ଉତ୍କଳର ଚକ୍ରବର୍ତ୍ତୀ ଗଜପତି .

ଉତ୍କଳର ଚକ୍ରବର୍ତ୍ତୀ ଗଜପତି .

୧୪୩୫ ମସିହା ୨୯ ଜୁନ ; କର୍କଟ ୨ ଦିନ ଶୁକ୍ଳ ଚତୁର୍ଥୀ ବୁଧବାର .
ସେହି ଦିବ୍ୟ ଦିବସରେ ଉତ୍କଳର ସିଂହାସନ ଆରୋହଣ କରନ୍ତି ଗଜପତି "କପିଳେନ୍ଦ୍ର ଦେବ"। ଏକାମ୍ର କ୍ଷେତ୍ରରେ ହିଁ ଗଜପତିଙ୍କର ହୁଏ ରାଜ୍ୟାଭିଷେକ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ  ପାପନାଶିନୀ ପୁଷ୍କରଣୀ ପାଖରେ ଉତ୍କଳ ଜନନୀଙ୍କ ସୁଯୋଗ୍ୟ ଦାୟାଦ ଭାବେ ସିଂହାସନ ଆରୋହଣ କରନ୍ତି ଗଜପତି କପିଳେନ୍ଦ୍ରଦେବ।
ଗଙ୍ଗବଂଶର ପତନ ପରେ ସେ ଉତ୍କଳର ରାଜା ହୁଅନ୍ତି ; କିନ୍ତୁ ମଥାନତ କରନ୍ତି କୋଟି ଓଡ଼ିଆର ମଉଡ଼ମଣି କଳାସାଆନ୍ତଙ୍କ ପାଖରେ।
"ହେ ମଣିମା, ରାଜା କପିଳେନ୍ଦ୍ର ତୁମ୍ଭର ରାଉତ"
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଗଜପତି ମହାରାଜାଙ୍କ ଏ ବାଣୀ ଓଡ଼ିଆଙ୍କ ହୃଦୟ ଜିଣିଥିଲା। 
ଜଣେ ସାଧାରଣ କ୍ଷତ୍ରିୟ କୁଳରୁ "ସୂର୍ଯ୍ୟବଂଶୀ ଗଜପତି" ହେବାର ଗୌରବ ମିଳେ ତାଙ୍କୁ। ଉତ୍କଳର ସୂର୍ଯ୍ୟବଂଶୀ ସମ୍ରାଟ ଭାବେ ଗ୍ରହଣ କରନ୍ତି ଓଡ଼ିଆ। ଏହାପରେ ଆରମ୍ଭ ହୁଏ ଯୁଦ୍ଧ ଅଭିଯାନ। ଗଙ୍ଗାରୁ କୃଷ୍ଣା-କାବେରୀ ନଦୀ ପର୍ଯ୍ୟନ୍ତ ବିଶାଳ ଭୁଖଣ୍ଡକୁ ନିଜ ଶାସନାଧିନ କରି ମହାପ୍ରଭୁଙ୍କ ନାମରେ ଏହି ସମଗ୍ର ଅଞ୍ଚଳକୁ ଉତ୍କଳରେ ମିଶାଇ ଦିଅନ୍ତି।
ବର୍ତ୍ତମାନ ଆମେ ଯେଉଁ କଲିକତା, ହାଇଦ୍ରାବାଦ,କର୍ଣ୍ଣାଟକ, ବିଶାଖାପାଟଣା ଆଦି ସମୃଦ୍ଧ ଅଞ୍ଚଳ ଦେଖୁଛୁ,ସେଠାରେ ଦିନେ ଉତ୍କଳର ବିଜୟ ବାନା ଉଡୁଥିଲା। 
୧୪୩୫ - ୧୪୬୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେ ଥିଲେ ଦିଗବିଜୟୀ ସମ୍ରାଟ। 

ଉତ୍ତରରେ ଗଙ୍ଗାରୁ, ଦକ୍ଷିଣରେ ତିରିଚୁନ୍ନାପଲ୍ଲୀ ନିକଟରେ ଥ‌ିବା ଗୋଦାବରୀ ପର୍ଯ୍ୟନ୍ତ । 
ସେ ଧାରଣ କରିଥିଲେ ଏକ ବିରାଟ ଉପାଧି  "ବୀର ଶ୍ରୀ ଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ବର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ପ୍ରବଳ ପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ।"
ଯାହା ଆଜି ବି ଗଜପତି ରାଜାଙ୍କ ନାମ ପୂର୍ବରୁ ଅଳଙ୍କୃତ ହୋଇ ରହିଅଛି। ଏହି ଉପାଧି ହିଁ ବୟାନ  କରୁଛି ବିଶାଳ ଉତ୍କଳର ପରିସୀମାକୁ ଆଉ ଗଜପତି କପିଳେନ୍ଦ୍ରଙ୍କ ପରାକ୍ରମକୁ।
ଦାକ୍ଷିଣାତ୍ୟ ଜୟ କରିବା ପରେ 
୧୬ଟି ହାତୀ ପିଠିରେ କୁଢ କୁଢ ସୁନା ଆଣି ସେ ଜଗନ୍ନାଥ ମହାପ୍ରଭୁଙ୍କ ଚରଣ-କମଳ ତଳେ ଅଜାଡି ଦେଇଥିଲେ। 
ସେହି ସୁନାରେ ମହାପ୍ରଭୁଙ୍କର ରଥ ଉପରେ ସୁନାବେଶ, ବଡ଼ତଡାଉ ବେଶ କରାଯାଉଅଛି। 
ଗଜପତି କପିଳେନ୍ଦ୍ର ଦେବ  ହିଁ ଥିଲେ ଉତ୍କଳର ଚକ୍ରବର୍ତ୍ତୀ  ଗଜପତି।
ତାଙ୍କ ସମୟରେ ଉତ୍କଳର  ରାଜଭାଷା ରୂପେ "ଓଡ଼ିଆ ଭାଷା" ଗୃହୀତ ହୋଇଥିଲା  ବେଳେ 'ସଂସ୍କୃତ'* ହିଁ ଥିଲା ଆମ ରାଜଭାଷା।