ଡବଲ ଇଞ୍ଜିନ ଡବଲ ବିକାଶ ନାରା ଏବେ ଡବଲ ଧୋକାରେ ପରିଣତ ହୋଇଛି: ବିଜେଡି...
ବିଜେପିର ଅଢେଇ ବର୍ଷର ଶାସନରେ ଓଡ଼ିଶାର ବିକାଶ ପଛକୁ ଯାଇଛି
ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି
ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା କାରଣରୁ, ଓଡିଶା ଦେଶ ବିଦେଶରେ ନିନ୍ଦିତ ହୋଇଛି
ଡବଲ ଇଞ୍ଜିନ ଡବଲ ବିକାଶ ନାରା ସହିତ ପ୍ରତିଶ୍ରୁତିର ବର୍ଷା କରିଥିବା ବିଜେପି ସରକାରକୁ ଆସିବାର ପ୍ରାୟ ଅଢେଇ ବର୍ଷ ବିତି ଯାଇଥିବା ବେଳେ ଡବଲ ଇଞ୍ଜିନ ବାସ୍ତବରେ ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକାରେ ପରିଣତ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି, ଖଣିଜ ସମ୍ପଦର ହରିଲୁଟ, ବେକାରୀ ସମସ୍ୟା ବୃଦ୍ଧି, ଦରଦାମ ବୃଦ୍ଧି, ଦାଦନ ବୃଦ୍ଧି ଇତ୍ୟାଦି ସମସ୍ୟା ସହିତ ରାଜ୍ୟ ସରକାରଙ୍କ ମନ୍ଥର ବ୍ୟୟ ରାଜ୍ୟର ବିକାଶକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ଠେଲି ଦେଇଛି ବୋଲି ବିଜେଡି କହିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା
ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରକୁ ଅଢେଇ ବର୍ଷ ପୁରି ଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓଡ଼ିଶାବାସୀଙ୍କୁ ନିରାଶ କରିଛି ।
ଡବଲ ଇଞ୍ଜିନ ଡବଲ ବିକାଶ ନାରା ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକାରେ ପରିଣତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% ହ୍ରାସ ପାଇଛି ।
ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିଥିବା ବେଳେ ଓଡିଶାକୁ କିଛି ମିଳିନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିବା ସହିତ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି ।
ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହେବା କାରଣରୁ, ଓଡିଶା ଦେଶ ଓ ଦେଶ ବାହାରେ ନିନ୍ଦିତ ହୋଇଛି । ରାଜ୍ୟ ସରକାର ନିଜ ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି ।
ଚଳିତ ରାଜ୍ୟ ବଜେଟରେ ୩.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଥିଲା ବେଳେ ଅଗଷ୍ଟ ମାସ ଶେଷ ସୁଦ୍ଧା ମାତ୍ର ୨୮% ଅର୍ଥ ଖର୍ଚ୍ଚ ହୋଇପାରିଛି ।
ଡ଼ ମହାନ୍ତି କହିଥିଲେ ଯେ, ରାଜ୍ୟରେ ଖାଲି ପଡ଼ିଥିବା ୧.୫ ଲକ୍ଷ ସରକାରୀ ପଦବୀ ୫ ବର୍ଷ ଭିତରେ ପୂରଣ କରାଯିବ ଓ ଏହା ମଧ୍ୟରୁ ୬୫,୦୦୦ ପଦବୀ ପ୍ରଥମ ୨ ବର୍ଷରେ ପୂରଣ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା ।
ସରକାରକୁ ଆସିବାର ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ବିଜେପି ୪୫,୦୦୦ ପଦବୀରେ ନିଯୁକ୍ତି ଦେଇଥିବା ଦାବି କରୁଛି, ଯାହା ମଧ୍ୟରୁ ୩୯,୦୦୦ ପଦବୀରେ ନିଯୁକ୍ତି ପାଇଁ ବିଜେଡି ସରକାର ସମୟରେ ବିଜ୍ଞାପନ ଦିଆଯାଇଥିଲା ।
ତେଣୁ ଅଢେଇ ବର୍ଷରେ ବିଜେପି କେବଳ ୬,୦୦୦ ପଦବୀରେ ନିଯୁକ୍ତି ଦେଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ ।
ସେହିପରି ଦାଦନ ସମସ୍ୟାର ସମାଧାନ ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଗତ ଅଢେଇ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦାଦନ ଚାଲାଣ ହେଉଥିବା ଖବର ନିୟମିତ ଭାବେ ପ୍ରକାଶ ପାଉଛି । ଅପରପକ୍ଷରେ ରାଜ୍ୟରେ ଖଣି ଚୋରି, ବାଲି ଚୋରି ଉକ୍ରଟ ରୂପ ନେଇଛି ।
ରାଜ୍ୟର ମୁଦ୍ରାସ୍ଫୀତି ଦେଶର ମୁଦ୍ରାସ୍ଫୀତି ଠାରୁ ନିୟମିତ ଭାବେ ଅଧିକ ରହୁଥିବା ବେଳେ ନିତ୍ୟ ଆବଶ୍ୟକୀୟ ଜିନିଷର ଅହେତୁକ ଦର ବୃଦ୍ଧି ହେଉଛି, କିନ୍ତୁ ରାଜ୍ୟ ସରକାରଙ୍କର ଏଥିପ୍ରତି ନିଘା ନାହିଁ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପିର ୩ ଜଣ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟର ବିକାଶ କାମ ଆଗକୁ ବଢୁନଥିବା କଥା ଉଲ୍ଲେଖ କରିଛନ୍ତି, ଯାହା ରାଜ୍ୟର ବିକାଶ କାର୍ଯ୍ୟର ନଗ୍ନ ସ୍ଥିତିକୁ ପ୍ରଦର୍ଶିତ କରୁଛି ।
ଏମଏମଡିଆର ଆଇନ ସଂଶୋଧନ ମାଧ୍ୟମରେ ରାଜ୍ୟ ମାନଙ୍କ ଠାରୁ ଖଣି ଓ ଖଣି ଥିବା ଜମି ଉପରୁ ସେମାନଙ୍କ ଅଧିକାର ଛଡାଇ ନିଆଗଲା ।
ଯାହା ଯୋଗୁଁ ଓଡିଶା ଖଣି ଟିକସର ବକେୟା ବାବଦକୁ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କା ହରାଇଲା ଓ ବାର୍ଷିକ ରାଜସ୍ୱ ବାବଦକୁ ୧୨,୦୦୦ କୋଟି ଟଙ୍କା ହରାଇବ ।
ଦୁଃଖ ଓ ପରିତାପର ବିଷୟ, ଏମଏମଡିଆର ସଂଶୋଧନ ଭଳି ଓଡିଶା ବିରୋଧୀ ବିଲ୍କୁ ବିଜେପିର ଲୋକସଭାରେ ଥିବା ୨୦ ସାଂସଦ ଓ ରାଜ୍ୟସଭାରେ ଥିବା ୫ ସାଂସଦ ହାତ ଟେକି ସମର୍ଥନ କଲେ ।
ଆଉ ଏବେ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲି ଯୁକ୍ତି ବାଢୁଛନ୍ତି । ତେଣୁ ବିଜେପିର ଅଢେଇ ବର୍ଷର ଶାସନରେ ରାଜ୍ୟର ବିକାଶ ଆଗକୁ ନୁହେଁ ବରଂ ପଛକୁ ଯାଇଛି ।