୧୦ ଦିନରେ ୧୨ଟି ରାଜ୍ୟ ଓ ୨୯ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସମ୍ଭାବ୍ୟ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ଦିଲ୍ଲୀ ଗସ୍ତ କରିବେ। ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନାର ଆଦିଲାବାଦରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ ଏବଂ ପରେ ତାମିଲନାଡୁର କଲପକ୍କମଠାରେ ଥିବା ଭାରତୀୟ ନାଭିକିଆ ବିଦ୍ୟୁତ ନିଗମ ଲିମିଟେଡ୍ (ଭବାନୀ) ପରିଦର୍ଶନ କରିବେ। ଗସ୍ତ କାଳରେ ସେ ଆଦିଲାବାଦ ଓ ଚେନ୍ନାଇରେ ଜନସଭାକୁ ସମ୍ବୋଧିତ କରିବେ।ଆସନ୍ତା ୫ ତାରିଖରେ ତେଲେଙ୍ଗାନାର ସାଙ୍ଗାରେଡ୍ଡୀରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଓଡ଼ିଶା ଗସ୍ତ ପୂର୍ବରୁ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।ଏହାପରେ ସେ ପଶ୍ଚିମବଙ୍ଗ ଯିବା ପୂର୍ବରୁ ଓଡ଼ିଶାର ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।ମାର୍ଚ୍ଚ ୬ ରେ ପ୍ରଧାନମନ୍ତ୍ରୀ ମୋଦୀ କୋଲକାତାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ସହ ବାରସାତରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ସେ ବିହାର ଯାଇ ବେତିଆରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।