ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆଗାମୀ ୧୪ ଓ ୧୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତ ରେ ଅଛନ୍ତି l
ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି l
ବୈଠକରେ ଆଲୋଚିତ ସୂଚନା ଅନୁସାରେ ଜୁଲାଇ ୧୪ ତାରିଖ ସଂଧ୍ୟାରେ ମାନ୍ୟବର ରାଷ୍ଟ୍ରପତି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ ଏବଂ ଜୁଲାଇ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ପରେ ପରେ ସେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ଣରେ ମାନ୍ୟବର ରାଷ୍ଟ୍ରପତି କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନ ଯାଇ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସେଠାରେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ ତମ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିବା ସହ ‘‘କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ ।
ମାନ୍ୟବର ରାଷ୍ଟ୍ରପତି ୧୪ ତାରିଖ ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଁଚିବେ ଏବଂ ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ l ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ନିକଟରୁ ପାଛୋଟି ଆଣିବା ଓ ପ୍ରତ୍ୟାବର୍ତ୍ତନ ସମୟରେ ମେଲାଣି ଦେବା ସହ ରାଜ ଭବନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉତ୍ସବ ସ୍ଥଳରେ ଅଗ୍ନିଶମ ସେବା ବ୍ୟବସ୍ଥା, ସଡ଼କ ପଥରେ ଯାତ୍ରା ସମୟରେ କାର୍କେଡ୍ ପ୍ଲାନ, ଜରୁରୀ କାଳୀନ ଡାକ୍ତରୀ ଓ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ, ରାସ୍ତାର ପରିସ୍କାର ପରିଚ୍ଛନ୍ନତା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ବ୍ୟବସ୍ଥା ରଖିବା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି l ବିଭିନ୍ନ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆବଶ୍ୟକ ମତେ ବିକଳ୍ପ ବ୍ୟବସ୍ଥା ରଖାଯିବା ସହ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l