟ୍ ସୋସାଇଟି’ ଗଠନ କରିବା, ଯାହାର ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜ ଭିତରୁ ହିଁ ଆରମ୍ଭ ହେବା ଦରକାର ।
ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ସମସ୍ତେ ପ୍ରତିଦିନ କିଛି ସମୟ ଶାରୀରିକ ବ୍ୟାୟାମ କରିବା ଉଚିତ୍ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସାରା ରାଜ୍ୟରେ ଶାରୀରିକ ସୁସ୍ଥତା (ଫିଟନେସ୍) ଏବଂ ପ୍ରଦୂଷଣମୁକ୍ତ ପରିବହନକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ।
ଆଗାମୀ ଦିନରେ ଏହି ପ୍ରଶଂସନୀୟ ପ୍ରୟାସ ସହରବାସୀଙ୍କକୁ ଏକ ସୁସ୍ଥ ଓ ପ୍ରଦୂଷଣମୁକ୍ତ ଜୀବନ ଶୈଳୀ ଆପଣାଇବା ସହ ‘ଏକାଠି ପ୍ୟାଡାଲ୍ କରିବା ଓ ସୁସ୍ଥ ଜୀବନ ଜିଇଁବା’ ଅଭିଯାନରେ ସାମିଲ ହେବା ପାଇଁ ବଡ଼ ପ୍ରେରଣା ଯୋଗାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସ୍ୱାସ୍ଥ୍ୟ ଏବଂ ପରିବେଶ ସଚେତନତା ଅଭିଯାନରେ କ୍ରୀଡ଼ା ଓ ଯୁବସେବା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ସୁଧାକର ନାୟକ, ଏବଂ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବିଶ୍ୱ ମୋହନ ଜେନା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କକୁ ଉତ୍ସାହିତ କରିଥିଲେ ।
ଏହାସହ ବିଶିଷ୍ଟ କ୍ରୀଡ଼ାବିତ୍ ଅନୁପମା ସ୍ୱାଇଁ, ଲୋମା ସ୍ୱାଇଁ ଏବଂ ପ୍ରେରଣାଦାୟୀ ପାରା କ୍ରୀଡ଼ାବିତ୍ କମଳାକାନ୍ତ ନାୟକ, ସୁଚିତ୍ରା ପରିଡ଼ା ଓ ସୁନୀଲ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ ।