୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ...

Aug 6, 2026 - 20:09
 3
୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ...

ଓଡ଼ିଶାର ସ୍ୱଚ୍ଛ ଶକ୍ତିରେ ଅଗ୍ରଗତି ବିଷୟରେ ବଖାଣିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ 

ନୂଆଦିଲ୍ଲୀସ୍ଥିତ ହୋଟେଲ ଲି ମେରିଡିଏନଠାରେ ଆୟୋଜିତ ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬ରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ରାଜ୍ୟର ସ୍ୱଚ୍ଛ ଶକ୍ତି ଓ ସବୁଜ ଉତ୍ପାଦନ କ୍ଷେତ୍ରର ଅଗ୍ରଗତି ବିଷୟରେ ଆଲୋକପାତ କରିଛନ୍ତି। 

କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ଭୁଟାନ ଶକ୍ତି ମନ୍ତ୍ରୀ ଲିୟନପୋ ଜେମ୍ ସେରିଙ୍ଗ ଓ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଅନୁରା କରୁଣାଥିଲାକେଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ଶକ୍ତି ସୁରକ୍ଷା ଉପରେ ଏକ CII-EY ରିପୋର୍ଟ ମଧ୍ୟ ଉନ୍ମୋଚିତ ହୋଇଥିଲା।

୨୦୩୫ ସୁଦ୍ଧା ୬୦% ଅଣ-ପାରମ୍ପରିକ ଶକ୍ତି କ୍ଷମତା ହାସଲ କରିବା ଏବଂ ୨୦୭୦ ସୁଦ୍ଧା "ନେଟ୍ ଜିରୋ" (ଶୂନ୍ୟ ନିର୍ଗମନ) ଲକ୍ଷ୍ୟ ପୂରଣ କରିବାର ଜାତୀୟ ଲକ୍ଷ୍ୟ ସହିତ ତାଳ ମିଳାଇ ଓଡ଼ିଶା ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। 

ଏହି କ୍ରମରେ ସୌର, ପବନ, ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ₹୬୭,୦୦୦ କୋଟିର ନିବେଶ ପ୍ରସ୍ତାବ ପୂର୍ବରୁ ମଞ୍ଜୁର ହୋଇଥିବା ବେଳେ, ବିଦ୍ୟୁତ୍ ଗ୍ରିଡ୍‌ର ଆଧୁନିକୀକରଣ ଓ ଏଆଇ (AI) ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଉଛି। 

ରାଜ୍ୟର ୫୭୫ କିମି ଉପକୂଳ ଓ ବନ୍ଦରଗୁଡ଼ିକୁ ବ୍ୟବହାର କରି ବଡ଼ ଶିଳ୍ପସଂସ୍ଥାଗୁଡ଼ିକୁ କାର୍ବନମୁକ୍ତ କରିବା ସହ ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସିଆରେ ଏକ ପ୍ରମୁଖ "ଗ୍ରୀନ୍ ହାଇଡ୍ରୋଜେନ୍ ହବ୍" ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପଟେ "ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା" ମାଧ୍ୟମରେ ସାଧାରଣ ଲୋକଙ୍କ ବିଦ୍ୟୁତ୍ ଖର୍ଚ୍ଚ କମାଇବା ଓ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। 

"ବିକଶିତ ଓଡ଼ିଶା ୨୦୩୬" ଓ "ବିକଶିତ ଭାରତ ୨୦୪୭" ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ପଷ୍ଟ କରିବା ସହ ଉପ-ମୁଖ୍ୟମନ୍ତ୍ରୀ ବିଶ୍ୱର ବଡ଼ ବଡ଼ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।