୩୬ତମ କୋଣାର୍କ ଉତ୍ସବ ୨୦୨୫ର ଦିତୀୟ ଦିନ
ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ୩୬ ତମ କୋଣାର୍କ ଉତ୍ସବର ଦିତୀୟ ଦିନରେ କୋଣାର୍କ ଏବଂ ତାର ପରିପାର୍ଶ୍ଵ ଏକ ଲାସ୍ୟମୟୀନାୟିକା ଭାବର ସଜେଇ ହୋଇଛି ।
ରୂପ, ରସ, ଛନ୍ଦରେ ସେ ସ୍ଵାଗତ କରୁଛି ତାର ଅତିଥିବୃନ୍ଦଙ୍କୁ, ପ୍ରିୟ ଦର୍ଶକଗଣଙ୍କୁ ।
ଦିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା କୁଚୀପୁଡ଼ୀ ଏବଂ ଓଡିଶୀ ନୃତ୍ୟର ଅପୂର୍ବ ସଂଭାର ।
ପ୍ରଥମ ଭାଗରେ ପରିବେଷିତ ହୋଇଥିଲା ବାଙ୍ଗାଲୋରରୁ ଆସିଥିବା ପ୍ରଖ୍ୟାତ କୁଚୀପୁଡ଼ୀ ନୃତ୍ୟାଙ୍ଗନା ବୈଜୟନ୍ତୀ କାଶୀଙ୍କ ସମ୍ଭାବୀ ସ୍କୁଲ ଅଫ୍ ଡ଼୍ୟାନ୍ସର ଶିଳ୍ପୀମାନଙ୍କ ଦ୍ଵାରା କୁଚୀପୁଡ଼ୀ ନୃତ୍ୟ
ସେମାନଙ୍କ ଉପସ୍ଥାପନରେ ଧର୍ମାୟନ ଭଗବାନ ବିଷ୍ଣୁଙ୍କ ଅନେକ ଅବତାରକୁ ଅନୁସରଣ କରି ପ୍ରତ୍ୟେକଟି ଧର୍ମର ଅନନ୍ତ ନୀତି ଏବଂ ବିଶ୍ୱସନୀୟ ସନ୍ତୁଳନର ପ୍ରତୀକ ଦେଖିବାକୁ ମିଳିଥିଲା ।
ଏହି ଉପସ୍ଥାପନାର କେନ୍ଦ୍ରବିନ୍ଦୁ ହେଉଛି ଅମୃତ ମନ୍ଥନର କିମ୍ବଦନ୍ତୀ - ସମୁଦ୍ର ମନ୍ଥନ, ଯାହାକୁ ମାନବର ମନ ତଥା ଭଲ ଏବଂ ମନ୍ଦ ମଧ୍ୟରେ ଏହାର ନିରନ୍ତର ସଂଘର୍ଷର ଏକ ରୂପକ ଭାବରେ ଦେଖାଯାଏ ।
ଏହି ପ୍ରସ୍ତୁତିଟି ବିଷ୍ଣୁଙ୍କୁ କାଳଜୟୀ ରକ୍ଷାକର୍ତ୍ତା ଏବଂ ଧାର୍ମିକତାର ବାହକ ଭାବରେ ପାଳନ କରିଥିଲା । ଯାହାର ଲିପି ପ୍ରସ୍ତୁତ କରିଥିଲେ ଡକ୍ଟର ଶତବଧାନୀ ଆର. ଗଣେଶ, ସଙ୍ଗୀତ ସଂଯୋଜନା କରିଥିଲେ ଶ୍ରୀ ଡି. ଭି. ଏସ. ଶାସ୍ତ୍ରୀ ଏବଂ ନୃତ୍ୟ ସଂରଚନା କରିଥିଲେ ଶ୍ରୀମତୀ ବୈଜୟନ୍ତୀ କାଶୀ ।
ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଶର୍ମିଲା ବିଶ୍ବାସଙ୍କ ଓଡ଼ିଶୀ ଭିଜନ ଓ ମୁଭ୍ମେଣ୍ଟ ସେଣ୍ଟରର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ।
ସେମାନେ ପ୍ରଥମେ ମହାଲକ୍ଷ୍ମୀ ସ୍ତୋତ୍ରମ୍ ଦେବୀଙ୍କ ଶଙ୍କ, ଚକ୍ର, ଗଦା ଏବଂ ପଦ୍ମ ଧରିଥିବା ଶକ୍ତିଶାଳୀ ଚିତ୍ରକୁ ଜୀବନ୍ତ କରିଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଶର୍ମିଳା ବିଶ୍ୱାସ, ସଙ୍ଗୀତ ସଂଯୋଜନା କରିଥିଲେ ସୃଜନ ଚାଟାର୍ଜୀ, ତାଳ ସଂଯୋଜନା କରିଥିଲେ ବିଜୟ କୁମାର ବାରିକ ।
ଦ୍ବିତୀୟ ପ୍ରସ୍ତୁତିରେ ଥିଲା ଆବର୍ତ୍ତନ-ବିବର୍ତ୍ତନ, ଦୈନନ୍ଦିନ କାର୍ଯ୍ୟରେ ଉପସ୍ଥିତ ପ୍ରାକୃତିକ ମାନବ ଲୟକୁ ଅନୁସନ୍ଧାନ କରି ନିଜର କାର୍ଯ୍ୟକଳାପ ଏବଂ ଖେଳକୁଦ ଚଳନଗୁଡ଼ିକ ନୃତ୍ୟରେ ବିକଶିତ କରିଥିଲେ ଶିଳ୍ପୀଗଣ, ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା କରିଥିଲେ ଶର୍ମିଳା ବିଶ୍ୱାସ ।
ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ସୃଷ୍ଟି-ତତ୍ତ୍ୱ, ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ଚିନ୍ତାଧାରା ମାଧ୍ୟମରେ ଜୀବନର ବିବର୍ତ୍ତନକୁ ବ୍ୟାଖ୍ୟା ସହିତ ପୁରାଣ ଏବଂ ଜୟଦେବଙ୍କ ଦଶାବତାର ଚିତ୍ରଣରୁ ଆଙ୍କିତ କରିଥିଲେ ନୃତ୍ୟମାଧ୍ୟମରେ, ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ସୃଜନ ଚାଟାର୍ଜୀ ଏବଂ ତାଳ ଓ ନୃତ୍ୟ ସଂରଚନା କରିଥିଲେ ଶର୍ମିଳା ବିଶ୍ୱାସ
କୋଣାର୍କ ଉତ୍ସବର ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ସୃଜନ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀବୃନ୍ଦ ।
ଦ୍ୱିତୀୟ ପର୍ଯ୍ୟାୟରେ କଥକଲି ପରିବେଷଣ କରିବେ କେରଳ କଳାମଣ୍ଡଳମ୍ର ଶିଳ୍ପୀମାନେ ।
ଦ୍ୱିତୀୟ ସନ୍ଧ୍ୟାର ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ; ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ୍, ଏଏସଆଇ ପୁରୀ ସର୍କଲ ଡକ୍ଟର ଦିବିଷାଦ ବ୍ରଜସୁନ୍ଦର ଗର୍ନାୟକ; ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପଙ୍କର ମହାପାତ୍ର, ପୁରୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସରୋଜ କୁମାର ସ୍ଵାଇଁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବିଶ୍ଵଜିତ ରାଉତରାୟ; ଓଡିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଓ ପୁରୀ ଜିଲ୍ଲା ପରିଷଦର CDO ତଥା EO ଶ୍ରୀ ପ୍ରିୟା ରଞ୍ଜନ ପୃଷ୍ଟି ।
କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ ।
୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ର ଦ୍ଵିତୀୟ ଦିନ...
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଚନ୍ଦ୍ରଭାଗାର ବେଳାଭୂମିରେ ଆୟୋଜିତ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ର ଦ୍ବିତୀୟ ଦିନରେ ବିଷୟବସ୍ତୁ ଥିଲା ପୁରୁଷ ବାଲୁକାଶିଳ୍ପୀଙ୍କ ପାଇଁ ପରିବେଶ ପର୍ଯ୍ୟଟନ ଓ ବନ୍ୟପ୍ରାଣୀ ଏବଂ ମହିଳା ବାଲୁକାଶିଳ୍ପୀଙ୍କ ପାଇଁ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ।
ଏହି ବିଷୟବସ୍ତୁକୁ ନେଇ ଭାରତବର୍ଷ ଓ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ଗଣ ଚନ୍ଦ୍ରଭାଗାର ବେଳାଭୂମିକୁ ସଜାଇଥିଲେ ସେମାନଙ୍କ କଳା ନୈପୁଣ୍ୟ ।
ସମୁଦ୍ରର ଅଥଳ ଜଳରାଶି ଆଉ ଅସରନ୍ତି ବେଳାଭୂଇଁର ବାଲୁକା ଭୂଖଣ୍ଡ ଚିତ୍ରିତ ହୋଇ ଉଠିଥିଲା ।
ଚଳିତବର୍ଷ ଭାରତରୁ ପ୍ରାୟ ୧୪୦ ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ ୪୦ ଜଣ ମହିଳା ଓ ୯୫ ଜଣ ପୁରୁଷ ।
ସ୍ପେନ୍, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ପ୍ରାୟ ୫ ଜଣ ବିଦେଶୀ ବାଲୁକା ଶିଳ୍ପି ମଧ୍ୟ ଚନ୍ଦ୍ରଭାଗା ବେଳାଭୂମିରେ ତାଙ୍କ କଳା ନୈପୁଣ୍ୟକୁ ରୂପ ଦେବା ପାଇଁ ଅଂଶଗ୍ରହଣ କରିଛନ୍ତି ।